ହିମାଂଶୁ ଶେଖର ଆଚାର୍ଯ୍ୟ : ଏହା ଏକ ସର୍ବକାଳୀନ ସତ୍ୟ ଯେ, ପ୍ରତିଭାକୁ ସମ୍ମାନ କରୁଥିବା ଜାତି ସବୁ ବେଳେ ଆଗରେ ରୁହେ । ଏହା ଦ୍ୱାରା କେବଳ ଯେ ଜାତି ପ୍ରତିଭାକୁ ସମ୍ମାନ କରିଥାଏ ତାହା ନୁହେଁ , ଏହା ମଧ୍ୟ ନୂଆ ପ୍ରତିଭାକୁ ଚିହ୍ନଟ କରିବାପାଇଁ ସୁଯୋଗ ସୃଷ୍ଟିକରିଥାଏ । ମାତ୍ର ସାମ୍ପ୍ରତିକ ସମୟରେ ପୁଜ୍ୟପୂଜା ପ୍ରତି ଅସୂୟା ଓ ଅନାଦର ଭାବ ତଥା ଅପୂଜ୍ୟ ବ୍ୟକ୍ତିମାନଙ୍କ ଆଗ୍ରହ ଏକ ପ୍ରଥାରେ ପରିଣତ ହେବାକୁ ବସିଲାଣି । ସ୍କନ୍ଦ ପୁରାଣରେ କୁହାଯାଇଛି-“ଅପୂଜ୍ୟା ଯତ୍ର ପୂଜ୍ୟନ୍ତେ, ପୂଜନୀୟ ନ ପୂଜ୍ୟତେ, ତ୍ରିଣୀ ତତ୍ର ଭବିଷ୍ୟନ୍ତି ଦୁର୍ଭିକ୍ଷଂ, ମରଣଂ ଭୟମ୍” ।ଅର୍ଥାତ୍ ଯୋଉଁଠି ପୂଜ୍ୟ ମାନଙ୍କୁ ପୂଜା କରାନଯାଇ ଅପୂଜ୍ୟ ମାନଙ୍କୁ ପୂଜା କାରାଯାଏ ସେଠାରେ ଦୁର୍ଭିକ୍ଷ, ମରଣ ଓ ଭୟର ବାତାବରଣ ସୃଷ୍ଟିହେବାର ସମ୍ଭାବନା ଥାଏ । ତେଣୁ ଅନ୍ୟକୁ ନିନ୍ଦିତ କରି ଯଶସ୍ୱୀ ହେବା ପ୍ରୟାସରୁ ସମସ୍ତେ ନିଜକୁ ନିବୃତ୍ତ କରିବାର ଆବଶ୍ୟକତା ରହିଛି, ଏହାହିଁ ଅବଧାରିତ ସତ୍ୟ ।
ମାତ୍ର ଏବେ ସମାଜର ଢଙ୍ଗ ବଦଳିଗଲାଣି । ଅବକ୍ଷୟମୁଖୀ ସମାଜରେ ବୋଧକୁ ଛାଡି ସମସ୍ତେ ମୂଲ୍ୟ ପଛରେ ଧାଇଁଛନ୍ତି । ପ୍ରତିଯୋଗିତା ଚାଲିଛି ସବୁଠି ନକରାତ୍ମକ ଭାବେ । ସେଦିଗରେ ପ୍ରତିଷ୍ଠା ହାସଲ ପାଇଁ ·ଲିଛି ଜୋରସୋର୍ ଉଦ୍ୟମ । ଯେମିତି ହେଉ ପଛେ, ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ମିଳୁ । ଏସବୁ ଘଟଣା ରାଜନୀତିରେ ଥିଲା । ନେତା ମାନେ ନିଜର ପ୍ରତିଷ୍ଠାପାଇଁ ଲାଗିପଡୁଥିଲେ । ରାଜ ନେତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ପ୍ରଶାସକ ଏପରିକି ସାଧାରଣ ଜନତା ମଧ୍ୟ ବ୍ୟସ୍ତ ଥିଲେ ରାଜ ନେତାଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ସମ୍ବର୍ଦ୍ଧିତ କରିବା ପାଇଁ । ଏଥିରୁ କିନ୍ତୁ ସାଧକ ମାନେ ଦୂରେଇ ରହୁଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାଧରମାନଙ୍କୁ ସମ୍ବର୍ଦ୍ଧନା ଦେବାର ତରିକା ନିଆରା ଥିଲା । ରାଜରାଜୁଡା ଶାସନରେ ବି କବି, ସାହିତି୍ୟକ, ଚିତ୍ରକର, କଳାକାର, ସଙ୍ଗୀତଜ୍ଞ, ନୃତ୍ୟ ବିଶାରଦ ଓ ଅନ୍ୟାନ୍ୟ ପୂଜ୍ୟବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ପରମ୍ପରା ରହିଥିଲା । ସେଇଥିପାଇଁ ତ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜସଭାରେ ନବରନô ତାଙ୍କ ରାଜସଭାକୁ ମହିମାମଣ୍ଡିତ କରିଥିଲେ । କାଳିଦାସଙ୍କ ଠାରୁ ଆରମ୍ଭ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ -ସବୁଠି ସମ୍ବର୍ଦ୍ଧନାର ଏକ ଉଜ୍ଜ୍ୱଳ ପରମ୍ପରା ଥିଲା ।
ଏବେ କିନ୍ତୁ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ,କବି, ସାହିତି୍ୟକ,ଗାଳ୍ପିକ,ନାଟ୍ୟକାର, କଳାକାର,ସାମ୍ବାଦିକ,ଶିକ୍ଷକ,କ୍ରୀଡାବିତ୍ ଓ ଅଭିିନେତା ସମସ୍ତେ ଏଇ ଦୌଡରେ ସାମିଲ ହୋଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ସଂପ୍ରତି ବିଭିନ୍ନ ପ୍ରକାରର ସାହିତ୍ୟ, ସସ୍କୃତି, ସାଂସ୍କୃତିକ ଓ ଏହିଭଳି ଅନେକ ସଂଗଠନ ସୃଷ୍ଟି ହେଲାଣି । ସୃଷ୍ଟି ହେବା ବି ଭଲ କଥା । କିନ୍ତୁ ଏଠି ସମ୍ବର୍ଦ୍ଧନା ଦେବାର ମାନିଆ ସୁନାମୀ ପରି ଗ୍ରାସ କରିଛି ସମସ୍ତଙ୍କୁ । ସମ୍ବର୍ଦ୍ଧନା ଦେବାପାଇଁ ସଂଗଠନ ଗୁଡିକ ମଧ୍ୟରେ ଯେତିକି ଆଗ୍ରହ, ସମ୍ବର୍ଦ୍ଧନା ନେଉଥିବା ବ୍ୟକ୍ତିର ମଧ୍ୟ ସେତିକି ଆଗ୍ରହ । ସତେ ଯେମିତି ସମ୍ବର୍ଦ୍ଧନା ଦେବା ଓ ନେବା ଏକ ନିଶା ପାଲଟି ଗଲାଣି । ଏପରିକି ଗୋଟିଏ ଗୋଟିଏ ସଭାରେ ପଚାଶ ଷାଠିଏ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ଘଟଣାମାନ ଦେଖିବାକୁ ମିଳୁଛି । ଏପରିକି କିଛି ଅନୁଷ୍ଠାନ ଗୋଟିଏ ଗୋଟିଏ ସଭାରେ ଶହେ ଦୁଇଶହ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରିବା ନଜିର ରହିଛି । ଫଳରେ ସମ୍ବର୍ଦ୍ଧିତ ହେଉଥିବା ବ୍ୟକ୍ତିଙ୍କର ମଧ୍ୟ ଗୁରୁତ୍ୱ ହଜିଯାଉଛି ଏହି ଭିଡ ଭିତରେ । ଏହା କ’ଣ ସତରେ ପୂଜ୍ୟପୂଜା ପାଇଁ ଉଦ୍ଦିଷ୍ଟ । ‘ମୋ ରାଣ ମୋ ତୋ ଭଲପାଅ’ ନ୍ୟାୟରେ ଏହା ମୂଳ ଲକ୍ଷ୍ୟର ଉଦେ୍ଦଶ୍ୟକୁ ସଂକୁଚିତ କରୁଛି ।
କିନ୍ତୁ ସମ୍ବର୍ଦ୍ଧନାର ଏକ ନିର୍ଦ୍ଦିଷ୍ଟ ମାନ ରହିବା ଦରକାର । ତାହେଲେ ଯୋଗ୍ୟତମ ବ୍ୟକ୍ତି ଯୋଗ୍ୟତା ଅନୁରୂପ ସମ୍ବର୍ଦ୍ଧନା ପାଇବା ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତିଭାକୁ ଯଥାରୀତି ସମ୍ମାନ ମିଳିବ । ତା ନ ହେଲେ ଧୁଆମୂଳା ଓ ଅଧୁଆମୂଳା ସବୁ ସମାନ ହୋଇଯିବେ । ଇଏ ତ ଗଲା ଗୋଟିଏ ଦିଗ । ଅନ୍ୟ ଦିଗଟି ହେଉଛି ସମ୍ବର୍ଦ୍ଧିତ କରୁଥିବା ଅନୁଷ୍ଠାନ ମଧ୍ୟ ନିରପେକ୍ଷ ରହିବା ବିଧେୟ । ଅନେକ ସମୟରେ ପ୍ରିୟାପ୍ରୀତି, ରାଜନୈତିକ ଚାପ ଓ ଆର୍ଥିକ ସହାୟତା ପ୍ରକୃତ ପ୍ରତିଭା ଚିହ୍ନଟ କରିବାରେ ବାଧକ ସାଜୁଛି ।
ଫଳରେ ଅନେକ ସମୟରେ ଯୋଗ୍ୟ ପ୍ରତିଭାଧର ବ୍ୟକ୍ତିମାନେ ସମ୍ବର୍ଦ୍ଧିତ ହେଉଥିବା ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ପ୍ରତିଭା ନଥାଇ ଆଉ କେତେକ ସହଜରେ ସମ୍ବର୍ଦ୍ଧନା ପାଇବାରେ ସଫଳ ହେଉଛନ୍ତି । ଏବେ ପୁଣି ଅର୍ଥ ଦେଇ ସମ୍ବର୍ଦ୍ଧିତ ହେବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଏପରି ଅସୁସ୍ଥ ପରମ୍ପରା ସର୍ବଦା ପରିହାର କରିବା ଆବଶ୍ୟକ । ସେହିପରି ସଂଗଠନ ଗୁଡିକର ଆଭିମୁଖ୍ୟ ମଧ୍ୟ ବିଚିତ୍ର । ଅନୁଷ୍ଠାନ ଗୁଡିକ ନିଜ ନିଜ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦେବାର ମାନସିକତାରେ ନାହାଁନ୍ତି । ଗାଁ କନିଆଁ ସିଙ୍ଘାଣୀ ନାକି – ପରି ସେମାନେ ଅଲୋଡା, ଅଖୋଜା ହୋଇ ପଡି ରହିଛନ୍ତି ବଣମଲ୍ଲୀ ପରି । ସେହିପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିମାନେ ମଧ୍ୟ କୌଣସି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ ହେବାପାଇଁ ଯିବା ପୂର୍ବରୁ ତାର ମାନ ଅନୁସାରେ ସମ୍ବର୍ଦ୍ଧିତ ହେବାର ମାନସିକତା ରଖିବା ଦରକାର । ତାହାହେଲେ ସମ୍ବର୍ଦ୍ଧନାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ରହିବ ।
ଆହୁରି ଆଶ୍ଚର୍ଯ୍ୟର କଥା ଭଲ ଶିକ୍ଷକଟିଏ ଏଠି ରାଜ୍ୟ ପୁରସ୍କାର ଓ ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ନିଜେ ଆବେଦନ କରିଥାଏ । ସେ ନିଜେ ଭଲ ଓ ସେଥିପାଇଁ ସମ୍ମାନ ପାଇବାକୁ ହକ୍ଦାର ବୋଲି କହିବାକୁ ହୁଏ । ଏହାଠାରୁ ବଳି ଲଜ୍ଜାକର କଥା କ’ଣ ଥାଇପାରେ? ଏଥିନିମନ୍ତେ ପାଠ ଅପେକ୍ଷା ଶାଠ ଅଧିକ ଦରକାର । ସେଥିପାଇଁ ବିଭିନ୍ନ ପ୍ରମାଣପତ୍ର ଅଣନିଶ୍ୱାସୀ ହୋଇ ଧାଁ ଧପଡ କରି ଯୋଗାଡ କରିବାକୁ ହୁଏ କୃତୀ ଶିକ୍ଷକର ସମ୍ମାନ ପାଇବା ପାଇଁ ।ଏବେ ପୁଣି ଜିଲ୍ଲ୍ା ସ୍ତରରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ତା ରହିଛି ।ଏଥିପାଇଁ ସେମାନେ ଆବେଦନ ପତ୍ର ଜିଲ୍ଲା ଶକ୍ଷାଧିକାରୀଙ୍କୁ ପ୍ରଦାନ କରିବେ । ସେଇ ଏକା ବ୍ୟବସ୍ତା । ଗୋଟିଏ ପୁରସ୍କାର ଓ ଖଣ୍ଡିଏ ମାନପତ୍ର ପାଇବା ପାଇଁ ବାରଦୁଆର ବୁଲି ଆବେଦନ କରିବାକୁ ହେବ । ବିଚରା ଶିକ୍ଷକଟିଏ ବୋଲି ସିନା ! ସେ ପୁଣି ମଣିଷ ତିଆରିକରେ, ଦେଶର ଭବିଷ୍ୟତମାନଙ୍କୁ ଗଢେ । ସମ୍ବର୍ଦ୍ଧନା ଦେବାର ଏ ବ୍ୟବସ୍ଥା କେବେ ବଦଳିବ କେଜାଣି? ଶିକ୍ଷକର ପଦମର୍ଯ୍ୟାଦା ରକ୍ଷା ପାଇଁ କଣ ଆଉ କିଛି ବିକଳ୍ପ ବ୍ୟବସ୍ଥାରେ ଭଲ ଶିକ୍ଷକ ଚୟନ କରାଯାଇପାରନ୍ତା ନାହିଁ ?
ସବୁଠୁ ବଳି ପଡିଛି ଫଳକ ଲଗାଇ ତାକୁ ଉଦ୍ଘାଟନ କରିବାର ପରମ୍ପରା ।
ତାକୁ ନେଇ ପୁଣି ଅନେକ ସମୟରେ ରାଜନୀତି । ଫଳକ ଲଗାଇବା ପାଇଁ ଯେତିକି ଖର୍ଚ୍ଚ ହୁଏନି, ତାହା ଠାରୁ ଅଧିକ ଖର୍ଚ୍ଚ ହୁଏ ଏଥିପାଇଁ ଆୟୋଜିତ ହେଉଥିବା ସଭା ପାଇଁ । ଯୁଆଡେ ଗଲେ ସିଆଡେ ନାମ ଫଳକ । ସେଥିରେ ପୁଣି କାହା ନାମ ରହିବ ନ ରହିବ ସେଥିପାଇଁ ରାଜନୀତି ଛକାପଞ୍ଝା । ଦିନ ଥିଲା ନାମ ଫଳକଟି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ଫଳକଟି କାହା ଦ୍ୱାରା ଉଦ୍ଘାଟିତ ହୋଇଛି ଲୋକେ ତାକୁ ଆଗ୍ରହର ସହ ପଢୁଥିଲେ ଓ ଦେଖୁଥିଲେ । କିନ୍ତୁ ଅତି ପରିଚୟେ ଗୌରବ ନଷ୍ଟ ଅବସ୍ଥା ଆଜି ପରିଲକ୍ଷିତ ହେଉଛି ନାମ ଫଳକ କ୍ଷେତ୍ରରେ ।
ଯାହା ହୋଇଗଲା – ହୋଇଗଲା । ଅନ୍ତତଃ ଏଣିକି ଟିକେ ଆମ ଭିତରେ ସଚେତନତା ଆସୁ, ତାହା ନହେଲେ ଦିନ ଆସିବ ଚାରିଆଡେ ଖାଲି ଉଦ୍ଘାଟନ ଫଳକ ଥିବ । ଏବେ ପୁଣି ସ୍ଥାପିତ ପ୍ରତିମୂର୍ତ୍ତି ବ୍ୟତିରେକ ବଞ୍ଚିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ ଗାନ୍ଧି, ଉକ୍ରଳମଣି, ଉକ୍ରଳ ଗୌରବ ଉପାଧିରେ ଭୂଷିତ ଦେବା ପାଇଁ ଉପାଧିଧାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଏପରି ଘଟଣା ପରିଲକ୍ଷିତ ହେଉଛି । ଏହା ଭିତରେ ଅନେକ ଗାନ୍ଧି, ଉକ୍ରଳମଣି ଓ ଉକ୍ରଳ ଗୌରବ ସୃଷ୍ଟି କରି ସାରିଲୁଣି । ଏପରି କରିବା ଦ୍ୱାରା ଆମେ ସେହି ମହାପୁରୁଷମାନଙ୍କର ଅବମାନନା କରୁନାହେଁ ତ?
ସମ୍ବର୍ଦ୍ଧନା ଦେବାର ଭାବ ନିଆରା । ପୂଜ୍ୟପୂଜାର ଆଦର ମଧ୍ୟ ରହିବା ଦରକାର । କିନ୍ତୁ ସମ୍ବର୍ଦ୍ଧନାର ଏକ ନିର୍ଦ୍ଦିଷ୍ଟ ମାନ ରହୁ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ମାନସିକତା ସୃଷ୍ଟି ହେଉ । ଯାହାକି ଉତ୍ତରପିଢି ପାଇଁ ଏକ ଆଦର୍ଶର ଭିତ୍ତିଭୂମି ତିଆରି କରିବ । ତାହା ହେବ ଦୃଢ ଆଉ ଶକ୍ତ । ଏଇଠି ମନେପଡେ ମହାରାଜା ଇନ୍ଦ୍ରଦୁ୍ୟମ୍ନଙ୍କ କଥା । ସେଦିନ ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଯେତେବେଳେ ସୃଷ୍ଠି କର୍ତ୍ତା ବ୍ରହ୍ମା ଇନ୍ଦ୍ରଦୁ୍ୟମ୍ନଙ୍କୁ ବର ମାଗିବାକୁ କହିଲେ ସେତେବେଳେ ଉତ୍ତରରେ ସେ କହିଥିଲେ- ‘ମୋ ବଂଶରେ କେହି ନରୁହନ୍ତୁ’ । ଉଦେ୍ଦଶ୍ୟ ଥିଲା ଏ ମନ୍ଦିର ମୋ ବାପା-ଜେଜେ ବାପା କରିଥିଲେ ବୋଲି କେହି ନକୁହନ୍ତୁ । ଏଥିରୁ ଆମକୁ ସବୁକଥା ବୁଝିବାକୁ ହେବ । ଉଚ୍ଚ ଆର୍ଦଶବୋଧର ଆଧାରଶିଳା ଉପରେ ଠିଆ ହୋଇ ଦୋଛକିରେ ଥିବା ଆମ ପୂଜ୍ୟପୂଜାର ପରମ୍ପରାକୁ ନୂତନ ରାସ୍ତା ଦେଖାଇବାକୁ ହେବ ।