ରାଜନଗର : ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ବନ୍ୟପ୍ରାଣି ଜୀବଜନ୍ତୁଙ୍କ ପାଇଁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ମୃତ୍ୟୁର ସୌଦାଗର ପାଲଟିଛି । ଏହି ବିରଳ ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ରାଜନଗର ବନବିଭାଗ ପକ୍ଷରୁ ଆଗନ୍ତୁକ ପର୍ଯ୍ୟଟକଙ୍କ ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଜାତୀୟ ଉଦ୍ୟାନ ଭିତରେ ବିକ୍ଷୀପ୍ତ ଭାବେ ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ପଲିଥିନ ଓ ପ୍ଲାଷ୍ଟିକ ବୋତଲ ଯୋଗୁଁ ବନ୍ୟଜୀବଙ୍କ ପାଇଁ ବିପଦ ଦେଖାଦେଉଥିଲା । ଜାତୀୟ ଉଦ୍ୟାନର ନଦୀ ନାଳରେ ପର୍ଯ୍ୟଟକଙ୍କ ଦ୍ୱାରା ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ ଜୀବଜନ୍ତୁମାନେ ଖାଇବା ଦ୍ୱାରା ସେମାନେ ମୃତ୍ୟୁବରଣ କରୁଥିଲେ । ଯାହାକୁ ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ କ୍ରମାଗତ ଭାବେ ଉଦ୍ବେଗ ପ୍ରକାଶ ପାଇଥିଲା । କେବଳ ଜୀବଜନ୍ତୁ ନୁହଁନ୍ତି, ବରଂ ଭିତକନିକାର ଇକୋ ସିଷ୍ଟମ, ବାୟୋ ଡାଇଭରସିଟି ପ୍ରତି ମଧ୍ୟ ବିପଦ ଦେଖା ଦେଇ ଆସୁଛି । ପଲିଥିନ ଓ ପ୍ଲାଷ୍ଟିକ ପାଣି ବୋତଲ ନନେବା ପାଇଁ ପର୍ଯ୍ୟଟକମାନଙ୍କୁ ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସଚେତନ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ଗତ ଅକ୍ଟୋବର ମାସରେ ଭିତରକନିକା ଇକୋ ଟୁରିଜିମ ଆଣ୍ଡ ଇକୋ ଡେଭଲପମେଂଟ ସୋସାଇଟି ବୈଠକରେ ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ଓ ପ୍ଲାଷ୍ଟିକ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ନିଷ୍ପତି ହୋଇଥିଲା । ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶ ପଥ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ଏଂଟ୍ରି ପଏଣ୍ଟ ରେ ଲୋକଙ୍କୁ ସଚେତନ କରାଯିବା ସହ ପ୍ଲାଷ୍ଟିକ ପାଣିବୋତଲ ପିଛା ପର୍ଯ୍ୟଟକଙ୍କ ଠାରୁ ୫୦ ଟଙ୍କା ଲେଖାଏଁ ରଖାଯିବ ଓ ବୋତଲ ଫେରାଇଲେ ଏହି ଅର୍ଥ ଫେରସ୍ତ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଏଥିପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଟୋକନ ପ୍ରସ୍ତୁତ କରାଯାଇଛି । ଆଜି ଠାରୁ ଗୁପ୍ତିରେ ଆରମ୍ଭ ହୋଇଥିବା ଏହି ପକ୍ରିୟାରେ ପର୍ଯ୍ୟଟକମାନେ ବୋଟରେ ଯିବା ପାଇଁ ସେମାନଙ୍କ ଏଣ୍ଟ୍ରି ପରମିଟ କାଟିବା ବେଳେ ସେମାନେ କେତୋଟି ପାଣିବୋତଲ ନେଉଛନ୍ତି, ସେ ନେଇ ତନଖି କରାଯିବା ସହ ପ୍ରତି ବୋତଲ ପିଛା ଗୋଟିଏ ଲେଖାଏଁ ଟୋକନ ଦିଆଯାଇ ୫୦ ଟଙ୍କା ଲେଖାଏଁ ରଖାଯାଉଛି । ପର୍ଯ୍ୟଟକମାନେ ଏହି ପାଣି ବୋତଲକୁ ଫେରିବା ବେଳେ ଗୁପ୍ତିରେ କିମ୍ବା ଅନ୍ୟ ଦୁଇଟି ଏଣ୍ଟ୍ରି ପଏଂଟରେ ଏଣ୍ଟ୍ରି ପରମିଟ କାଗଜ ଦେଖାଇ ବୋତଲ ଓ ଟୋକନ ଫେରାଇଲେ ସେମାନେ ସେମାନଙ୍କ ଟଙ୍କା ଫେରି ପାଇପାରିବାର ବ୍ୟବସ୍ଥା ହୋଇଛି । ଏପରିକି ପ୍ରତ୍ୟେକ ବୋଟରେ ଡଷ୍ଟବିନ ରଖିବାର ବ୍ୟବସ୍ଥା ହୋଇଛି । ପଲିଥିନ ବଦଳରେ କାଗଜ ଓ କପଡା ବ୍ୟାଗ ବ୍ୟବହାର କରିବାକୁ ପର୍ଯ୍ୟଟକମାନଙ୍କୁ ବନ କର୍ମଚାରୀମାନେ ସଚେତନ କରୁଛନ୍ତି । ସମ୍ପୂର୍ଣ୍ଣ ନନ୍ଦନକାନନ ଢାଂଚାରେ ଏହି ବ୍ୟବସ୍ଥା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।