ରାଜନଗର ୨୧/୩ : ରାଜନଗର ତାଳଚୁଆ ରାସ୍ତାର ଦିଘି ମଧୁପୁର ନିକଟରେ ଜଣେ ଯୁବକଙ୍କୁ ହାଇୱା ଚାପି ଦେଇଛି। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜ୍ଜନା ଲାଗି ରହିଛି। ଦିନ ପାଖାପାଖି ୧୨ଟା ଠାରୁ ରିପୋର୍ଟ ଲେଖାହେବା ଯାଏଁ ଉତେଜ୍ଜନା ଲାଗି ରହିବା ସହ ସ୍ଥାନୀୟ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି। ଆଜି ଦିନ ପ୍ରାୟ ୧୨ ଘଟିକା ପାଖାପାଖି ସମୟରେ ଈଶ୍ବରପୁର ପଂଚାୟତ ମଧୁପୁର ଗାଁର ମନୋଜ ବେହେରା (୨୮ବର୍ଷ) ଗାଁରୁ ଏକ ସ୍କୁଟି ଯୋଗେ ଦିଘି ବଜାରକୁ ଆସୁଥିଲେ। ଗାଁ ରୁ ମୁଖ୍ୟ ରାସ୍ତାକୁ ସ୍କୁଟି ଉଠାଉଥିବା ସମୟରେ ଡାଙ୍ଗମାଳ ପଟୁ ଦ୍ରୁତଗତିରେ ଆସୁଥିବା ହାଇୱା ମନୋଜଙ୍କ ସ୍କୁଟିକୁ ଧକ୍କା ଦେବା ସହିତ କିଛିବାଟ ଘୋଷାଡି ନେଇଥିଲା। ମନୋଜ ତଳେ ପଡିଯିବା ପରେ ହାଇୱା ପଛଚକା ମନୋଜଙ୍କ ଉପରେ ଚଢିଯିବାରୁ ସେହିଠାରେ ହିଁ ମନୋଜଙ୍କ ମୃତ୍ୟୁ ଘଟିଥିଲା। ସେଠାରୁ ୩୦ ମିଟର ଦୂରରେ ଥିବା ଇଶ୍ବରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମନୋଜଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ ମଧୁପୁର ଗାଁର ବୁଦ୍ଧିରାମ ବେହେରାଙ୍କର ୨ ପୁଅ ଓ ଗୋଟିଏ ଝିଅ। କରୋନା ସମୟରେ ମନୋଜଙ୍କ ବଡ ଭାଇ ପୁନେରେ ପ୍ରାଣ ହରାଇଥିଲେ। ଭାଇର ମୃତ୍ୟୁ ପରେ ତେଲ ଲୁଣର ସଂସାର ଚଳାଇବା ପାଇଁ ମନୋଜ କେରଳରେ ଦାଦନ ଖଟୁଥିଲେ। ଚଳିତମାସ ୧୯ ତାରିଖ ମଙ୍ଗଳବାର ରାତିରେ କେରଳରୁ ଆସି ଘରେ ପହଁଚିଥିଲେ। ପରିବାର ସହ ହସଖୁସିରେ ଦିନ କାଟିବା ପାଇଁ କେରଳରୁ ଆସିଥିବା ମନୋଜ ଗାଁରେ ପହଁଚିବାର କେତେ ଘଂଟା ପରେ ଦୁର୍ଘଟଣାରେ ପ୍ରାଣ ହରାଇବା ଘଟଣା ପରିବାର, ଆତ୍ମୀୟ ସ୍ୱଜନ ଏବଂ ଗାଁ ଲୋକଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୃତ ପରିବାରକୁ ସହାୟତା ଦାବୀ କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା, ରାଜନଗର ଆଇଆଇସି ଅଜୟ କୁମାର ଜେନା, ତାଳଚୁଆ ଆଇଆଇସି ସଶ୍ମିତା ସାହୁ, ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ, ତହସିଲଦାର ଅଜୟ କୁମାର ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଉଲ୍ଲେଖ ଯୋଗ୍ୟ ମୃତ ମନୋଜ ର ଗୋଟିଏ ୮ବର୍ଷର ଝିଅ ଓ ୪ବର୍ଷ ର ଗୋଟିଏ ପୁତ୍ର ସନ୍ତାନ ଥିବା ଲୋକମାନଙ୍କ ଠାରୁ ସୂଚନା ମିଳିଛି।