ପ୍ରଫେସର ଡାକ୍ତର ରବିନ୍ଦ୍ର ନାଥ ସାହୁ , ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ : ଯାନ ଜନିତ ଦୁର୍ଘଟଣା ଏକ ସାଧାରଣ ସମସ୍ୟା । ଦିନକୁ ଦିନ ଗାଡି ସଂଖ୍ୟା ବଢି ବଢି ଚାଲିଚି,ଦୁର୍ଘଟଣା ବି ବଢି ବଢି ଚାଲିଚି । WHO ର ଗଣନା ଅନୁଯାୟୀ ବାର୍ଷିକ 1.35 ମିଲିୟନ ଲୋକଏଥିରେ ମୃତ୍ୟୁ ବରଣ କରିଥାନ୍ତି। 25 ରୁ 50 ମିଲିୟନ ଲୋକ ଦୁର୍ଘଟଣା ର ସମ୍ମୁଖୀନ ହୋଇଥାନ୍ତି । ଏହି ଦୁର୍ଘଟଣା ର ସଂଖ୍ୟା ଧନୀ ଦେଶ ରେ ଅପେକ୍ଷାକୃତ କମ୍ ।
ଶତକଡା 90 ଭାଗ ଦୁର୍ଘଟଣା ଗରିବ, ଅଳ୍ପ ଉନ୍ନତ ଦେଶ ମାନଙ୍କରେ ଦେଖାଯାଏ । ମୃତ୍ୟୁ ସଂଖ୍ୟା ଏଇ ଦେଶମାନଙ୍କ ରେ ଅଧିକ । ପ୍ରାୟ ଶତକଡା 85 ଭାଗ ।
ଦୁର୍ଘଟଣା ଶରୀର ର କୌଣସି ନିର୍ଦ୍ଧିଷ୍ଟ ଜାଗା କିମ୍ବା ଏକରୁ ଅଧିକ ଜାଗା ରେ ଏହାର ପ୍ରଭାବ ପଡିଥାଏ । ବାଇକ୍ ର ଅଧିକ ପ୍ରଚଳନ ଯୋଗୁ ମଥାରେ ଆଘାତ ଲାଗିବା ଏକ ସାଧାରଣ ସମସ୍ୟା । ମସ୍ଥିଷ୍କ ଆଘାତ ସମସ୍ୟା ଏକ ସାଂଘତିକ ସମସ୍ୟା । ଏଥିରେ ବହୁତ ଲୋକେ ମୃତ୍ୟୁ ମୁଖରେ ପଡିଥାନ୍ତି । ଯେଉଁମାନେ ଆରୋଗ୍ୟ ଲାଭ କରନ୍ତି , ବହୁତ ଅସମର୍ଥ ଅବସ୍ଥାରେ ଦିନ କାଟନ୍ତି ।
ବହୁତ ଲୋକଙ୍କୁ ପାରାଲିସିସ୍ ହୋଇଯାଏ ।ବହୁତଲୋକ ସ୍ମରଣ ଶକ୍ତି ହରାଇ ଥାନ୍ତି।ବହୁତଲୋକ ଅପସ୍ମାର ରୋଗ ରେ ପୀଡିତ ହୁଅନ୍ତି । ସୁସ୍ଥ ହୋଇବି ବହୁତ ଲୋକମାନଙ୍କୁ wheel chair ର ବ୍ୟବହାର କରିବାକୁ ପଡିଥାଏ । ଦୁର୍ଘଟଣାର ପରିମାଣ କମ୍ ଥିଲେ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଏ ।
ଆଉ ଗୋଟିଏ ସମସ୍ୟା ମେରୁଦଣ୍ଡ ରେ ଆଘାତ ଲାଗିବା । ଏହା ଦ୍ଵାରା ଗୋଡରେ ଦୁର୍ବଳତା ଆସେ । ବେକରେ ଆଘାତ ଲାଗିଥିଲେ ଗୋଡ ହାତ ଅଚଳ ହୋଇଯାଏ । ସ୍ପର୍ଶ ଶକ୍ତି ଚାଲିଯାଏ । ଝାଡା ପରିସ୍ରା ବନ୍ଦ ହୋଇଯାଏ। ଭାବନ୍ତୁ ଏହି ସମସ୍ୟା କେତେ ସାଙ୍ଘାତିକ । ରୋଗୀର ପ୍ରଶ୍ନ “ମୁଁ ଭଲହୋଇପାରିବି ତ ?” । ଡାକ୍ତରଙ୍କ ଉତ୍ତର “ଆଶା ଅଛି “। କିନ୍ତୁ ସମ୍ପୁର୍ଣ ଭଲ ହେବା ଆଶା କମ୍ । ଏହି ସମସ୍ୟା ରେ ହୁଏତ ରୋଗୀ ଆରୋଗ୍ୟ ଲାଭ କରି ଅକର୍ମଣ୍ୟ ହୋଇ ଯାଆନ୍ତି ।
ବେକରେ ମାଡ ହେବାଦ୍ବାରା ହାତର ଶିର ଛିଡିଯାଏ । ଏହାଦ୍ବାରା ହାତଟା ଅକାମୀ ହୋଇଯାଏ । ଏହିସମସ୍ୟା ଗୁଡିକ ରୋଗୀକୁ ଯେତିକି ଯନ୍ତ୍ରଣା ଦିଏ ବେଶି ଯନ୍ତ୍ରଣା ଦିଏ ପରିବାର ଲୋକଙ୍କୁ । ରୋଗୀର ସେବା କରି କରି ହାଲିଆ ହୋଇପଡନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ , ଡାକ୍ତର ଓ ଔଷଧ ଖର୍ଚ୍ଚ ପରିମାଣ ଏତେ ହୋଇଥାଏ ଯାହା ଯୋଗାଡ କରିବା ବହୁତ ଲୋକଙ୍କ ପାଖରେ ସମ୍ଭବ ହୁଏ ନାହଁ ।
ଏଣୁ ଏହି ସବୁ ସମସ୍ୟା ପାଇଁ ପ୍ରତିକାର ବ୍ୟବସ୍ଥା ର ଆବଶ୍ୟକତା ରହିଅଛି ।
ପ୍ରତିଷେଧକ ବ୍ୟବସ୍ଥା********
(1) ଦୁର୍ଘଟଣା ରେ ବେଶୀ ମୃତ୍ୟୁ ମୁଖରେ ପଡନ୍ତି ବୃଦ୍ଧ ଓ ଛୋଟପିଲା ।ବାର୍ଦ୍ଧକ୍ୟ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ରାସ୍ତା ପାର ହେବାରେ ବ୍ୟତିକ୍ରମ ଦେଖଯାଏ। ଯାହାଫଳରେ ଦୁର୍ଘଟଣା ଘଟିଥାଏ । ଛୋଟ ପିଲାମାନେ ରାସ୍ତା ରେ ବେପରୁଆ ଗାଡି ଚଳାଇବା ,ଖେଳିବା ଇତ୍ୟାଦି ଦେଖାଯାଏ । ଏଣୁ ଦୁର୍ଘଟଣାର ସମ୍ଭାବନା ଅଧିକ।
(2) ଗୃହପାଳିତ ପଶୁ ରାସ୍ତା ରେ ଅଧିକାଂଶ ସମୟରେ ଦେଖିବାକୁ ପାଇବେ । ହଠାତ୍ ରାସ୍ତାର ଗୋଟିଏ ପାର୍ଶ୍ଵ ରୁ ଆଉ ଗୋଟିଏ ପାର୍ଶ୍ଵକୁ ଚାଲିଯିବା ଦ୍ଵାରା ଦୁର୍ଘଟଣା ଘଟିଥାଏ । ଘୃହପାଳିତ ପଶୁଙ୍କୁ ରାସ୍ତାକୁ ଛାଡନ୍ତୁ ନାହିଁ ।
(3) ଗାଡି ଚଳାଇବା ବେଳେ ପ୍ରାୟତଃ ଦୁର୍ବିପାକ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଥା ବନ୍ୟା,ତୋଫାନ୍,ଭୂମିକମ୍ପ, ରାସ୍ତାଉପରେ ମୃତ୍ତିକା ସ୍ଖଳନ ଇତ୍ୟାଦି ।
(4) ମୂଷଳ ଧାରା ରେ ବର୍ଷା ,କୁହୁଡି, ବରଫପାତ ଅଧିକ ଥିଲେ ଗାଡିଚାଳକ ରାସ୍ତାକୁ ଠିକ ଭାବରେ ଦେଖି ପାରନ୍ତି ନାହିଁ । ତେଣୁ ଦୁର୍ଘଟଣା ସମ୍ଭାବନା ଅଧିକ । ତେଣୁ ଏହି ସମୟରେ ଗାଡି ନ ଚଳାଇବା ଉଚିତ୍ । ଯଦି ନିହାତି ଦରକାର ଅଛି ଯିବା ପାଇଁ ତେବେ ଧୀର ଗତିରେ ବହୁତ ଯତ୍ନ ର ସହିତ ଯିବା ଉଚିତ ।
(5) ବାଇକ୍ ରେ ଗଲେ ହେଲମେଟ୍ ଲଗାଇବା ଉଚିତ । ଏହା ଶତକଡା 71ଭାଗ କ୍ଷେତ୍ର ରେ ଆମକୁ ନିରାପଦ ରଖେ । ଦୁର୍ଘଟଣା ର ମୃତ୍ୟୁ ସଂଖ୍ୟା ଟି ବହୁତ ହ୍ରାସ ପାଇଥାଏ ।
(6) ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ୍ ଲଗାଇବା ଉଚିତ୍ । ଦୁର୍ଘଟଣା ଗ୍ରସ୍ତ ହେଲେ ବି ଶତକଡା 40ରୁ 50 ମୃତ୍ୟୁକୁ ଏଡାଇ ପାରିବା ।
(7) ବେଶୀ ବେଗରେ ଗାଡି ଚଳାଇବା ହେତୁ ଦୁର୍ଘଟଣା ହେବା ର ସମ୍ଭାବନା ବେଶୀ ଥାଏ । ଗାଡି ଚଳାଇବା ବେଳେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଆଜିକାଲି ଗାଡି ରେ ଅଧିକ ବେଗ ଥିଲେ ସତର୍କ କରାଇବା ବ୍ୟବସ୍ଥା ରହିଅଛି । ଅଧିକ ବେଗରେ ଗଲେ ଏହା ସତର୍କ କରିଦିଏ ।
(8) ମଦ ପିଇ କିମ୍ବା ଅନ୍ୟାନ୍ୟ ନିଶା ଖାଇ ଗାଡି ଚଳାଇବା ବିପଦ ଜନକ । ଏଥିରୁ ବିରତ ହେବା ଉଚିତ୍ । ମଦ ର ପରିମାଣ ରକ୍ତ ରେ 0.05 ଗ୍ରାମ୍ ରୁ ଅଧିକ ହେଲେ ଗାଡି ଚଳାଇବା ଅନୁଚିତ୍ ।
(9) ବିଭିନ୍ନ ପ୍ରକାରର ଶାରୀରିକ ଅସୁସ୍ଥତା ଯଥା ଦେଖିବା ,ଶୁଣିବା , ମାନଷିକ ଚାପଗ୍ରସ୍ତ ,ଅପସ୍ମାର ରୋଗୀ ଗାଡି ଚଳାଇଲା ବେଳେ ଦୁର୍ଘଟଣା ର ସମ୍ଭାବନା ଅଧିକ ।
(10) ଗାଡି ର ସୁରକ୍ଷା ନିହାତି ଆବଶ୍ୟକ । ପୁରୁଣା ଗାଡି ଅଧିକ ଦୁର୍ଘଟଣା ଘଟାଇ ଥାନ୍ତି ।ତେଣୁ ଠିକ୍ ସମୟରେ ପରୀକ୍ଷା କରାଇ ନେବା ଉଚିତ୍ ।
(11)ରାସ୍ତାର ଅବସ୍ଥା ନେଇ ଗାଡି ଚଳାଇବା ଉଚିଚ୍ ।ବହୁତ କ୍ଷେତ୍ର ରେ ରାସ୍ତା ଖରାପ ଥିଲେ ଅଧିକ ଦୁର୍ଘଟଣା ହୋଇଥାଏ । ତେଣୁ ଚାଳକ ବହୁତ ଯତ୍ନ ସହିତ ଗାଡି ଚଳାଇବା ଉଚିତ ।
(12) ଗାଡି ଚଳାଇବା ସମୟରେ ଟ୍ରାଫିକ୍ ଲାଇଟ୍ ପ୍ରତି ଧ୍ୟାନ ଦେବା ଉଚିତ୍ । ଲାଲ୍ ବତୀ ଥିବା ବେଳେ ଟ୍ରାଫିକ ପାର ହେବା ଅନୁଚିତ୍ । ନ ହେଲେ ଦୁର୍ଘଟଣା ଘଟିପାରେ ।
(13) ରାସ୍ତାପାରି ହେବା ସମୟ ରେ ପଥଚାଳକ ସବୁଜ ଆଲୁଅ ଦେଖି ପାର ହେବା ଉଚିତ୍ । ନ ହେଲେ ଗାଡିଧକ୍କା ହେବାର ସମ୍ଭାବନା ଅଧିକ ।
ଶେଷ ବକ୍ତବ୍ୟ*******
ଦୁର୍ଘଟଣାକୁ ବହୁତ ପରିମାଣରେ କମାଇ ପାରିବା ଯଦି ଉପରୋକ୍ତ କଥା ଗୁଡିକ ପ୍ରତି ଧ୍ୟାନ ଦେବା । ଏହା ଦ୍ଵାରା ଦୁର୍ଘଟଣା ଜନିତ ମୃତ୍ୟୁ କୁ ହଟାଇ ପାରିବା ଏବଂ ଅଦରକାରୀ ଖର୍ଚ୍ଚ ରୁ ନିଜକୁ ବଞାଇ ପାରିବା ।