Odisha news

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିୟମକୁ ବେଖାତିର : ବିଭାଗୀୟ ଯନ୍ତ୍ରୀ ଙ୍କ ଅନୁକମ୍ପାରୁ ମାଲାମାଲ୍ ହେଉଛନ୍ତି ଠିକାଦାର୍

0

ରଣପୁର,……: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଖଣ୍ଡିସି ଠାରୁ ମୟୂରଝାଲିଆ ପର୍ଯ୍ୟନ୍ତ ମୋଟ୍ ରାସ୍ତାର ଦୈର୍ଘ୍ୟ ୫ କିଲୋମିଟର ୧୯୮ ମିଟର। ଉକ୍ତ ରାସ୍ତାକୁ ଉନ୍ନତ ଓ ଓସାରିଆ କରିବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୩ କୋଟି ୮୬ ଲକ୍ଷ ୫୯ ହଜାର ଟଙ୍କା ମୂଲ୍ୟ ବିନିମୟରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ସରିଲା। ୨୦୨୨ ଜାନୁଆରୀ ୧୦ ତାରିଖରେ  ରଣପୁରର ମାନ୍ୟବର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ କର କମଳରେ ଶିଳାନ୍ୟାସ ବି ସରିଲା। ଏପରିକି ସେମାନେ ଜନ ସାଧାରଣଙ୍କ ସ୍ୱାର୍ଥକୁ ଗୁରତ୍ୱ ଉପଲବ୍ଧି କରି କିପରି ଉନ୍ନତ ମାନର କାମହେବା ସହ ନିର୍ଦ୍ଦିଷ୍ଟ ସମୟ ଅବଧି ଭିତରେ ରାସ୍ତାକାମ ସଂପୂର୍ଣ୍ଣ ହେବ ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଏହି ରାସ୍ତାକାମକୁ ନିର୍ମାଣ କରିବା ପାଇଁ ଟେଣ୍ଡର୍ ପାଇଥିବା କଳାହାଣ୍ଡି ଜିଲ୍ଲା କୋକସରା ଥାନା ଇନ୍ଦୁଗାଁ ର ଗୌତମ ଅଗ୍ରୱାଲ୍ ନାମକ କଣ୍ଟ୍ରାକ୍ଟର ଏ ସଂକ୍ରାନ୍ତୀୟ ନିୟମକୁ ବେଖାତିର କରିଚାଲିଲେ। ଚୁକ୍ତି ମୁତାବକ ୨୦୨୨ ଏପ୍ରିଲ୍ ୪ ତାରିଖରୁ ଆରମ୍ଭ କରି  ଡିସେମ୍ବର ୩ ତାରିଖରେ ଶେଷ ହେବାକୁ ଥିବା ଏଇ ରାସ୍ତା କାର୍ଯ୍ୟକୁ ବର୍ଷ ତମାମ୍ କରିଚାଲିଲେ। ମନଇଚ୍ଛା କାମକରିବା ପୂର୍ବକ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ମୋହରା କରି ସୁଯୋଗର ଫାଇଦା ନେଉଥିବା ଅଭିଯୋଗ ମଧ୍ୟ ହେଲା। କିନ୍ତୁ ପ୍ରଶାସନ ଯୋଉ ତିମିରେକୁ ସେଇ ତିମିରେ। ଅଦ୍ୟାବଧି ଉକ୍ତ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ୩ କୋଟି ୮୬ ଲକ୍ଷ ୫୯ ହଜାର ଟଙ୍କା ମୂଲ୍ୟ ବିନିମୟରେ ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟର ଏହି ରାସ୍ତାରେ ୬୫୨ ମିଟର ନୂଆ କଂକ୍ରିଟ୍ ରାସ୍ତା କରାଯିବା ସହ ୯ ଗୋଟି ନୂଆ କଲଭର୍ଟ ନିର୍ମାଣ କରିବା ସର୍ତ୍ତ, ନିୟମାବଳୀକୁ ମାନିଲେ ନାହିଁ। ଦୁର୍ନୀତି କରିଚାଲିଲେ। ଉକ୍ତ ରାସ୍ତାରେ ଆଦୌ ନୂଆ କଲଭର୍ଟ ହୋଇ ନଥିବାବେଳେ ପୁରୁଣା କଲଭର୍ଟ ଉପରେ କଂକ୍ରିଟ୍ ଢାଳି ନୂଆକରି ବିଲ୍ ହେଉଥିବା ଅଭିଯୋଗ ହୋଇଛି। ସେପଟେ ରାସ୍ତା ସଂଲଗ୍ନ ଗାର୍ଡ ଓଆଲ୍ ଓ ଡ୍ରେନ୍ କଥା ନହିବା ଭଲ।ପ୍ରଶସ୍ତିକରଣ କରାଯିବାକୁ ଥିବା ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥିରେ ହସ୍ତକ୍ଷେପ କଲେ। ଘଟଣାସ୍ଥଳକୁ ଯାଇ ତନଖିକରି ରାସ୍ତା ନିର୍ମାଣର ୪ ଦିନ ପରେ ପିଚୁ ଉଠିଯିବା କଥା, ଆଦୌ କଲଭର୍ଟ ନିର୍ମାଣ ହେଇନଥିବା ଖବରନେଇ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଫେରାଦ୍ ହେବାପରେ ଏଥିରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିବା ଅତ୍ୟନ୍ତ ଉଦବେଗଜନକ ଘଟଣା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ସର୍ବସାଧାରଣଙ୍କ ସମ୍ମୁଖରେ ଆଖିରେ ଆଙ୍ଗୁଠି ଗେଞ୍ଜି ଖୁଲୁମ୍ ଖୁଲା ନିମ୍ନମାନର କାମ ହେଉଥିବା ଏବଂ କାମ ସମୟରେ ବିଭାଗୀୟ ବାବୁମାନେ ଉପସ୍ଥିତି ରହୁ ନଥିବା ଅଭିଯୋଗ ନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା ଏଥିରେ ସାମାନ୍ୟତମ ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ଏବେ ଦୁଇଦିନ ତଳେ ଝାଡ଼ପଡା ପଞ୍ଚାୟତର ବୋକାଖାଇ ଠାରେ ଏଇ ରାସ୍ତାର ଦୂରାବସ୍ଥା ଦେଖିବାକୁ ମିଳିଛି। ବୋକାଖାଇ ଠାରୁ କାଞ୍ଚନପୁର ପର୍ଯ୍ୟନ୍ତ ରାସ୍ତା ମଧ୍ୟରେ ଏପରି ତରବରିଆ ଭାବେ କାମହେଉଥିବାର କାର୍ଯ୍ୟ ଦେଖି  ଜନସାଧାରଣ ସ୍ତମ୍ଭିଭୂତ ହେଉଛନ୍ତି। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଭକୁଆ  ବନେଇ ଅଳ୍ପ ସିମେଣ୍ଟ୍ ମିଶା ସ୍ପିନ୍ ବଜୁରୀ,ଚିପ୍ସ ବିଛାଇ ସେଥିରେ ଆଦୌ ପାଣି ନଦେଇ ସଙ୍ଗେସଙ୍ଗେ ପିଚୁ ଫେବର୍ ଢ଼ଳାଯାଉଛି। ଏବଂ ତାହା ଘଣ୍ଟାକ ଭିତରେ ଦବି ଭାଙ୍ଗିଯିବା ଫଳରେ ପିଚୁଫେବର୍ ବୋଝେଇ ଏକ ହାଇୱ। ଦବି ଯାଇ ରାସ୍ତାକଡ଼ ଜନୈକ ବ୍ୟକ୍ତିଙ୍କ ଘର ଓ ଦୋକାନ ଘରକୁ ଢ଼ଳିଯିବା ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି। ଏପରି ସ୍ଥଳେ ସବୁ ଜାଣିଶୁଣି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ବିଭାଗୀୟ ବାବୁଭାୟା ମାନେ ଆଖି ବୁଜିଦେଇଥିବା ଚର୍ଚ୍ଚା ଜୋର୍ ଧରିଛି। ଜନ ସାଧାରଣଙ୍କ ସ୍ୱାର୍ଥକୁ ନଜରରେ ରଖି ଯଦି ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ ହେଉଛି

Leave A Reply