Odisha news

ତିହିଡି ତହସିଲ : ବିନା ହାତଗୁଞ୍ଜାରେ କାମ କରିବାକୁ ରାଜି ନୁହଁନ୍ତି କର୍ମଚାରୀ , ୫ଟି ଓ ରାଜସ୍ୱ ସଚିବଙ୍କୁ ଅବଗତ କରାଇଲେ ଲୋକେ

ତିହିଡି,୦୭/୦୨: ତିହିଡି ତହସିଲରେ ଏବେ ବିଭିନ୍ନ ପ୍ରକାର ଅନିୟମିତତା ଚାଲିଛି । ଯିଏ ଯେଉଁ କାମରେ ଆସୁନା କାହିଁକି ବିନା ହାତଗୁଞ୍ଜାରେ କାମ କରିବାକୁ ରାଜି ହେଉନାହାନ୍ତି କର୍ମଚାରୀ । ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଏଥିରେ ଅତିଷ୍ଠ ହୋଇ ଲୋକେ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ୫ଟି ଓ ରାଜସ୍ୱ ସଚିବଙ୍କୁ ଲିଖିତ ଭାବେ ଅବଗତ କରାଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ତହସିଲ ରେକର୍ଡ ରୁମରେ ଥିବା ଜଣେ ଅଣ କର୍ମଚାରୀଙ୍କ ଲାଞ୍ଚଖୋର ମନୋଭାବ ଯୋଗୁଁ ଲୋକେ ଶୋଷଣର ଶିକାର ହେଉଛନ୍ତି । ଏହି ଅଣ କର୍ମଚାରୀ ଜଣଙ୍କୁ କେଉଁ ସ୍ୱାର୍ଥରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରଖାଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି । ଲୋକେ ଟଙ୍କା ଖର୍ଚ୍ଚ କରି ମଧ୍ୟ ସଠିକ କାଗଜପତ୍ର ପାଇ ପାରୁନାହାନ୍ତି । କାର୍ଯ୍ୟାଳୟରେ ୧୦ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟରତ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏକ ନିର୍ଦ୍ଦିଷ୍ଟ ଜନସେବା କେନ୍ଦ୍ର ଆଇଡିରେ ପଡୁଥିବା ବାସସ୍ଥାନ, ଜାତି, ଆୟ ସାର୍ଟିଫିକେଟ ସଅଳ କରି ଦେଉଥିବା ବେଳେ ଅନ୍ୟ ସମସ୍ତ ଆଇଡିର ସାର୍ଟିଫିକେଟ ପ୍ରଦାନ ପାଇଁ ମାସ ମାସ ଧରି ବିଳମ୍ବ କରୁଛନ୍ତି । ସେହି କର୍ମଚାରୀ ଲାଞ୍ଚ ନେଇ ଦୁଇ ଦିନ ପୂର୍ବରୁ ଆବେଦନ ହୋଇଥିବା ସାର୍ଟିଫିକେଟକୁ ଅନୁମୋଦନ କରୁଥିବା ବେଳେ ମାସ ମାସ ଧରି ଆବେଦନ କରୁ ନଥିବା ଅଭିଯୋଗ ହୋଇଛି । ତହସିଲ କାର୍ଯ୍ୟାଳୟରେ ପ୍ଲଟ ଇଣ୍ଡେକ୍ସ ମିଳିବାର ସୁବିଧା ଥିଲେ ମଧ୍ୟ ତାହା ଆଦେଦନକାରୀଙ୍କୁ ଦିଆଯାଉନାହିଁ । ଏଥିପାଇଁ ଲୋକେ ଜିଲ୍ଲା ଅଫିସକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । କାର୍ଯ୍ୟାଳୟର ଜଣେ ସ୍ଥାନୀୟ କର୍ମଚାରୀ ୧୫ ବର୍ଷରୁ ଉଦ୍ଧ୍ୱର୍ ହେଲା ରହିଛନ୍ତି । ସେ ୪ଟି ବିଭାଗରେ ମୁଖ୍ୟ ଦାୟିତ୍ୱରେ ରହିବା ସହ ବିଭିନ୍ନ ଅନିୟମିତତାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ତହସିଲ ଅଧିନରେ ଥିବା ବିଭିନ୍ନ ଆର୍ଆଇ ସର୍କଲରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଥିନେଇ ପଦକ୍ଷେପ ନିଆ ନଗଲେ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯିବ ବୋଲି ନିର୍ମଳ ଚନ୍ଦ୍ର ଦଳାଇ, ପୀତାମ୍ବର ମଳିକ, ପବିତ୍ରମୋହନ ଦାସ, ଅଭିମନୁ୍ୟ ନାୟକ, ଶ୍ରୀକାନ୍ତ ପଣ୍ଡା, ବିଜୟ ଭୋଇ, ଭରତ କୁଣ୍ଡ, ଦେବେନ୍ଦ୍ର ସେଠୀ, ନାରାୟଣ ଚନ୍ଦ୍ର ଦାସ, ରାଜେନ୍ଦ୍ର ଜେନା, ଧନେଣ୍ୱର କୁଣ୍ଡ, ଲକ୍ଷ୍ମୀଧର ଦାସ ଓ ଗିରିଜାନନ୍ଦନ ପୋଥାଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Comments are closed.