ସୋର,୧୭/୨ : ସୋର ପୌରପାଳିକା ଅନ୍ତର୍ଗତ ମାଧବାନନ୍ଦ କଂଗ୍ରେସ ଭବନରେ ସୋର କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି। ଏହି ଅବସରରେ ବିଜେପି ମୁଖାଧାରି ବରକୁ ଏକ ସୁସଜ୍ଜିତ ରଥରେ ବାଜା ବଜାଇ ବାଣ ଫୁଟାଇ ଏକ ଶୋଭାଯାତ୍ରା ପୌର ପାଳିକା ଅନ୍ତର୍ଗତ ବାମ୍ଫି ଛକ ନିକଟରୁ ବାହାରି ସହର ପରିକ୍ରମା କରି କଂଗ୍ରେସ ଭବନରେ ପହଞ୍ଚିଥିଲା ।ବିଜେପି ମୁଖା ପିନ୍ଧା ବର ସେଠାରେ ପହଞ୍ଚିବା ପରେ ମୁଖା ପିନ୍ଧା ବିଜେଡି କନିଆ ସହିତ ବିଜେପି ବରଙ୍କୁ କଂଗ୍ରେସ ଭବନରେ ପୂର୍ବରୁ ପ୍ରସ୍ତୁତ ଥିବା ବେଦିରେ ବାହାଘର କରାଯାଇଥିଲା। ବାହାଘରରେ ମୁଖ୍ୟମନ୍ତ୍ରୀଙ୍କ ମୁଖା ପିନ୍ଧା ବ୍ୟକ୍ତି କନ୍ୟା ପିତା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ମୁଖା ପିନ୍ଧା ବ୍ୟକ୍ତି ବର ପିତା ହୋଇଥିଲେ। ଗୌରାଙ୍ଗ ତ୍ରିପାଠୀଙ୍କ ମନ୍ତ୍ର ଧ୍ୱନିରେ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା।ଏହି ସମୟରେ କଂଗ୍ରେସ କର୍ମୀ ମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ନଗର ସଭାପତି ରାଜେନ୍ଦ୍ର ମହାନ୍ତି,ବ୍ଲକ ସଭାପତି ଶ୍ରୀକାନ୍ତ ଜେନା, ନିର୍ବାଚନ ମଣ୍ଡଳୀ ଯୁବନେତା ସୁବ୍ରତ ଧଡ଼ା,ରାଜେଶ ମହାପାତ୍ର, ଅଭିଳାଷ ବାରିକ, ଲଲାଟେନ୍ଦୁ ପଣ୍ଡା, ରଜନୀକାନ୍ତ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ସହର ବାସୀ ଓ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। ୨୫ ବର୍ଷ ଧରି ଉଭୟ ବିଜେପି ଏବଂ ବିଜେଡି ଦଳ ମଧ୍ୟରେ ଥିବା ଚୋରା ପୀରତି ଏବେ ଧରା ପଡିବା ଉଭୟଙ୍କୁ ଧରି ଏହି ବାହାଘର କରାଯାଇଥିବା କଥା ଉପସ୍ଥିତ ନେତା ମାନେ ମତବ୍ୟକ୍ତ କରିଛନ୍ତି।