ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଆତ୍ମହତ୍ୟା ଏକ ସାମାଜିକ ଓ ମାନସିକ ସମସ୍ୟା ହେବା ସହ ଆଇନ ଅନୁଯାୟୀ ଏକ ଅପରାଧ । ଏହି ଅପରାଧ ପାଇଁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି । ଏତେ ଗଲା ଆଇନଗତ ଦିଗ । ତେବେ ଧର୍ମଦିଗ ଦେଇ ମଧ୍ୟ ଆତ୍ମହତ୍ରା ଏକ ଅପରାଧ, ମହାପାପ । ପ୍ରତ୍ୟେକ ଧର୍ମ ବିଶେଷ ପରିସ୍ଥିତିକୁ ବାଦ ଦେଇ ଅନ୍ୟସବୁ ସ୍ଥିତିରେ ଏହାକୁ ମହାପାପ ଭାବରେ ବିବେଚନା କରିଛନ୍ତି । ଆସନ୍ତୁ ଦେଖିବା କେଉଁ ଧର୍ମ ଆତ୍ମହତ୍ୟାକୁ ନେଇ କି ପ୍ରକାର ମତ ରଖିଛନ୍ତି ।
ଜୁଡ଼ାଇଜିମ୍ : ଇହୁଦିମାନେ ଆତ୍ମହତ୍ୟାକୁ ଘୃଣା କରନ୍ତି । ଇହୁଦି କବରସ୍ଥାନରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିମାନଙ୍କୁ ଅଲଗା କବର ଦିଆଯାଏ । ସେମାନଙ୍କ ପାଇଁ ଶୋକ ପାଳନର ଅନେକ ଧାର୍ମିକ ଗୀତିନୀତି ପାଳନ କରାଯାଏ ନାହିଁ । ଏହି ଧର୍ମ ଆତ୍ମହତ୍ୟାକୁ କୌଣସି ମତେ ଯଥାର୍ଥ ବୋଲି ସ୍ୱୀକାର କରେ ନାହିଁ । ଏଥିସହ ଆତ୍ମହତ୍ୟା ପାଇଁ ସହଯୋଗ ମାଗିବା ଏବଂ ସହଯୋଗଦେବା ଉଭୟ ଧର୍ମ ଦୃଷ୍ଟିରୁ ମହାପାପ । ତେବେ କେତେକ କ୍ଷେତ୍ରରେ ଇହୁଦି ଧର୍ମ ଆତ୍ମହତ୍ୟାକୁ ଶେଷ ବିକଳ୍ପ ଭାବରେ ମାନ୍ୟତା ଦେଇଛି । ଉଦାହରଣ ସ୍ୱରୂପ ଧର୍ମ ତ୍ୟାଗ କରିବାର ପରିସ୍ଥିତି ଆସିଲେ କିମ୍ବା ପରାଜୟ ଯୋଗୁ ଦାସତ୍ୱ ଗ୍ରହଣ କରିବାର ସ୍ଥିତି ଆସିଲେ ଆତ୍ମହତ୍ୟାକୁ ପାପ ଭାବରେ ବିବେଚନା କରାଯାଏ ନାହିଁ ଇହୁଦି ମାନ୍ୟତାରେ ।
ଖ୍ରୀଷ୍ଟଧର୍ମ : ରୋମାନ କ୍ୟାଥଲିକ୍ ଖ୍ରୀଷ୍ଟିୟ ମାନ୍ୟତା ଅନୁଯାୟୀ ଆତ୍ମହତ୍ୟା ମହାପାପ । କାରଣ ଏହା ଖ୍ରୀଷ୍ଟଧର୍ମର ମୂଳନୀତିକୁ ବିରୋଧ କରେ । ତେବେ ସେମାନେ ଏହି ପାପର ବିଚାର ଈଶ୍ୱର କରିବେ ବୋଲି ମତ ଦିଅନ୍ତି । ତେଣୁ ଆତ୍ମହତ୍ୟା କରିଥିବା ବ୍ୟକ୍ତି ପାଇଁ ଚର୍ଚ୍ଚରେ ଶୋକ ପ୍ରାର୍ଥନା ଅନୁଷ୍ଠିତ ହୁଏ । ତେବେ ପୂର୍ବେ ରକ୍ଷଣଶୀଳ କ୍ୟାଥଲିକ୍ ଚର୍ଚ୍ଚ ଗୁଡ଼କ ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କୁ କବର ଦେବା ଏବଂ ସେମାନଙ୍କୁ ଶୋକ ପ୍ରାର୍ଥନା ପାଇଁ ବାରଣ କରୁଥିଲେ । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଆସିଛି । ପ୍ରେଟେଷ୍ଟାଣ୍ଟ ଖ୍ରୀଷ୍ଟିୟ ମାନ୍ୟତା ଅନୁଯାୟୀ – ଆତ୍ମହତ୍ୟା କରୁଥିବା ବ୍ୟକ୍ତି ଈଶ୍ୱରଙ୍କ ଉପହାରକୁ ଗ୍ରହଣ କରିପାରେ ନାହିଁ । ଏହି ମାନ୍ୟତା ଅନୁଯାୟୀ ଆତ୍ମହତ୍ୟା ଅକ୍ଷମଣୀୟ ପାପ ନୁହେଁ ବରଂ ଈଶ୍ୱର ଦେଉଥିବା ଉପହାରକୁ ଅସ୍ୱୀକାର କରିବା ହିଁ ପାପ । ଆଦ୍ୟ ଖ୍ରୀଷ୍ଟିୟ ପରମ୍ପରା ଅନୁଯାୟୀ ମହିଳାମାନେ ଅସଦାଚରଣରୁ ବର୍ତ୍ତିବା ପାଇଁ ଆତ୍ମହତ୍ୟା କରିବା ପାପ ଭାବେ ବିବେଚନା ହେଉନଥିଲା । ତେବେ ପରବର୍ତ୍ତୀ ସମୟରେ ଅସଦାଚରଣ ଦ୍ୱାରା ମହିଳାଙ୍କ ଶରୀର ଅପବିତ୍ର ହୋଇଯାଏ ନାହିଁ ବୋଲି ଚର୍ଚ୍ଚଗୁଡ଼ିକ ମତଦେବା ପରେ ଏହି କାରଣରୁ ଆତ୍ମହତ୍ୟାକୁ ନିରୁତ୍ସାହିତ କରାଯାଇଛି ।
ଇସ୍ଲାମ୍ ଧର୍ମ : ଇସ୍ଲାମ ଧର୍ମ ଅନୁଯାୟୀ ଆତ୍ମହତ୍ୟା ମହାପାପ ମଧ୍ୟରୁ ଅନ୍ୟତମ । ଏହା ମନୁଷ୍ୟର ଆଧ୍ୟାତ୍ମିକ ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ । ମହାପୁରୁଷ ମହମ୍ମଦଙ୍କ ଉପଦେଶ ଅନୁଯାୟୀ ଯେଉଁ ବ୍ୟକ୍ତି ଆତ୍ମହତ୍ୟା ପାଇଁ ଯେଉଁ ରାସ୍ତା ବାଛିଥାଏ ମୃତୁ୍ୟ ପରେ ତାକୁ ସେହି ଦଣ୍ଡ ଦିଆଯାଏ ।
ହିନ୍ଦୁଧର୍ମ : ହିନ୍ଦୁଧର୍ମରେ ଆତ୍ମହତ୍ୟା ଗ୍ରହଣୀୟ ନୁହେଁ । ଏହା ଅହିଂସାର ବିରୁଦ୍ଧାଚରଣ । ଏହା ହତ୍ୟା ସମକକ୍ଷ ପାପ । ଆତ୍ମହତ୍ୟା କରୁଥିବା ବ୍ୟକ୍ତିର ଆତ୍ମା ସବୁବେଳେ ଅସନ୍ତୁଷ୍ଟ ରହି ପ୍ରେତ ଭାବରେ ବୁଲୁଥାଏ । ତେବେ ହିନ୍ଦୁଧର୍ମରେ ମନୁଷ୍ୟ ନିଜ ଇଛାରେ ଅହିଂସକ ଭାବରେ ଉପବାସ ଦ୍ୱାରା ମୃତୁ୍ୟକୁ ଆପଣାଇବାକୁ ସ୍ୱୀକାର କରାଯାଇଛି । ତେବେ ଏହା ବୟସର ଶେଷ ସୋପାନରେ ପହଞ୍ଚôବା ଯୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହା ବ୍ୟତୀତ ଯୁଦ୍ଧ କ୍ଷେତ୍ରରେ ନିଜ ଦେଶ ବା ଧର୍ମ ପାଇଁ ଏବଂ ଅନ୍ୟ ପରିସ୍ଥିତିରେ କୌଣସି ଭିନ୍ନ ବ୍ୟକ୍ତିର ଜୀବନ ରକ୍ଷା ପାଇଁ ଜାଣିଶୁଣି ମୃତୁ୍ୟକୁ ଆପଣାଇବାକୁ ପାପ ଭାବରେ ସ୍ୱୀକାର କରେନାହିଁ ହିନ୍ଦୁଧର୍ମ ।
ଜୈନଧର୍ମ : ଜୈନଧର୍ମରେ ଆତ୍ମହତ୍ୟାକୁ ସବୁଠାରୁ ଭୟଙ୍କର ହିଂସା ଭାବରେ ଅଭିହିତ କରାଯାଇଛି । ଏହା ଜୈନଧର୍ମର ମୂଳନୀତି ଅହିଂସାର ବିରୁଦ୍ଧାଚରଣ । ତେବେ ଶେଷ ଜୀବନରେ ଉପବାସ ଦ୍ୱାରା ନିଜ ଜୀବନକୁ ଶେଷ କରିବାକୁ ଜୈନଧର୍ମରେ ସ୍ୱୀକାର କରାଯାଇଛି । ଏହା ଆତ୍ମହତ୍ୟା ନୁହେଁ ବରଂ ସାଧନା । କାରଣ ଏହି ବ୍ରତ ଆଚରଣ କରୁଥିବା ବ୍ୟକ୍ତି ସବୁପ୍ରକାର ବନ୍ଧନରୁ ନିଜକୁ ଛିନ୍ନ କରିନିଏ ।
ବୌଦ୍ଧଧର୍ମ : ବୌଦ୍ଧଧର୍ମ ଅହିଂସା ଉପରେ ପର୍ଯ୍ୟବସିତ । ଏହି ଧର୍ମ ଜୀବନ ନଷ୍ଟ କରିବା ଠାରୁ ଦୂରରେ ରହେ । ତେଣୁ ଆତ୍ମହତ୍ୟା କରିବା ମଧ୍ୟ ଗ୍ରହଣୀୟ ନୁହେଁ ବୌଦ୍ଧଧର୍ମରେ । ଏହା ଜ୍ଞାନ ପ୍ରାପ୍ତିର ପ୍ରତିବନ୍ଧକ ବୋଲି ବୌଦ୍ଧଧର୍ମ କୁହେ । ବୌଦ୍ଧଧର୍ମରେ କୌଣସି କ୍ଷେତ୍ରରେ ଆତ୍ମହତ୍ୟାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଇନାହିଁ । ତେବେ ଇତିହାସରେ ଏହାର କେତେକ ବ୍ୟତୀକ୍ରମ ଥିବାର ପ୍ରମାଣ ରହିଛି ।