ରୁଷ୍ର ଆକ୍ରମଣରେ ୟୁକ୍ରେନ ବହୁତ କ୍ଷୟ କ୍ଷତି ; ୟୁକ୍ରେନ ଉପରେ ୨୦୩ କ୍ଷେପଣାସ୍ତ୍ର ମାଡ଼, ସାମରିକ ପ୍ରତିଷ୍ଠାନ ଧ୍ୱସ୍ତ
ମସ୍କୋ : ୟୁକ୍ରେନକୁ ନେଇ ଗତ ୧୪ ବର୍ଷ ଧରି ଲାଗି ରହିଥିବା ବିବାଦ ଆଜି ଭୟଙ୍କର ରୂପ ଧାରଣ କରିଛି। ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନଙ୍କର ସମସ୍ତ ଚେତାବନୀକୁ ଖାତିର ନକରି ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଗୁରୁବାର ସକାଳେ ରୁଷ ରାଷ୍ଟ୍ରପତି ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ବାୟୁସେନା ଓ ନୌସେନା ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ ହୋଇଛି। ସ୍ଥଳ ସେନା ମଧ୍ୟ ବିଭିନ୍ନ ଦିଗରୁ ୟୁକ୍ରେନରେ ପଶି ଅନେକ ଅଞ୍ଚଳ ନିଜ ଦଖଲକୁ ନେଇଯାଛନ୍ତି। ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ରାଜଧାନୀ କିବ୍ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବିସ୍ଫୋରଣରେ ସଂପୃକ୍ତ ଅଞ୍ଚଳ ଥରହର ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ୧୨ ଘଣ୍ଟା ଭିତରେ ରୁଷ ୨୦୩ ଥର କ୍ଷେପଣାସ୍ତ୍ର ମାଡ଼ କଲାଣି। ଏଥିେର ବିଶେଷ କରି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ଏବେ ସୁଦ୍ଧା ୟୁକ୍ରେନର ୭୪ଟି ସାମରିକ ପ୍ରତିଷ୍ଠାନ ଧ୍ୱସ୍ତ ହୋଇଗଲାଣି। ୧୧ଟି ବିମାନବନ୍ଦର ମଧ୍ୟ କ୍ଷେପଣାସ୍ତ୍ର ମାଡ଼ରେ ମାଟିରେ ମିଶି ଯାଇଛି। ୧୮ଟି ରାଡାର ଷ୍ଟେସନ ଏବଂ କ୍ଷେପଣାସ୍ତ୍ର ବିରୋଧୀ ସିଷ୍ଟମକୁ ମଧ୍ୟ ଧ୍ବଂସ କରିଦେଇଛି ରୁଷ। ଆକ୍ରମଣରେ ଶତାଧିକ ଲୋକ ନିହତ ହୋଇଛନ୍ତି। ଏଥିରେ ୟୁକ୍ରେନର ୪୦ ଜଣ ସୈନିକ ଅଛନ୍ତି।
ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଏହାର ସେନା ମଧ୍ୟ ରୁଷର କଡ଼ା ମୁକାବିଲା କରୁଛନ୍ତି। ସେମାନେ ରୁଷର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି। ରୁଷିଆର ୫୦ ଜଣ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି ଯେ ରୁଷ ଆକ୍ରମଣରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ରୁଷ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତେବେ ଏହାର ଏକ ଯୁଦ୍ଧ ବିମାନ ପାଇଲଟଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ବୀକାର କରିଛି।
ୟୁକ୍ରେନ୍ରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ସକାଳୁ ରୁଷ୍ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଥିଲା। ରାଜଧାନୀ କିବ୍ ସମେତ ପ୍ରମୁଖ ସହରମାନଙ୍କରେ କ୍ଷେପଣାସ୍ତ୍ର ଆକ୍ରମଣ ସହିତ ଘନଘନ ବିସ୍ଫୋରଣ ହେଉଛି।
ପ୍ରାଣ ବିକଳରେ ଲୋକ କିବ୍ ଛାଡ଼ିବାକୁ ଚେଷ୍ଟା କରିଛନ୍ତି। ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ ରୁଷ୍ କେବଳ ପୂର୍ବ ୟୁକ୍ରେନ୍ରେ ଆକ୍ରମଣ କରିନି, ଏହା ଚାରିପଟୁ ଜୋରଦାର ଆକ୍ରମଣ ଚଳାଇଛି। ୟୁକ୍ରେନ୍ ସେନା ମଧ୍ୟ ଆକ୍ରମଣର ଜୋରଦାର ମୁକାବିଲା କରୁଛନ୍ତି। ରୁଷ୍ ଆକ୍ରମଣରେ ୟୁକ୍ରେନ୍ ସୈନିକଙ୍କ ସମେତ ସାଧାରଣ ନାଗରିକମାନେ ନିହତ ହେଉଛନ୍ତି। ଲଢ଼େଇରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ରୁଷ୍ ଦିନକରେ ୨୦୩ ଥର ବିମାନ ଆକ୍ରମଣ କରିଛି ବୋଲି ସେ କହିଛନ୍ତି। ଏହା ଉଭୟ ସାଧାରଣ ଜନବସତି ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୨୦୩ରୁ ଅଧିକ ଆକ୍ରମଣ କରିଛି। ତେବେ ରୁଷ୍ କହିଛି ଯେ ଆମେ କେବଳ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛୁ। କିବ୍ ସ୍ଥିତ ସାମରିକ ବିମାନବନ୍ଦର ଉପରେ ରୁଷ୍ ହେଲିକପ୍ଟର ଆକ୍ରମଣ କରିଛି। ୟୁକ୍ରେନ୍ର ଓଡେଶାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି।
ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଏହା ୟୁକ୍ରେନ୍ର ସାମରିକ ବାୟୁସେନା ଘାଟି ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବସ୍ତ କରିଦେଇଛି। ଇତିମଧ୍ୟରେ ୟୁକ୍ରେନ୍ ସେନା ଦାବି କରୁଛି ଯେ ଏହା ରୁଷ୍ର ୪ଟି ଟ୍ୟାଙ୍କ୍କୁ ପୂର୍ବ ଖାର୍କିଭ ସହରରେ ଧ୍ବଂସ କରିଛି। ଲୁହାଂସ୍କରେ ରୁଷ୍ର ୫୦ ସୈନିକ ନିହତ ହୋଇଛନ୍ତି ଏବଂ ୭ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି। ଅନ୍ୟପକ୍ଷେ ୟୁକ୍ରେନ୍ର ୪୦ ସୈନିକ ନିହତ ହୋଇଛନ୍ତି ଏବଂ ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି। ତେବେ ରୁଷ୍ ୟୁକ୍ରେନ୍ର ଏହି ଦାବିକୁ ଖଣ୍ଡନ କରିଛି ଏବଂ କୌଣସି ବିମାନକୁ ଖସାଇବାରେ ୟୁକ୍ରେନ୍ ସମର୍ଥ ହୋଇନାହିଁ ବୋଲି କହିଛି।
ରାଜଧାନୀ କିବ୍ରେ କ୍ଷେପଣାସ୍ତ୍ର ଆକ୍ରମଣ ହେବାପରେ ବାସିନ୍ଦାମାନେ ଅତ୍ୟନ୍ତ ଭୟଭୀତ ହୋଇ ମେଟ୍ରୋ ଷ୍ଟେସନ୍ରେ ଆଶ୍ରୟ ନେଇଛନ୍ତି । ଲକ୍ଷାଧିକ ଲୋକ କିବ୍ ଛାଡ଼ି ବାହାର ଅଞ୍ଚଳକୁ ପଳାଇଛନ୍ତି। ଭାରତୀୟ ଦୂତାବାସ ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଥିବା ସୂଚନା ମିଳିଛି।