ତିହିଡି,୩୦/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ବାମନବିନ୍ଧା ସମବାୟ ସମିତିରେ ୫ ହଜାର ବସ୍ତା ଧାନ ପଡିରହିଛି । ସମିତି ସହ ଟ୍ୟାଗ ହୋଇଥିବା ମିଲର ମାନେ ଧାନ ନେଉ ନଥିବାରୁ ଏହି ପରିସ୍ଥିତି ଉପୁଜିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଥିବା ବେଳେ ଦିନରାତି ଧାନକୁ ଜଗି ରହୁଛନ୍ତି । ଏ ନେଇ ଚାଷୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମିଲର ଓ ପ୍ରଶାସନର ସଲାସୁତୁରାରେ ଚାଷୀମାନେ ବଳି ପଡୁଥିବା ଦର୍ଶାଇଛନ୍ତି । ଆସନ୍ତା ୫ ଦିନ ମଧ୍ୟରେ ଏହାର ଆଶୁ ସମାଧାନ କରାନଗଲେ ଚାଷୀମାନେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ କହିଛନ୍ତି । ସମିତିର ପ୍ରାକ୍ତନ ସଭାପତି ସଂଗ୍ରାମ ମହାନ୍ତି ଦର୍ଶାଇ ଥିଲେ ଯେ, ସମିତିର ୨୩ ହଜାର ୭୮୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ରହିଛି ।
ଏହି ଧାନ ନେବା ପାଇଁ ୬ଟି ମିଲକୁ ସମିତି ସହିତ ଟ୍ୟାଗ କରାଯାଇଛି । ଆଜିସୁଦ୍ଧା ୧୭ ହଜାର ୩୦୬ କୁଇଣ୍ଟାଲ ଧାନ ମିଲରମାନେ ନେଇ ସାରିଲେଣି । ବାମନବିନ୍ଧା, ଦୌଲତପୁର ଓ ସାହାପୁର ପଞ୍ଚାୟତର ମୋଟ ୮୭୦ ଜଣ ଚାଷୀ ଅନଲାଇନରେ ଧାନ ବିକିବାକୁ ଆବେଦନ କରିଛନ୍ତି । ତେବେ ଟୋକନ ପାଇଥିବା ଚାଷୀମାନେ ସମିତିକୁ ଧାନ ଆଣିଥିଲେ ମଧ୍ୟ ମିଲରଙ୍କ ସହଯୋଗ ଅଭାବରୁ ଏହି ଧାନ ସମିତି କିଣି ପାରୁନାହାନ୍ତି । ଅନ୍ୟପକ୍ଷେ କେତେକ ଦଲାଲ ଚାଷୀଙ୍କ କାର୍ଡ ସଂଗ୍ରହ କରି ସମିତିରେ ଧାନ ଦେଉଥିବାରୁ ଏହା ଚାଷୀଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି । ପ୍ରଶାସନ ତରଫରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ସମିତି ଆଗରେ ପଡି ରହିଥିବା ଧାନ ବର୍ଷାରେ ଭିଜିଯିବା ତଥା ଷଣ୍ଢ ମାନେ ଖାଇଯିବାର ଆଶଙ୍କା ଥିବାରୁ ଚାଷୀ ମାନେ ଦିନ ରାତି ପାଳି କରି ଧାନକୁ ଜଗି ରହୁଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ ନେତା ମଙ୍ଗରାଜ ନାୟକ, ଜଗନ୍ନାଥ ନାୟକଙ୍କ ସମେତ ଚାଷୀ ଆନନ୍ଦ ଶଙ୍କର ଦାସ, ହୃଷିକେଶ ବିଶ୍ୱାଳ, କୁଶାସନ ମହାନ୍ତି, ଦୁଃଶାସନ ପାଢୀ, ଦୋଳଗୋବିନ୍ଦ ବାରିକ, ସସ୍ମିତା ବାରିକ, ସୁବ୍ରତ ମହାନ୍ତି, ତାପସ ପାଢୀ, ସୁରେନ୍ଦ୍ର ବାରିକ, ବାବାଜୀ ସେଠୀ, ପଞ୍ଚାନନ ପଣ୍ଡା, ସୁଶାନ୍ତ ଡାଙ୍ଗୁଆ, ମହେଶ୍ୱର ପାଣ୍ଡବ, ରବିନ୍ଦ୍ର ଦାସ ଓ ଭାଗବତ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।