Odisha news

ମାର୍ଚ୍ଚ ଶେଷ ସୁଦ୍ଧା ଧାନ କିଣିବେ ସରକାର

0

ଭୁବନେଶ୍ୱର, ୨୬ା୨ : ଚାଷୀଙ୍କ ଧାନ କିଣା ଓ ମଣ୍ଡିର ଟୋକନ ଅବ୍ୟବସ୍ଥାକୁ ନେଇ ସୋମବାର ଭଳି ମଙ୍ଗଳବାର ବି ଗୃହକୁ ଅଚଳ କରିଥିଲେ ବିରୋଧୀ । ପୂର୍ବାହ୍ନ ବୈଠକରେ ଗୃହ ଦୁଇ ଥର ମୁଲତବୀ ହୋଇଥିଲା । ଫଳରେ ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦୀଳୟ ବୈଠକ ଡାକିଥିଲେ । ପରେ ମାର୍ଚ୍ଚ ୩୧ସୁଦ୍ଧା ଧାନ କିଣିବେ ସରକାର ବୋଲି ବାଚସ୍ପତିଙ୍କ ରୁଲିଂ ଦେବା ପରେ ଗୃହ ସ୍ୱାଭାବିକ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଆରମ୍ଭରୁ ହଙ୍ଗମା ସୃଷ୍ଟି କରିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଟୋକନ ଅବ୍ୟବସ୍ଥାଓ ଧାନ କିଣା ପ୍ରସଙ୍ଗକୁ  ନେଇ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ । ଏଥିଯୋଗୁଁ ଗୃହ ଚାଲିବା ସମ୍ଭବ ହୋଇ ନ ଥିଲା । ତେଣୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୦ଟା ୩୦ରୁ ସାଢେ ୧୧ ଯାଏ ଏବଂ ପରେ ସାଢେ ୧୧ଟାରୁ ୧୨ଟା ୫୦ ଯାଏ ଗୃହକୁ ମୁଲତବୀ କରିଥିଲେ ଏବଂ ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହ ଆରମ୍ଭ ହେବା ପରେ ବାଚସ୍ପତି ଶ୍ରୀ ପାତ୍ର ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ ସରକାର କିଣିବେ ବୋଲି ରୁଲିଂ ଦେଇଥିଲେ । ସେ କହିଥିଲେ, ଟୋକନ ବ୍ୟବସ୍ଥାକୁ ନେଇ ଧାନ କିଣାରେ ଉପୁଜିଥିବା ସମସ୍ୟାକୁ ନେଇ କାଲିଠୁ ଯୋଗାଣ ମନ୍ତ୍ରୀ ଜିଲ୍ଲାୱାରୀ ସଭ୍ୟଙ୍କ ସହ ଆଲୋଚନା କରିଛନ୍ତି । କିଣିବାର ଯଥେଷ୍ଟ ଆଗରୁ ଚାଷୀଙ୍କୁ ଟୋକନ ଦିଆଯିବ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ଗୃହ ସ୍ୱାଭାବିକ
ହୋଇଥିଲା ।

Leave A Reply