Odisha news

ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ପ୍ରସୂତି ବିଭାଗ ଡାକ୍ତର ପଦବୀ ଖାଲି ପଡିଥିବାରୁ ଏହାର ସୁଯୋଗ ନେଉଛନ୍ତି ବେସରକାରୀ ନର୍ସିଂହୋମ୍

0

ସାଲେପୁର : ଦୀର୍ଘଦିନ ହେବ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାଗ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଏହାର ସୁଯୋଗ ନେଉଛନ୍ତି ସାଲେପୁର ଅଞ୍ଚଳର କେତେକ ଘରୋଇ ନର୍ସିଂହୋମ୍ । ବହୁ ଦୂରଦୂରାନ୍ତରରୁ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବାପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବାବେଳେ ସେଠାରେ ଡାକ୍ତର ନଥିବାରୁ ରୋଗୀର ସଂପର୍କୀୟମାନେ ବାଧ୍ୟ ହୋଇ ସାଲେପୁରରେ ଥିବା ଏହି ନର୍ସିଂହୋମ୍ମାନଙ୍କୁ ପ୍ରସବ କରାଇବାପାଇଁ ଗର୍ଭବତୀ ମହିଳାମାନଙ୍କୁ ଆଣୁଛନ୍ତି । ଫଳରେ କେତେକ ଘରୋଇ ନର୍ସିଂହୋମ୍ ମାଲିକମାନେ ଚିକିତ୍ସାର ବିଭିନ୍ନ ଆଳ ଦେଖାଇ ଏହି ରୋଗୀମାନଙ୍କ ସଂପର୍କୀୟଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରୁଛନ୍ତି ।

ଏଠାରେ ଚାଲିଥିବା ବହୁ ବେସରକାରୀ କ୍ଲିନିକ୍ରେ ନିୟମ ଅନୁଯାୟୀ ୨୪ଘଣ୍ଟିଆ ଡାକ୍ତର ଓ ଅସ୍ଥାୟୀ ଡାକ୍ତର ନିୟମିତ ରହୁନଥିବାରୁ ଅନଭିଜ୍ଞ ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ପ୍ରସବ କରାଯାଉଛି । ଫଳରେ ଅଧିକାଂଶ ସମୟରେ ବହୁ ଗର୍ଭବତୀ ମୃତୁ୍ୟମୁଖରେ ପଡୁଥିବାବେଳେ ନବଜାତ ଶିଶୁ ମଧ୍ୟ ମୃତୁ୍ୟମୁଖରେ ପଡୁଛନ୍ତି । ସାଲେପୁର ସହର ଉପକଣ୍ଠରେ ଥିବା ଏକ ନିର୍ଦ୍ଦିଷ୍ଟ ଘରୋଇ ନର୍ସିଂହୋମ୍ ମାଲିକ ଯେଉଁ ତଥ୍ୟ ଦେଇ ସରକାରଙ୍କ ଠାରୁ ଅନୁମତି ପାଇଛନ୍ତି, ସେହି ତଥ୍ୟ ଅନୁଯାୟୀ ଏଠାରେ ଡାକ୍ତର ରହୁନାହାଁନ୍ତି । ନିଜ କ୍ଲିନିକ୍ରେ ୨୪ଘଣ୍ଟିଆ ସେବା ପାଇଁ ଯେଉଁ ଡାକ୍ତରମାନଙ୍କୁ ଏଠାରେ ନିଯୁକ୍ତି ଥିବା ଦର୍ଶାଯାଇ ଅନୁମତି ପାଇଛନ୍ତି, ସେ ଡାକ୍ତରମାନେ ଅନ୍ୟ ସ୍ଥାନରେ ଡୁ୍ୟଟି କରୁଥିବାର ଜଣାଯାଇଛି । ଫଳରେ ନାମୀ ଦାମୀ ଡାକ୍ତରଙ୍କ ନାମ ନିଜ ସୂଚନା ଫଳକରେ ମାରି ଅନଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏଠାରେ ଚିକିତ୍ସା କରାଯାଉଛି । ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ନପାଇ ମୃତୁ୍ୟମୁଖରେ ପଡୁଥିବାର ଅଭିଯୋଗ ହେଉଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave A Reply