ଜାହନି (ହଙ୍ଗେରି): ଗୁରୁବାର ଦିନ ରୁଷ୍ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରି ଆକ୍ରମଣ ଆରମ୍ଭ କରିବା ପରେ ୟୁକ୍ରେନ୍ରୁ ହଙ୍ଗେରି ଅଭିମୁଖେ କାର୍ଗୁଡ଼ିକର ସୁଅ ଛୁଟିଥିଲା। ସେଥିରେ ସ୍ବଦେଶ ଛାଡ଼ି ପଳାଇ ଯାଉଥିଲେ ଅସୁମାରି ୟୁକ୍ରେନବାସୀ। ଆଉ କେତେକ ୟୁକ୍ରେନୀୟ ମଧ୍ୟ ଚାଲି ଚାଲି ହଙ୍ଗେରିକୁ ଆସୁଥିଲେ।
ଗୁରୁବାର ଦିନ ପଶ୍ଚିମ ୟୁକ୍ରେନୀୟ ଅଞ୍ଚଳ ତ୍ରାନ୍ସ୍କାର୍ପାଥିଆରୁ ଯାଇ ହଙ୍ଗେରିରେ ପହଞ୍ଚିଥିବା ଅନ୍ୟତମ ପ୍ରଥମ ଶରଣାର୍ଥୀ କ୍ରିଷ୍ଟିଆନ୍ ଜାଭ୍ଲା କହିଛନ୍ତି, ଯାହା ପକ୍ଷରେ ସମ୍ଭବ ହେଉଛି, ସେ ଦେଶ ଛାଡ଼ି ଚାଲି ଆସୁଛି। ସୂଚନାଯୋଗ୍ୟ, ତ୍ରାନ୍ସ୍କାର୍ପାଥିଆରେ ବହୁସଂଖ୍ୟକ ହଙ୍ଗେରୀୟ ସଂଖ୍ୟାଲଘୁ ବସବାସ କରନ୍ତି।
୨୮ ବର୍ଷିୟ କ୍ରିଷ୍ଟିଆନ୍ ଜାଭ୍ଲା ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ୍ର ପୂର୍ବଭାବ ପାର୍ବତ୍ୟ ଅଞ୍ଚଳରେ ଲୋକେ ଯେଉଁ ଅବସ୍ଥା ଭୋଗୁଛନ୍ତି ଆମେ ସେ ପରିସ୍ଥିତିରେ ପଡ଼ିବାକୁ ଚାହୁଁନାହୁଁ। ସେଠାରେ ସାଇରନ୍ ଶବ୍ଦରେ ଲୋକମାନଙ୍କ ରାତି ପାହୁଛି ଏବଂ ରୁଷୀୟମାନେ ତାଙ୍କ ଉପରେ ବୋମା ବୃଷ୍ଟି କରୁଛନ୍ତି।
ସୂଚନାଯୋଗ୍ୟ, ତ୍ରାନ୍ସ୍କାର୍ପାଥିଆ ତ୍ରାନ୍ସ୍କାର୍ପାଥୀୟ ପର୍ବତଶ୍ରେଣୀ ଯୋଗୁଁ ୟୁକ୍ରେନ୍ର ଅବଶିଷ୍ଟ ଅଞ୍ଚଳରୁ ଏକ ପ୍ରକାର ବିଚ୍ଛିନ୍ନ କରି ରଖିଛି। ସେଠାରେ ବସବାସ କରୁଛନ୍ତି ୧୩୦,୦୦୦ ମୂଳ ୟୁକ୍ରେନୀୟ ସମ୍ପ୍ରଦାୟ।
ଏହାଛଡ଼ା, ଏବେ ପେଟ୍ରୋଲ୍ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିବାନ୍ଧି ଅପେକ୍ଷା କରିଛନ୍ତି। ବ୍ୟାଙ୍କ୍ ଏଟିଏମ୍ ମଧ୍ୟ ଖାଲି ହୋଇଯାଇଛି। ଲୋକେ ଆବଶ୍ୟକ ଠାରୁ ଅଧିକ ସାମଗ୍ରୀ ଖରିଦ କରି ପକାଉଥିବାରୁ ଦୋକାନରୁ ମାଲ୍ପତ୍ର ଶେଷ ହୋଇଗଲାଣି। ମୋର ପତ୍ନୀ ଓ ଛୁଆ ଝିଅଟିଏ ଅଛି। ମୁଁ ଚାହେଁନା ସେମାନେ ଶତ୍ରୁ କବଳରେ ପଡ଼ନ୍ତୁ। ତେଣୁ, ଅସ୍ଥାୟୀ ଭାବେ କିଛି ଦିନ ପୂର୍ବ ହଙ୍ଗେରିରେ ରହିବାକୁ ଚାଲି ଆସିଛି।
ଗୁରୁବାର ଦିନ ହଙ୍ଗେରୀୟ ପୁଲିସ ମଧ୍ୟ କହିଛି ଯେ, ୟୁକ୍ରେନ୍କୁ ଲାଗିଥିବା ହଙ୍ଗେରିର ୧୪୦ କିଲୋମିଟର୍ ଦୀର୍ଘ ସୀମାନ୍ତର ୫ଟି ପ୍ରବେଶ ପଥରେ କାର୍ଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିଲା।
ହଙ୍ଗେରୀୟ ‘ଏମ୍ଟିଆଇ ନିଉଜ୍ ଏଜେନ୍ସି’ କହିବା ଅନୁସାରେ, ଗୁରୁବାର ଦିନ ଅନ୍ୟୂନ ୪୦୦ରୁ ୫୦୦ ଲୋକେ ଚାଲି ଚାଲି ହଙ୍ଗେରିରେ ପ୍ରବେଶ କରିଛନ୍ତି।