Odisha news

ଧ୍ୟାନଂ ମୂଳଂ ଗୁରୁମୂର୍ତ୍ତିଂ

0

ପ୍ରଫେସର ଡାକ୍ତର ମଞ୍ଜୁଶ୍ରୀ ନାୟକ : ପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସ୍ୱହସ୍ତ ଲିଖିତ ପବିତ୍ର ସତ୍ୟାନୁସରଣର ଅମୋଘ ବାଣୀ  – ସଦ୍ଗୁରୁଙ୍କର ଆଦେଶ ପାଳନ ପରି ଆଉ ମନ୍ତ୍ର କ’ଣ ଅଛି? ଚାଲ ଆଗେଇ ଯାଅ, ରାସ୍ତା ଭାବି କ୍ଲାନ୍ତ ହୋଇପଡ଼ନାହିଁ ।  ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ନାମ ମନନ କର ଓ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟ କରି କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ । ସଦ୍ଗୁରୁଙ୍କୁ ଧରିବାକୁ ହୁଏ, ସତ୍ କାମ କରିବାକୁ ହୁଏ । ଶରୀର ପାଇଁ ଖାଦ୍ୟ ନିହାତି ଦରକାର, ସବୁଦିନ ଯଦି ଖାଦ୍ୟ ନ ଖାଇବୁ ତେବେ ଶକ୍ତ ଶରୀର ମଧ୍ୟ ଭାଙ୍ଗି ପଡ଼ିବ । ତେଣୁ ଶରୀର ପରି ମନପ୍ରାଣ – ସୁରତ ବା ଆତ୍ମାକୁ ମଧ୍ୟ ତାର ଉପଯୁକ୍ତ ଖୋରାକ ନିତ୍ୟ ଦେବା ଦରକାର । ନହେଲେ ତାହା କ୍ଷୀଣ ବା ଦୁର୍ବଳ ହୋଇପଡ଼ିବ, ଶାନ୍ତି ଓ ସ୍ୱସ୍ତି ବ୍ୟାହତ ହେବ ।

ଯଜନ, ଯାଜନ ଓ ଇଷ୍ଟଭୃତି ହିଁ ହେଲା ମନପ୍ରାଣ – ସୁରତର ପ୍ରଧାନ ଖୋରାକ । ନାମଧ୍ୟାନ ପ୍ରତିଦିନ ନିୟମିତ ଭାବେ କରିବାକୁ ହୁଏ, ଗୁରୁଙ୍କର କଥା ସଦା ସର୍ବଦା କହିବାକୁ ହୁଏ । ପିତାମାତାଙ୍କୁ ଯେପରି ଆମେ ପ୍ରତିଦିନ ଖାଇବାକୁ ଦେଇଥାଉ, ଗୁରୁଙ୍କୁ ମଧ୍ୟ ସେହିପରି ରୋଜ ଖାଇବାକୁ ଦେବାକୁ ହୁଏ । ତାଙ୍କୁ ଦେବାପରେ ନିଜେ ଖାଇବାକୁ ହୁଏ । ଗୁରୁ ଆଧ୍ୟାତ୍ମିକ ଓ ସର୍ବତୋ ଭାବେ ଆମ୍ଭମାନଙ୍କର ପିତା ଅର୍ଥାତ୍ ପାଳନକର୍ତ୍ତା ଓ ରକ୍ଷାକର୍ତ୍ତା । ଗୁରୁମୟ ହେଲେ ହିଁ ଜୀବନ ଗୌରବମୟ ହୁଏ । ଜୀବନର ନୀତିବିଧି ଯଦି ମାନି ଚାଲୁ ଆମ୍ଭମାନଙ୍କୁ ଆଉ ଠକାଇବ କିଏ? ଆମେ ସେତେବେଳେ କ୍ରମୋନ୍ନତି ଓ ଶାନ୍ତିର ପଥରେ ନିଶ୍ଚୟ ଚାଲିବା । ସଦ୍ଗୁରୁଙ୍କୁ ଚିହ୍ନିବାର ପ୍ରଥମ ଲକ୍ଷଣ ହେଲା ଯେ ସଦ୍ଗୁରୁ  ତାଙ୍କର ଗୁରୁଙ୍କ ଠାରେ ସର୍ବତୋ ଭାବରେ ସଂନ୍ୟସ୍ତ ହେବେ ।

ତାଙ୍କର କହିବା, କରିବା ଓ ଭାବିବା ମଧ୍ୟରେ କିଛି ଫରକ୍ ରହେନାହିଁ । ପୂର୍ବତନଙ୍କ ପ୍ରତି ତାଙ୍କର ପ୍ରଣତି ରହିବ ହିଁ ରହିବ । ସେ ପ୍ରତ୍ୟେକଙ୍କର ବୈଶିଷ୍ଟ୍ୟ ରକ୍ଷା କରି ଚଳନ୍ତି । ସେ ଅଲୌକିକତାର ଆଶ୍ରୟ ଗ୍ରହଣ ନ କରି ମଧ୍ୟ ମନୁଷ୍ୟକୁ ସହଜ ପଥରେ ଏପରି ଭାବରେ ପରିଚାଳନା କରନ୍ତି ଯାହାଦ୍ୱାରା ସେମାନଙ୍କର ଚାରିତ୍ରିକ ବିକାଶ ଘଟେ । ମନୁଷ୍ୟକୁ ପ୍ରକୃତ ମନୁଷ୍ୟତ୍ୱର ଅଧିକାରୀ କରି ତୋଳିବା ଦିଗରେ ହିଁ ତାଙ୍କର ଝୁଁଙ୍କ୍ ରହିବ ସବୁଠାରୁ ବେଶୀ । ଏହା ହେଉଛି ସଦ୍ଗୁରୁଙ୍କର ମୌଳିକ ଓ ସାର୍ବଜନୀନ ଚାରିତ୍ରିକ ଲକ୍ଷଣ । ସଦ୍ଗୁରୁଙ୍କର ଅହଂ ଅତ୍ୟନ୍ତ ପତଳା, ସମସ୍ତଙ୍କୁ ସହନ ଓ ବହନ କରିବାର ଶକ୍ତି ଅପରିସୀମ । ନିଜର ଗୁଣଗାନ କରିବାର ଅଭ୍ୟାସ ତାଙ୍କର କେବେ ନଥାଏ । ଅନ୍ୟକୁ ବଡ଼ କରିବା ହିଁ ତାଙ୍କର ସୁଖ, ଆତ୍ମ ପ୍ରତିଷ୍ଠାର ଇଛା ତାଙ୍କ ପାଖରେ କେବେ ନଥାଏ ବରଂ ଆଦର୍ଶ ପ୍ରତିଷ୍ଠା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ । ତାଙ୍କ ଚରିତ୍ର ଅସ୍ୱାଭାବିକ ଭାବେ ସ୍ୱାଭାବିକ, ସେ ଯେପରି ପ୍ରକୃତିର ଶିଶୁ । ତାଙ୍କର ମଧୁର ବ୍ୟକ୍ତିତ୍ୱ ମଣିଷକୁ ସ୍ୱତଃ ହିଁ ମୋହିତ କରେ ।

ଗୁରୁକରଣ କରିବାକୁ ହେଲେ ଦେଖିବାକୁ ହୁଏ ଯେ ଗୁରୁ ନିଜେ ଆତ୍ମ ନିବେଦିତ କି ନୁହେଁ, ସେ ପ୍ରବୃତ୍ତି ଅଭିଭୂତିର ଉଦ୍ଧ୍ୱର୍ ରାଜ୍ୟର ମନୁଷ୍ୟ । ଗୁରୁ ଗ୍ରହଣମାନେ ଆଚାର୍ଯ୍ୟ ବା ଇଷ୍ଟ ଗ୍ରହଣ । ଏହି ଆଚାର୍ଯ୍ୟ ହେଲେ ଜୀବନ୍ତ ଦିଶାରୀ । ସେ ହେଉଛନ୍ତି ମୂର୍ତ୍ତ ନିଷ୍ଠା । ଗୁରୁଙ୍କ ଉପରେ ଯଦି ନିଷ୍ଠା ଓ ଆନୁଗତ୍ୟ ନଥାଏ ତାହାଲେ ମନୁଷ୍ୟ କେବଳ ନିଜସ୍ୱ ବୁଦ୍ଧି ଓ ଜ୍ଞାନଦ୍ୱାରା ଜୀବନରେ ସର୍ବତୋମୁଖୀ ସାଫଲ୍ୟରେ ପହଞ୍ଚô ପାରିବନାହିଁ । ଦୀକ୍ଷାମାନେ  ଦକ୍ଷତାର ଅନୁଶୀଳନ, ଯାହା କରୁ କରୁ ସର୍ବତୋମୁଖୀ ଦକ୍ଷତା ସ୍ୱତଃ ହିଁ ବଢ଼ି ଉଠେ । ଅନେକେ ଦୀକ୍ଷା ନେବାକୁ ଚାହାଁନ୍ତି ନାହିଁ । ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ତାହାମାନେ ସେ ଜୀବନ ହିଁ ଚାହେଁନା । ମଣିଷ ଜୀବନର ଅସଲ ସମ୍ପଦ ହେଲା ସଦ୍ଗୁରୁଙ୍କ ପାଖରୁ ଦୀକ୍ଷା ନେଇ ତାଙ୍କ ପ୍ରତି ଅଚୁ୍ୟତ ଓ ଅନୁରାଗସମ୍ପନ୍ନ ହୋଇ ଚଳିବା ।

ସତ୍ ଦୀକ୍ଷା ନେବା ପାଇଁ ମନୁଷ୍ୟ ଆପତ୍ତି ଥାଏ ସେତେବେଳେ, ଯେତେବେଳେ ଆମେ ପ୍ରବୃତ୍ତିର ଅନୁଚର ହେଉ । ଅମୃତ ଅରୁଚି ହୁଏ ସେତେବେଳେ, ଯେତେବେଳେ ଆମେ ମୃତୁ୍ୟକୁ ଭଲପାଉ । ତେଣୁ ଦୀକ୍ଷା ଗ୍ରହଣର ପ୍ରୟୋଜନ ଜୀବନର ଅତ୍ୟନ୍ତ ଅକାଟ୍ୟ । ପ୍ରାଣଶକ୍ତିର ଏକ ଅଖଣ୍ଡତା ଅଛି, ପ୍ରାଣଶକ୍ତିର ଏହି ଅଖଣ୍ଡତା ବାଦ୍ ଦେଇ ଜୀବନ ଯେପରି ଜୀବନ୍ତ ରହେନାହିଁ ସେହିପରି ଏକ କେନ୍ଦ୍ରିକତା ବାଦ୍ ଦେଇ ସଂଗତିପୂର୍ଣ୍ଣ ଜୀବନ୍ତ ଜୀବନଦର୍ଶନ ଗଢ଼ି ଉଠେନାହିଁ । ଯାହାଙ୍କୁ କେନ୍ଦ୍ର କରି ଚାଲିବାକୁ ହୁଏ, ସେ ମନୁଷ୍ୟ ଜଣେ ସମାଧାନ ପ୍ରାପ୍ତ ଓ ସଙ୍ଗତ ମନୁଷ୍ୟ ହେବା ଏକାନ୍ତ ଆବଶ୍ୟକ । ତାହାଙ୍କୁ ଆମ୍ଭେମାନେ ଇଷ୍ଟ କହୁ । ଇଷ୍ଟ ନିଷ୍ଠା ହିଁ ତୁମର ମୁକ୍ତି, ଇଷ୍ଟ ନିଷ୍ଠା ହିଁ ପରାଗତି, ଇଷ୍ଟ ନିଷ୍ଠା ହିଁ ବ୍ରାହ୍ମୀ ପଥ, ନିଷ୍ଠା ହିଁ ତୁମର ଜୀବନ ଗତି ।

Leave A Reply