ଡ଼ ପ୍ରତିଭା ମହାରଥୀ : କେଉଁ ଅନାଦି କାଳରୁ ସୃଷ୍ଟିର ପ୍ରାରମ୍ଭରୁ ମଣିଷ ମନର ଅନୁସନ୍ଧିତ୍ସା ବଢ଼ିବଢ଼ି ଚାଲିଛି ଆତ୍ମା, ପରମାତ୍ମାଙ୍କ ଅସ୍ତିତ୍ୱକୁ ନେଇ । ଶଙ୍କରାଚାର୍ଯ୍ୟ, ରମଣ ମହର୍ଷି, ରାମକୃଷ୍ଣ ପରମହଂସ, ଲଙ୍ଗୁଳିବାବା, ବିବେକାନନ୍ଦ, ଚିଦାନନ୍ଦ, ଶିବାନନ୍ଦ, ନିଗମାନନ୍ଦଙ୍କଠାରୁ ଆରମ୍ଭ କରି ଆଜିର ଆତ୍ମାନନ୍ଦ, ଅସୀମାନନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅନୁସନ୍ଧାନର ମାର୍ଗ ଭିନ୍ନଭିନ୍ନ ହେଲେ ବି ଉପଲବ୍ଧି ପ୍ରାୟତଃ ସମାନ ।
ପ୍ରଥମେ ଆତ୍ମଜ୍ଞାନ, ତାପରେ ପରମାତ୍ମା ଜ୍ଞାନ । ପ୍ରଥମେ ନିଜର ପରିଚୟ ପାଇବା, ପରେ ପରମାତ୍ମାଙ୍କ ପରିଚୟ । କାୟମନୋବାକ୍ୟରେ ଅର୍ନ୍ତମୁଖୀ ହୋଇ ଯିଏ ଖୋଜିଛି, ସିଏ ତାଙ୍କୁ ପାଇଛି । ଖୋଜିବା ଲୋକକୁ ବାଟ ପଡ଼ିଅଛି, ନ ଖୋଜିବା ଲୋକ ଅନ୍ଧ । ବଣ ଜଙ୍ଗଲ ଭିତରେ ବୁଲି ବୁଲି ତାଙ୍କୁ ଅର୍ନ୍ତଚକ୍ଷୁରେ ନିଜ ଭିତରେ ଦେଖି ପାରିଥଲେ “ଅନ୍ଧକବି ଭୀମଭୋଇ’ ଯାହାଙ୍କ ଲେଖନୀରୁ ଝରି ଆସିଥିଲା ବିଶ୍ୱକୁ ଚମକାଇ ଦେଇଥିବା ସେହି ମହାର୍ଘ ପଂକ୍ତିଟି –
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।”
ସେହି ଦିବ୍ୟ ଅନୁଭବର ସଂସ୍ପର୍ଶରେ ଆସି “ଦସୁ୍ୟ ରତ୍ନାକର’ ପାଲଟିଗଲେ ମହାକବି ବାଲ୍ମିକୀ । ସେହି ଦିବ୍ୟଜ୍ଞାନ ବଳରେ, ମୁହୂର୍ତ୍ତକରେ ତରଳି ଯାଇଥିଲା ନରହତ୍ୟାକାରୀ “ଅଙ୍ଗୁଳିମାଳା’ର ପାଷାଣ ହୃଦୟ । ସେମିତି ଏକ ଅମୃତବେଳାର ଉପଲବ୍ଧି ଛୁଟାଇ ଦେଇଥିଲା ଭକ୍ତିର ମନ୍ଦାକିନୀ ଗଣିକା ବୃତ୍ତିକୁ ଆଦରି ନେଇଥିବା “ପିଙ୍ଗଳା’ର ହୃଦୟରେ । ସେ ପାଲଟିଗଲା ସତେ ଅବା ସେହି ମୁହୂର୍ତ୍ତରେ ନାରୀରୁ ନାରାୟଣୀ ।
ଆତ୍ମନିରୀକ୍ଷଣରୁ ହିଁ ବାସ୍ତବିକ୍ ସମସ୍ତ ତତ୍ତ୍ୱର ସନ୍ଧାନ ମିଳିଥାଏ ।
ଏ ପ୍ରସଙ୍ଗରେ ଶୁଣିଥିବା ଏକ ମନଛୁଅାଁ କାହାଣୀ ଏଠାରେ ପ୍ରଦାନ କରୁଛି । ଜଣେ ହୀରା ବ୍ୟବସାୟୀ ସାଙ୍ଗରେ କିଛି ହୀରା ନେଇ ରାତି୍ର ଟ୍ରେନ୍ରେ ଅନ୍ୟ ଏକ ରାଜ୍ୟକୁ ଯାତ୍ରା କରୁଥିଲେ । ସେଦିନ ସେହି ଟ୍ରେନ୍ରେ ତାଙ୍କ ସମ୍ମୁଖ ସିଟ୍ରେ ଯୋଗକୁ ଜଣେ ଚୋର ମଧ୍ୟ ଯାତ୍ରା କରୁଥିଲା । ଚୋର କୌଣସି ସୂତ୍ରରୁ ସନ୍ଧାନ ପାଇ ସାରିଥିଲା କି ବ୍ୟବସାୟୀ “ହୀରା’ ନେଇ ଯାଉଛନ୍ତି । ତେଣୁ ପ୍ରଥମେ ବ୍ୟବସାୟୀଙ୍କ ସହ କଥୋପକଥନ ମାଧ୍ୟମରେ ବେଶ୍ ଆତ୍ମୀୟତା ସୃଷ୍ଟି କରିବାକୁ ଚେଷ୍ଟା କଲା ଚୋରଟି ।
କିନ୍ତୁ ସତର୍କ ଦୃଷ୍ଟି ରଖିଥିଲା ତାଙ୍କ କାର୍ଯ୍ୟକଳାପ ଉପରେ । ଯେତେବେଳେ ବ୍ୟବସାୟୀ ଜଣକ ନିଜର ବିଛଣା ପ୍ରସ୍ତୁତ କରିସାରି ଲୁଙ୍ଗଟିଏ ଓ ଗାମୁଛାଟିଏ ପିନ୍ଧି ଖାଲି ହାତରେ ବାଥ୍ରୁମ୍କୁ ଯିବାକୁ ବାହାରିଲେ, ଉକ୍ତ ଚୋରଟିକୁ ତାଙ୍କ ଜିନିଷପତ୍ର ପ୍ରତି ଟିକେ ଧ୍ୟାନ ରଖିବାକୁ କହିଲେ । ଚୋରଟି ତ ସହଜେ ସେହି ମଉକା ହିଁ ଖୋଜୁଥିଲା । ବ୍ୟବସାୟୀ ଜଣକ ବାଥରୁମ୍କୁ ଚାଲିଯାଆନ୍ତେ ଚୋରଟି ତାଙ୍କର ପ୍ରତ୍ୟେକ ଜିନିଷପତ୍ରମାନ ତନ୍ନତନ୍ନ କରି ଖୋଜି ଚାଲିଲା, ମାତ୍ର ହୀରାର ସନ୍ଧାନ ନ ପାଇ ନିରାଶ ହେଲା । ସକାଳୁ ସକାଳୁ ନିର୍ଦ୍ଦିଷ୍ଟ ଷ୍ଟେସନ୍ରେ ଟ୍ରେନ୍ଟି ଅଟକିଗଲା ମାତ୍ରେ ବ୍ୟବସାୟୀ ଓ ଚୋର ଦୁଇଜଣଯାକ ଓହ୍ଲାଇପଡ଼ିଲେ ।
ବ୍ୟବସାୟୀଙ୍କୁ ଷ୍ଟେସନ୍ ଅତିକ୍ରମ କରିବା ସମୟରେ ଉକ୍ରଣ୍ଠିତ ହୋଇ ଚୋରଟି ପଚାରିଲା, “ହେ ମହାଶୟ, କାଲି ରାତିରେ ଆପଣଙ୍କୁ ଟ୍ରେନ୍ ଭିତରେ ଦେଖୁ ଦେଖୁ ମୁଁ ଜାଣିଗଲି ଯେ ଆପଣ ଜଣେ ହୀରା ବ୍ୟବସାୟୀ, କାହିଁକି ନା ମୁଁ ବୃତ୍ତିରେ ଜଣେ ଚୋର । ତେଣୁ ଆପଣଙ୍କ ସହ ଆତ୍ମୀୟତା ସୃଷ୍ଟି କରିବା ବାହାନାରେ ଆପଣାର ମଣିଷଟିଏ ଭଳି ଅଭିନୟ କରୁଥିଲି । ଆପଣ ରାତିରେ ଟ୍ରେନ୍ରେ ବାଥରୁମ୍କୁ ବାହାରିଗଲା ପରେ ମୁଁ ଆପଣଙ୍କ ଜିନିଷପତ୍ରମାନ ଘଣ୍ଟାଘଣ୍ଟି କରି ଥକିଗଲି, ହେଲେ କେଉଁଥିରେ ବି ହୀରାର ସନ୍ଧାନ ପାଇଲି ନାହିଁ । କେଉଁଠି ତାହାକୁ ଲୁଚାଇ ରଖିଥିଲେ ଆପଣ?” ବ୍ୟବସାୟୀ ଜଣକ ହସି ହସି କହିଲେ, “ତୁମେ ଯେପରି ମୋତେ ହୀରା ବ୍ୟବସାୟୀ ବୋଲି ଦେଖୁ ଦେଖୁ ଜାଣିଗଲ, ମୁଁ ମଧ୍ୟ ତୁମକୁ ଦେଖୁ ଦେଖୁ ଜାଣିଗଲି କି ତୁମେ ଜଣେ ଚୋର ।
ତେଣୁ ତୁମେ ଯେତେବେଳେ ଶୋଇବାକୁ ଯିବା ପୂର୍ବରୁ ବାଥରୁମ୍କୁ ଗଲ, ମୁଁ ସେତିକିବେଳେ ମୋ ହୀରାପୁଟୁଳିଟି ତୁମରି ତକିଆ ତଳେ ରଖିଦେଲି । ଭାବିଲି ଏହାହିଁ ସବୁଠାରୁ ନିରାପଦ ସ୍ଥାନ । ତେଣୁ ତୁମେ ଆସିଲା ପରେ ମୁଁ ଯେତେବେଳେ ବାଥରୁମ୍କୁ ଗଲି ତୁମେ ସେହି ସୁଯୋଗରେ ମୋର ସମସ୍ତ ଜିନିଷପତ୍ର ଘଣ୍ଟାଚକଟା କରି ହୀରାର ସନ୍ଧାନ ପାଇଲ ନାହିଁ । କାରଣ ହୀରା ତୁମ ନିଜ ବିଛଣାର ତକିଆ ତଳେ ସୁରକ୍ଷିତ ଥିଲା । ସକାଳୁ ପୁଣି ଥରେ ତୁମେ ବାଥରୁମ୍କୁ ଯିବା ସମୟରେ ମୁଁ ତୁମ ତକିଆ ତଳୁ ମୋ ହୀରାପୁଟୁଳିଟିକୁ ନେଇ ଆସିଲି । ଏହା କହି ହୀରା ପୁଟୁଳିଟି ନିଜ ହ୍ୟାଣ୍ଡବ୍ୟାଗ୍ ଖୋଲି ଚୋରକୁ ଦେଖାଇଲେ ।ଚୋର ପଶ୍ଚାତ୍ତାପ କରୁଥିଲା ଯେ କେତେ ସହଜରେ ସେ ଦୁର୍ମୁଲ୍ୟ ହୀରାକୁ ହରାଇଲା ବୋଲି ।
ପ୍ରକୃତରେ ଏହି କାହାଣୀର ଅନ୍ତରାଳରେ ଏକ ସୁନ୍ଦର ତତ୍ତ୍ୱ ଲୁକ୍କାୟିତ ଅଛି । କାହାଣୀରେ ବର୍ଣ୍ଣିତ ଚୋରଟି ପରି ଆମେ ମଧ୍ୟ ପ୍ରତ୍ୟେକେ ପରମାତ୍ମା ରୂପୀ ଶ୍ରେଷ୍ଠ ହୀରାଟିକୁ ଅତ୍ର ତତ୍ର ସର୍ବତ୍ର ଖୋଜୁଛେ, ପାହାଡ଼ ପର୍ବତର ଗୁମ୍ଫାରେ, ମନ୍ଦିର, ମସଜିଦ୍, ଗୀର୍ଜାରେ, ବେଦ, ବେଦାନ୍ତ, ଉପନିଷଦ, ଗୀତା, କୋରାନ୍, ବାଇବେଲ୍ରେ ଆମେ ତାଙ୍କୁ ଖୋଜି ଚାଲିଛେ । କିନ୍ତୁ ସେହି ପରମାତ୍ମାରୂପୀ ଈଶ୍ୱର ପ୍ରତ୍ୟେକଙ୍କ ହୃଦୟ କନ୍ଦରରେ ବିରାଜମାନ କରନ୍ତି । ବିଶ୍ୱାସ, ଭକ୍ତି, ଓ ଶ୍ରଦ୍ଧା ମାଧ୍ୟମରେ ତାଙ୍କୁ ଉପଲବ୍ଧି କରିହୁଏ । ତାଙ୍କ ପରିଚୟ ଥରେ ପାଇଗଲା ପରେ ବଦଳିଯାଏ ଜୀବିକା ଓ ଜୀବନ, ଦୃଷ୍ଟି ଓ ଦର୍ଶନ, ବୃତ୍ତି ଓ ପ୍ରବୃତ୍ତି ।
ସେଥିପାଇଁ ତ କବି ଉକ୍ରଳମଣି ଗୋପବନ୍ଧୁ ଦାସ “ଶିବରାତ୍ରୀ’ କବିତାରେ ଲେଖିଛନ୍ତି –
ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ । ନିଜ ଅଭ୍ୟନ୍ତର ଦେଖ ଫେଡ଼ିଣ ନୟନ ।ା
ହୃଦ-କପିଳାସେ ତୋର ବହେ ପ୍ରେମଝର । ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୂ ଶଙ୍କର