ରମ୍ଭା : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ବେଲପଡା କ୍ଲଷ୍ଟର ଅନ୍ତର୍ଗତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି,ବିଶିଷ୍ଟ ଶିକ୍ଷାବିତ ଡ଼ଃ ବୃନ୍ଦାବନ ମିଶ୍ର ମୁଖ୍ୟ ବକ୍ତା, ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବେହେରା,ରାଜ୍ୟ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ସମ୍ମାନିତ ଅତିଥି,ରାମଗଡ଼ ସମିତି ସଭ୍ୟା ଗୀତାଞ୍ଜଳି ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ରାଜେଶ୍ୱରୀ ସାହୁ,ସରପଞ୍ଚ ପ୍ରତିନିଧି ବିକ୍ରମ ଦାସ, ନାଏବ ସରପଞ୍ଚ ଲିଲି ପଲାଇ,ପାହାଡ଼ ସାମାଜିକ ଅନୁଷ୍ଠାନର ନିର୍ଦେଶକ ପଞ୍ଚାନନ ମିଶ୍ର ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ପ୍ରାଥମିକ ସ୍ତରରେ ଭାଷା ଶିକ୍ଷଣରେ ପଠନ,ଆବୃତ୍ତି, ଲିଖନର ବିଭିନ୍ନ ଦିଗ ଓ ବିଦ୍ୟାଳୟରେ ବୃକ୍ଷରୋପଣ ଉପରେ ଆଲୋକପାତ କରିଥିଲେ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗଳ୍ପ, ପ୍ରବନ୍ଧ,କବିତା ବିଭାଗର ପଠନ,ଲିଖନ ଓ ଆବୃତ୍ତି ଆଦି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।
ଏହି ଶୈକ୍ଷିକ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ଲେଖକ ଡ଼ଃ ବୃନ୍ଦାବନ ମିଶ୍ରଙ୍କୁ ସାହିତ୍ୟ ,ସଂସ୍କୃତି ଏବଂ ସମାଜସେବା ନିମନ୍ତେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।ଚଳିତ ବର୍ଷ ଗଞ୍ଜାମ ବ୍ଲକର ଭାଷା ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିପାଇଁ ଅଭିନବ ଶିଶୁ ଲେଖକ କର୍ମଶାଳାର ସର୍ଜନାତ୍ମକ ସ୍ରଷ୍ଟା ତଥା ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ବେହେରା ଓ ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ରଘୁନାଥପୁର ଅଭିଭାବକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଦୁଇ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ମୁଦୁଲି ଓ ସିଆରସିସି ଦାମୋଦର ପଣ୍ଡା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଗୌତମ ପାତ୍ର ଓ ନରସିଂହ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ଶେଷଦେଵ ବେହେରା ଓ ପ୍ରକୃତିବନ୍ଧୁ ପଞ୍ଚାନନ ଖଟୁଆଙ୍କ ତତ୍ତ୍ୱାବଧାନରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ନିମ,ଅଁଳା,ବେଲ, ପିଜୁଳି,ପଣସ,ଡାଳିମ୍ବ,ଆତ,ଜାମୁକୋଳି ଓ ଅର୍ଜୁନ ଇତ୍ୟାଦି ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।ଏହି ବିଦ୍ୟାଳୟ ସ୍ତରୀୟ ଶିଶୁଲେଖା କର୍ମଶାଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକଙ୍କୁ ମଞ୍ଚାସୀନ ଅତିଥିମାନେ ଗୋଟିଏ ଲେଖାଏଁ ଚାରା ପ୍ରଦାନ କରିଥିଲେ।ଏଥିରେ ପାଲୁର କ୍ଲଷ୍ଟରର ସିଆରସିସି ଦେବହରି ବେହେରା,ପୁଇଁତଳା ସିଆରସିସି ମହେଶ ବେହେରା,ଗ୍ରାମ୍ୟ କମିଟି ସଭାପତି ସୁଦୂରୁ ମହାନ୍ତି,ଅଭିଭାବକ ସଞ୍ଜୟ ତରେଇ ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ,ବାବା ସ୍ବପ୍ନେଶ୍ବର ଯୁବକ ସଂଘ କର୍ମକର୍ତ୍ତା ଓ ପିତୃ ମାତୃ ଅଭିଭାବକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।