ସୋର,୨/୧ : ଗତକାଲି ଠାରୁ ନିଖୋଜ ଥିବା ଶିଶୁପୁତ୍ରର ମୃତ ଦେହ ଘର ନିକଟସ୍ଥ ଏକ ଗାଡ଼ିଆରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନ ସମୟରେ ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ସାଦମାପୁର ଗ୍ରାମର ମୋହନ ସାହୁଙ୍କ ଅଢେ଼ଇ ବର୍ଷର ଶିଶୁ ପୁତ୍ର ଶୁଭମ ଭଉଣୀ ସହ ଖେଳୁଥିଲା । ଶୁଭମର ଭଉଣୀ ଶୌଚ ହେବାକୁ ଯାଇ ଫେରିବା ପରେ ଶୁଭମକୁ ଦେଖିବାକୁ ନପାଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶୁଭମକୁ ନପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିକଟସ୍ଥ ଗଡ଼ିଆ ଓ ପୋଖରୀରେ ଖୋଜାଖୋଜି କରି ନିରାଶ ହେବା ପରେ ସନ୍ଧାନୀ କୁକୁରକୁ ଡାକିଥିଲେ। ସନ୍ଧାନୀ କୁକୁର ସୋର ରେଳ ଷ୍ଟେସନକୁ ଯିବାରୁ ଶୁଭମକୁ କେହି ଅପହରଣ କରିଥିବା ସନ୍ଦେହ କରାଯାଇଥିଲା। କିନ୍ତୁ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ପାଇ ନ ଥିଲେ। ମାତ୍ର ଆଜି ସକାଳେ ଘର ନିକଟରେ ଥିବା ପୋଖରୀରେ ମଟର ଲଗାଇ ପାଣି ଶୁଖାଯାଇଥିଲା। ସୋର ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଏବଂ ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ପହଞ୍ଚି ଅନ୍ୟ ଦୁଇଟି ପୋଖରୀରେ ଖୋଜାଖୋଜି କରିବା ପରେ ଏକ ଛୋଟ ଗାଡିଆରୁ ଶୁଭମର ମୃତ ଦେହକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ। ଶୁଭମର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ତାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ଅଗ୍ନିଶମ କର୍ମଚାରୀ ମାନେ ଶୁଭମର ଶବକୁ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ପୁଲିସ ୧/୨୪ ରେ ଏକ ମାମଲା ରୁଜ୍ଜୁ କରି ମେଡ଼ିକାଲରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।