ରାୟଗଡା,୩୧ ।୮(Rabindra Patkhandal) : ଜୀବନ ରେଖା କୁହାଯାଉଥିବା ଏହି ଫ୍ଲାଇଓଭର ଏବେ ବିପଦରେ । ୧ ହଜାରରୁ ଉର୍ଦ୍ଧ ଖାଲ ଖମାମ୍ ଯୋଗୁଁ ଦୁର୍ଘଟଣା ହେଉଛି । ଯେ କୌଣସି ମୁହୁତ୍ୱରେ ଭୁଷୁଡ଼ି ଯାଇ ପାରେ ରାୟଗଡ଼ା ସହର ମଧ୍ୟଭାଗରେ ଥିବା ଫ୍ଲାଇଓଭର । ପ୍ରଶାସନିକର ଇଚ୍ଛା ଶକ୍ତି ଯୋଗୁଁ ପରିଚାଳନା ଗତ ତୃଟି ଏବଂ ରକ୍ଷଣା ବେକ୍ଷଣାର ଘୋର ଅଭାବ ରହିଥିବାରୁ ଏହା ଅକାମି ହୋଇଯିବାର ସମ୍ବାବନା ରହିଛି । ଅଭିଜ୍ଞ ଅବସରପ୍ରାପ୍ତ ଯନ୍ତ୍ରୀ କହିବା ହେଲା ପୋଲର ମାର୍ଗଦର୍ଶୀକା ଅନୁଯାଇ ମରାମତି କରାନଗଲେ ଏହା ଆଉ କ୍ଷୀଣ ଦିନ ପାଇଁ ଲୋକଙ୍କୁ ସେବା ଯୋଗାଇ ପାରିବ ।
ଭଲ ହେଉ ବା ଖରାପ ହେଉ କୌଣସି ଏକ ବିକାଶ ମୂଳକ କାର୍ଯ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ ଯାହାକି ପୁରୁଣା ଏବଂ ନୂଆଁ ରାୟଗଡ଼ା ସହରକୁ ଯୋଡ଼ି ରଖୁଥିବା ଫ୍ଲାଇଓଭରକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାୟଗଡା ସହର ଏକ ବାଣିଜ୍ୟକ କେନ୍ଦ୍ର ହୋଇଥିବା ସହ ଜିଲ୍ଲାରେ ତିନୋଟି ବଡ଼ କାରଖାନା ରହିଥିବା ବେଳେ କାରଖାନାକୁ ଆବଶ୍ୟକ ରହୁଥିବା କଞ୍ଚାମାଲ ଏବଂ କାରଖାନାରୁ ଉତ୍ପାଦ ହେଉଥିବା ସାମଗ୍ରୀ ଗୁଡିକ ବହନ କରିବା ପାଇଁ ଦୈନିକ ଶହ ଶହ ସଂଖ୍ୟକ ଭାରିଯାନ ଏହି ବ୍ରିଜ ଦେଇ ଯାତାୟତ କରୁଛି ।
ଏଥି ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡକୁ ଯୋଗାଯୋଗ କରିବାରେ ବିଶେଷ ଭୂମିକ ଗ୍ରହଣ କରିଆସୁଛି ଫ୍ଲାଇଓଭର । ସଠିକ ଉପାୟରେ ମରାମତି ହେଉନଥିବାରୁ କାମ ସରିବା ୧୫ ଦିନ ପରେ ପୁଣି ଭଙ୍ଗା ଦଦରା ହୋଇଯାଉଛି ଯଦ୍ୱାରା ବାରମ୍ବାର ଦୁର୍ଘଟଣା ହେଉଛି । ଏଥିରେ ଜାତୀୟ ରାଜପଥ ବିଭାଗର ଆନ୍ତରୀକତା ଅଭାବରୁ ବର୍ତ୍ତମାନ ଓଭରବ୍ରିଜ ଉପରେ ଛୋଟ,ବଡ ୧ ହଜାରେରୁ ଉର୍ଦ୍ଧ ଖାଲ ଖମାମ୍ ହୋଇଗଲାଣି । ବିଭାଗ ତରଫରୁ ଗତ ଜୁନ ମାସରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଓଭରବ୍ରିଜର ମରାମତି କାମ ଆରମ୍ଭ କରାଯାଇଥିଲା । ଏହି ମରାମତି ସ୍ଥାୟୀ ନୁହେଁ ବୋଲି ଜଣେ ଅନୁଭୁତିଶିଳ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ କହିବା ଅନୁଯାଇ ବର୍ତ୍ତମାନ ଯେଉଁ କାର୍ଯ୍ୟ କରାଯାଉଛି ତାହା ବୌଶହିକ ଜ୍ଞାନ କୌଶଳରୁ ବାହାରେ । ଯେପରିକି ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ବର୍ତ୍ତମାନ ପିଚୁ ଗୋଡ଼ି ମିସାଇ ଥରକୁ ଥର ପଲସ୍ତର ଦେବା ଦ୍ୱାରା ଏହାର ଓଜନ ବଡ଼ିଯିବ କିନ୍ତୁ ସ୍ଥାୟୀ ରହିବ ନାହିଁ ।
କାରଣ ସିମେଣ୍ଟ ସହ ପିଚୁ ଖାପଖାଇବ ନାହିଁ । ତେବେ ଓଭରବ୍ରିଜର ମୁଖ୍ୟ ଛାତକୁ ସୁରକ୍ଷା ଦେବା ପାଇଁ ଛାତ ଉପରେ ୯ ଏମ.ଏମ ଲୁହା ଛଡ ପକାଯାଇ ୩ ଇଂଚିର ୱେରିଙ୍ଗ କୋଟ ଦିଆଯାଇଥାଏ । ପ୍ରତି ଦିନ ଶହ ଶହ ସଂଖ୍ୟକ ଭାରିଯାନ ଚଳାଚଳ ଯୋଗୁଁ ଧିରେ ଧିରେ ଏହି ୱେରିଙ୍ଗ କୋଟ କ୍ଷତିଗ୍ରସ୍ତ ହୋଇଥାଏ । କିନ୍ତୁ ମୁଖ୍ୟ ସ୍ଲାବକୁ କୌଣସି କ୍ଷତି ପହଞ୍ଚାଇନଥାଏ । ଯଦି ଏହି ୱେରିଙ୍ଗ କୋଟରୁ ଲୁହାଛଡ ଦେଖାଯାଉଥିବା ସ୍ଥାନ ଯାଏଁ ଭଙ୍ଗା ଯାଇ ପୁନର୍ବାର ମରାମତି କରାଯାଏ ତା ହେଲେ କିଛି ବର୍ଷ ପାଇଁ ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଅବସରପ୍ରାପ୍ତ ତକ୍ରକାଳିନ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏ ବିଷୟରେ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି ଦିନେ ଦୁଇ ଦିନ ମଧ୍ୟରେ ବର୍ଷା କମିଲେ ମରାମତି କରାଯିବ ଏବଂ ଏ ବିଷୟରେ ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ ଓଡ଼ିଶାଙ୍କୁ ପୁଣି ଥରେ ସୁପାରିସକରି ଏହାର ସ୍ଥାୟୀ ମରାମତି କରାଯିବ । ପୃଷ୍ଟ ଭୂମିକୁ ଓଲଟାଇଲେ ଏହା କହୁଛି ଯେ ୧୯୯୦ ମସିହାରେ ୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ୫ ବର୍ଷର ନିର୍ମାଣ ପରେ ସମାପ୍ତ ହୋଇଥିଲେ ଓଭର ବ୍ରିଜ ।
ଓଭର ବ୍ରିଜ୍ ନିର୍ମାଣ ନିମନ୍ତେ ରାୟଗଡା ପୂର୍ତ ବିଭାଗ ୭୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ କୋରାପୁଟ ପୂର୍ତ୍ତ ବିଭାଗ ତରଫରୁ ମଧ୍ୟ ୭୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ଟେଣ୍ଡର ଆହ୍ୱାନ କରାଯାଇଥିଲା । ରାୟଗଡା ଏବଂ କୋରାପୁଟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ତଦାରଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥି ସହ ଓଭର ବ୍ରିଜ ମଧ୍ୟ ଭାଗରେ ଥିବା ଦୁଇଟି ପିଲର ଏବଂ ଗୋଟିଏ ଛାତ ନିମନ୍ତେ ୧୫ ଲକ୍ଷ ଟଙ୍କାର ବୟ ବରାଦ କରାଯାଇ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ତରଫରୁ ବିଜ୍ଞପ୍ତି ଆହ୍ୱାନ କରାଯାଇଥିଲା । କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ସହଭାଗିତାରେ ଓଭରବ୍ରିଜ କାମ ୧୯୯୦ ମସିହାରେ ଆରମ୍ଭ ହୋଇ ୧୯୯୫ ମସିହାରେ ସରିଥିଲା । ଏହା ପରଠାରୁ ପୁରୁଣା ରାୟଗଡା ଏବଂ ନୂଆ ରାୟଗଡା ମଧ୍ୟରେ ସଂପର୍କର ସେତୁ ଭାବେ ଛିଡା ହେଲା ଏହି ଫ୍ଲାଇଓଭର ।