ବହୁ ଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ନେଇ ୩ଜଣଙ୍କୁ ଧମକପୂର୍ଣ୍ଣ ଚିଠି, ଆଦିବାସୀ ମହାସଂଘଙ୍କୁ ବଦନାମ କରିବାକୁ ଲେଖାଯାଇଛି : ବସନ୍ତ ଉଲାକା
ରାୟଗଡା ୬/୧୦ : ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ନେଇ ରାୟଗଡ଼ା ବ୍ଲକ କୋତାପେଟା ଗ୍ରାମର ୩ଜଣ ବ୍ୟକ୍ତିଙ୍କୁ ଆଦିବାସୀ ମହାସଂଘ ନାଁରେ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡ଼ିଛି । ଏହି ଚିଠି ଡାକ ବିଭାଗ ମାଧ୍ୟମରେ ସେମାନଙ୍କୁ ମିଳିଥିବା ଜଣାପଡିଛି। ଧମକ ପାଇଥିବା ୩ଜଣ ହେଲେ କୋତାପେଟା ଗ୍ରାମର ରାଜା ମଧୁ ଓରଫ୍ ରାଜା ମାଝି, ମହେଶ ମାଝି ଓ ବାଡ଼ିଙ୍ଗି ଚାଂଟି । ଉକ୍ତ ଚିଠିରେ ସେମାନେ ଆଦିବାସୀ ନେତା ଭାଗିରଥୀଙ୍କୁ ହତ୍ୟାକରି ଝଞ୍ଜାବତୀ ନଦୀରେ ଫିଙ୍ଗି ଦେଇଥିବା ଗାଁର କିଛି ଲୋକ ଜଣାଇଛନ୍ତି ବୋଲି ଉଲେଖ ରହିଛି । ଏଥି ସହିତ ସେମାନେ ଅଂଚଳରେ ଉପଦ୍ରବ କରୁଥିବାରୁ ଗାଁର ବହୁତ ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ତେଣୁ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଉକ୍ତ ଚିଠିରେ ଉଲେଖ ରହିଛି । ତେବେ ଏହି ଚିଠି ନେଇ ଆଦିବାସୀ ମହାସଂଘ କର୍ମକର୍ତାଙ୍କୁ ପଚାରିଲେ ଆମ୍ଭେ ଏଭଳି କୌଣସି ଚିଠି ଲେଖିନାହୁଁ ଏବଂ ଆଦିବାସୀ ମହାସଂଘକୁ ବଦନାମ କରିବା ପାଇଁ ଏଭଳି ଚକ୍ରାନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି ଆଦିବାସୀ ମହାସଂଘର ଆବାହକ ବସନ୍ତ ଉଲାକା ଓ ଅନ୍ୟାନ୍ୟ କର୍ମକର୍ତା । ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ମସିହା ଡିସେମ୍ବର ମାସରେ ମଧ୍ୟ ଥରେ ଏହିଭଳି ଚିଠି ସେମାନଙ୍କୁ ଆସିଥିଲା । ତେବେ ସେହି ସମୟରେ ସେମାନେ ୨୦୨୩ ମସିହା ଜାନୁୟାରି ୧୦ ତାରିଖରେ ଚାନ୍ଦିଲି ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଏହାର କୌଣସି ତଦନ୍ତ ହୋଇନାହିଁ । ତେବେ ବର୍ତମାନ ସେପ୍ଟେମ୍ବର ମାସରେ ପୁଣି ଥରେ ସେହିଭଳି ଧମକପୂର୍ଣ୍ଣ ଚିଠି ଆସିଛି । ଏହି ଚିଠି ଆସିବା ପରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କାରେ ଭୟଭୀତ ହୋଇ ଶୁକ୍ରବାର ଏସପିଙ୍କ କାର୍ଯ୍ଯାଳୟକୁ ଆସି ଏସପି ବିବେକା ନନ୍ଦ ଶର୍ମାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପାତ୍ର ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ସହ ଏନେଇ ତଦନ୍ତ କରାଯିବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଉକ୍ତ ୩ଜଣଙ୍କ ସହିତ ଆଦିବାସୀ ମହାସଂଘର ଆବାହକ ବସନ୍ତ ଉଲାକା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବିଜେଡି ନେତା ଭାଗିରଥି ମାଣ୍ଡାଙ୍ଗିଙ୍କୁ ଆନ୍ଧ୍ରପ୍ରଦେଶ କମ୍ରେଡା ଠାରେ ହାତ ଗୋଡ ବନ୍ଧା ହେବାସହ ଦରପୋଡା ଅବସ୍ଥାରେ ମୃତ ଦେହ ଜବତ ହୋଇଥିଲା। ଏହାକୁ ନେଇ ବହୁବାର ଆଦିବାସୀ ମହାସଂଘ ଆନ୍ଦୋଳନ କରିବା ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇ ତଦନ୍ତ କରିଛି। ବର୍ତ୍ତମାନ ସୁଧା ଏହାର ତଦନ୍ତ ରିପୋର୍ଟ ଲୋକଲୋଚନକୁ ଆସିନାହିଁ ତେଣୁ ବାରମ୍ବାର ଆଦିବାସୀ ମହାସଂଘ ଆନ୍ଦୋଳନ କରିଆସୁଛି।