ରାଜନଗର : ଲୋକଙ୍କ ଅଜଣାତରେ ତାଙ୍କ ଆଧାରକାର୍ଡକୁ ବ୍ୟବହାର କରି ମୋବାଇଲ ସିମ୍ ଆକ୍ଟିଭ କରି କଳାବଜାରରେ ବିକ୍ରି ହେବା ଘଟଣାରେ ପୁଲିସ ମୋବାଇଲ ଦୋକାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜନଗର ଥାନାରେ କେସ୍ ନଂ ୬୮/୨୦୨୪ ଦଫା ୪୬୫, ୪୬୮, ୪୭୧, ୪୧୯, ୪୨୦ ଆଇପିସିରେ ମାମଲା ରୁଜୁ ହୋଇଛି। ରାଜନଗର ଥାନା ଅ‘ର୍ଗତ ସାନବଡଗୋପାଳପୁର ବଜାର ଉପରେ ଥିବା ରାଉତ ମୋବାଇଲ୍ସର ମାଲିକ ଦୀପକ କୁମାର ରାଉତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେବଳ ଜଣେ ସରକାରୀ କର୍ମଚାରୀଙ୍କ ଆଧାରକାର୍ଡକୁ ନକଲ କରି ଦୀପକ ସିମ କଳାବଜାରୀ କରିଛନ୍ତି ନାଁ ଅନ୍ୟ ସାଧାରଣ ଲୋକେ ଏହି ଠକେଇର ଶିକାର ହୋଇଛନ୍ତି, ସେ ନେଇ ପୁଲିସ ତଦନ୍ତ କୁ ଯୋରଦାର କରିଥିବା ଆଇଆଇସି ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଦୀପକକୁ ପୁଲିସ ବାନ୍ଧିବା ପରେ ସିମ୍ କଳାବଜାରୀ କରୁଥିବା ଅନ୍ୟ ମୋବାଇଲ ଦୋକାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି।
ଏଠାରେ ସୂଚନାଯୋଗ୍ୟ ଯେ ଦିଲ୍ଲୀ ଅଂଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ନେଇ ବର୍ଷେ ତଳୁ ଫେରାର ହୋଇଯାଇଛି। ଚଳିତ ଫେବୃୟାରୀ ମାସରେ ରାଜନଗର ଅଂଚଳର ଜଣେ ଯୁବକଙ୍କ ନାମରେ ଥିବା ମୋବାଇଲ ନମ୍ବରରେ ଫେରାର ଯୁବକ ତାଙ୍କ ଭାଇଙ୍କ ସହ କଥା ହୋଇଥିଲା। ଦିଲ୍ଲୀ ପୁଲିସ ମୋବାଇଲ ନମ୍ବର ଟ୍ରାକ କରି ଏହା ଜାଣିବା ପରେ ରାଜନଗରରେ ପହଁଚି ଏ ନେଇ ଖୋଳତାଡ କରିଥିଲା। ଦିଲ୍ଲୀ ପୁଲିସ ଓ ରାଜନଗର ପୁଲିସର ମିଳିତ ଖୋଳତାଡ ବେଳେ ରାଜନଗର ହାଇସ୍କୁଲର କ୍ଲର୍କ ଚନ୍ଦନ କୁମାର ପାତ୍ରଙ୍କ ଆଧାରରେ ଇସ୍ୟୁ ହୋଇଥିବା ସିମ୍ କାର୍ଡରେ ଯୁବକଜଣଙ୍କ କଥା ହୋଇଥିବା ଜଣାପଡିଥିଲା। ଚନ୍ଦନକୁ ଥାନାକୁ ଡକାଇ ପୁଲିସ ଏ ନେଇ ପଚରାଉଚରା କରିବା ବେଳେ ମୋବାଇଲ ନମ୍ବର- ୮୦୯୩୫୩୫୯୪୦ ସଂପର୍କରେ ସେ ଜାଣିନଥିବା କହିଥିଲେ। ଖୋଳତାଡ ପରେ ଚନ୍ଦନ ଚଳିତମାସ ୧ ତାରିଖ ଦିନ ରାଜନଗର ଥାନା ଅଂଚଳର ସାନବଡଗୋପାଳପୁର ବଜାର ଉପରେ ଥିବା ରାଉତ ମୋବାଇଲ୍ସରୁ ଏୟାରଟେଲ ସିମ ନମ୍ବର ୮୦୯୩୪୫୫୭୬୯ ଆଣିଥିବା କହିଥିଲେ। ସେ ସିମ୍ ପାଇଁ ଯାଇଥିବା ବେଳେ ମୋବାଇଲ ଦୋକାନୀ ତାଙ୍କର ଆଧାରକାର୍ଡ ନେବା ସହ ତାଙ୍କ ଫଟୋ ଉଠାଇଥିଲେ। ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଚନ୍ଦନ ଓଟିପି ଦେବା ପରେ ହେଲାନି କହି ପୁନଃର୍ବ।ର ଫଟୋ ଉଠାଇବା ସହ ଆଉ ଏକ ଓଟିପି ତାଙ୍କ ଠାରୁ ନେଇଥିଲା। ଚନ୍ଦନ ଗୋଟିଏ ସିମକାର୍ଡ ନେଇ ଆସିବା ସହ ସେହିଦିନରୁ ସେହି ନମ୍ବର ବ୍ୟବହାର କରି ଆସୁଛନ୍ତି। ମାତ୍ର ଥରେ ହେଲାନି କହି ଆଉଥରେ ଫଟୋ ଉଠାଇ ଓଟିପି ନେବା ବାହାନାରେ ମୋବାଇଲ ଦୋକାନୀ ଚନ୍ଦନ କୁମାର ପାତ୍ରଙ୍କ ଆଧାରକାର୍ଡକୁ ବ୍ୟବହାର କରି ଆଉ ଏକ ସିମ୍ କାଢି ତାକୁ ଦିଲ୍ଲୀ ଅଂଚଳର ଫେରାର୍ ଯୁବକଙ୍କୁ କଳାବଜାରରେ ବିକ୍ରି କରିଥିବା ଜଣାପଡିଛି। ତାଙ୍କ ନାଁରେ ଠକେଇ ହୋଇଥିବା ଜାଣିବା ପରେ ଚନ୍ଦନ ଗତକାଲି ସଂଧ୍ୟାରେ ଏ ନେଇ ରାଉତ ମୋବାଇଲ୍ସର ମାଲିକ ଦୀପକ କୁମାର ରାଉତଙ୍କ ନାଁରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପଚରାଉଚରା ବେଳେ ଦୀପକ ଏ ନେଇ ସ୍ୱୀକାର କରିବା ପରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।