ସାଲେପୁର : ସାଲେପୁର ଅଞ୍ଚଳରେ କିଛିଦିନ ହେବ ନିୟମିତ କେତେକ ଅସାଧୁ ବ୍ୟବସାୟୀ ଓ ଗାଡ଼ି ମାଲିକମାନେ ବେଆଇନ୍ ଭାବେ ସାଲେପୁର ଓ ଏହାର ଆଖପାଖ ଅଞ୍ଚଳକୁ ବାଲି, ମେଟାଲ, ମୋହରମ୍ ଓ ପଥର ଆଦି ଚାଲାଣ କରୁଥିବାର ସାଲେପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ ହେଲାପରେ ଗତକାଲି ରାତିରେ ସାଲେପୁର ତହସିଲଦାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ୍ ଟିମ୍ ପାଗା-ସାଲେପୁର ରାସ୍ତା ମଧ୍ୟରେ ବେଆଇନ୍ ଭାବେ ବାଲି ଓ ଚିପ୍ସ ବୋଝେଇ ୪ଟି ହାଇୱାକୁ ଜବତ କରିବା ସହ ସେମାନଙ୍କ ନିକଟରୁ ୭୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।
ସାଲେପୁର ଅଞ୍ଚଳ ଦେଇ ନିୟମିତ ବେଆଇନ୍ ଭାବେ ବ୍ୟାପକ ପରିମାଣରେ ବାଲି, ଗୋଡ଼ି, ମେଟାଲ ଓ ପଥର ଆଦି ଚାଲାଣ କରାଯାଉଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଏହି ବେଆଇନ୍ କାର୍ଯ୍ୟକୁ ରୋକିବାପାଇଁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପରିକି ବେଆଇନ୍ ଭାବେ ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ଚାଲାଣ କରୁଥିବା ଗାଡ଼ି ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ ।