ସାକ୍ଷୀଗୋପାଳ ତା ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ନହଳା ଛକ ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ମୃତ୍ୟୁ ବରଣ କରିଛନ୍ତି l ଜଣେ ଶିକ୍ଷୟିତ୍ରୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି l ଅଳଗୁମରୁ ସାକ୍ଷୀଗୋପାଳ ଆସୁଥିବା OD 13 F 3966 ନମ୍ବର ଯାତ୍ରୀବାହୀ ଅଟୋ ଓ ସାକ୍ଷୀଗୋପାଳରୁ ଅଳଗୁମ ଯାଉଥିବା OD 13 M 8356 ନମ୍ବର ଡାଲା ଅଟୋ ମୁଁହାମୁହିଁ ଧକ୍କା ହୋଇଥିଲା l
ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଅଳଗୁମ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଭାସିନୀ ପ୍ରଧାନ (54) ଙ୍କର ମୃତ୍ୟୁ ଘଟିଥିଲା l ମଧୁବନ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଷମା ରାଣୀ ସ୍ୱାଇଁ (58), ସୁଦର୍ଶନ ସାଥୁଆ( 45) ବସନ୍ତ ମାଳ, କମଳାକାନ୍ତ ମହାପାତ୍ର( 54) ବସନ୍ତ ମାଳ, ଗୁଣନିଧି ବରାଳ( 41) ଲଳିତା ବରାଳ (49) ଓ ସସ୍ମିତା ପାଲ (26) ପ୍ରମୁଖ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଜନସାଧାରଣ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀ ସ୍ଥାନାନ୍ତର କରା ଯାଇଅଛି l ସତ୍ୟବାଦୀ ପୋଲିସ ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ଜବତ କରି ଏକ ମୋକଦ୍ଦମା ରୁଜୁ କରିଛନ୍ତି l ତଦନ୍ତ ଚାଲିଅଛି l