ରାଜନଗର : ରାଜନଗର ବ୍ଲକ ତାଳଚୁଆ ଗ୍ରାମ ପଞ୍ଚାୟତର ରାଜେନ୍ଦ୍ରନଗର ଗାଁର ଏକ ବନ୍ଦଘରୁ ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ମିଳିବା ଘଟଣାକୁ ୪୮ଘଂଟା ବିତି ଯାଇଥିଲେ ବି ଏଯାଏଁ ଘଟଣାଟି ରହସ୍ୟାବୃତ ହୋଇ ରହିଛି । ସାଇଂଟିଫିକ ଟିମର ତଦନ୍ତ ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସୋମବାର ଆଳିରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଗାଁକୁ ନ ଆଣି କଟକରେ ଶବ ସତ୍କାର କରାଯାଇଥିବା ଜଣାପଡିଛି। ବଂଗୀୟ ରୀତିନୀତି ଅନୁଯାୟୀ ଝୁଲନ୍ତା ଶବରେ ଯିଏ ହାତ ମାରିବ, ତାକୁ ନଣ୍ଡା ହେବା ସହିତ ବିଭିନ୍ନ ରୀତିନୀତି ପାଳନ କରିବାକୁ ପଡିବ । ସେମାନେ ଗରିବଲୋକ ହୋଇଥିବାରୁ ଓ ପରିବାରରେ ଏକମାତ୍ର ପୁଅକୁ ଛାଡିଲେ ଆଉ କେହି ନଥିବାରୁ ଏବଂ ଭାଇମାନେ ମଧ୍ୟ ଗରିବ ହୋଇଥିବାରୁ ପରିବାର ଲୋକଙ୍କ ବାଦେ ଗ୍ରାମବାସୀ ଶବ ସତ୍କାରରେ କାଳେ ସହଯୋଗ ନକରିବେ ସେଥିପାଇଁ ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରିବର୍ତେ କଟକ ନିଆଯାଇ ଶବ ସତ୍କାର କରାଯାଇଛି । ଶ୍ରୀଦାମ ମଣ୍ଡଳ (୫୩ବର୍ଷ)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାରୁ ଏହା ଆତ୍ମହତ୍ୟା ସ୍ପଷ୍ଟ ହୋଇଛି । ବନ୍ଦଘର ଭିତରୁ ଗୋଟିଏ ଘରୁ ପୁଅ ପରିକ୍ଷୀତ (୨୭ ବର୍ଷ) ଓ ଅନ୍ୟଏକ କୋଠରୀରୁ ସ୍ତ୍ରୀ ଜୟନ୍ତୀ (୪୫ବର୍ଷ)ଙ୍କ ମୃତଦେହ ମିଳିଥିଲା । ଦୁଇଜଣଙ୍କ ପାଟିରୁ ଫେଣ ବାହାରୁଥିଲା । ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ପୁଲିସର ପ୍ରାଥମିକ ତଦନ୍ତ କହୁଥିଲେ ମଧ୍ୟ ସେମାନେ କାହିଁକି ବିଷ ପିଇଲେ, ବିଷ ପିଇବା ପଛର ପ୍ରକୃତ କାରଣ କଣ ଏହାକୁ ନେଇ ଏବେବି ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଏ ପରି ଏକ ସମ୍ବେଦନଶୀଳ ଘଟଣା କୁ ନେଇ ଅଞ୍ଚଳରେ ନାନା କଥା ଚର୍ଚ୍ଚା ଆଲୋଚନା ଚାଲିଛି।