Odisha news

ସଡକ ଦୁର୍ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଶକୁନ୍ତଳା ଆଖି ବୁଜିଲେ।

0
ରାଜନଗର : ୬/୧୧  ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଶକୁନ୍ତଳା ରାଉତଙ୍କ ସୋମବାର ସଂଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଚଳିତମାସ ୧ ତାରିଖ ଦିନ ଟୀକାକରଣ ସାରି ଫେରୁଥିବା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ର ମୃତ୍ୟୁ ଘଟିଛି । ଶକୁନ୍ତଳା ମୃତ୍ୟୁ ଖବର ରାଜନଗର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗୀୟା ରାଉତ ସ୍ୱାସ୍ଥ୍ୟକର୍ମୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରି ବହୁ ପ୍ରଶଂସା ସାଉଁଟିଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତାକୁ ମୂଲ୍ୟାଙ୍କନ କରି ସ୍ୱାସ୍ଥ୍ୟ ବିଭାଗ ପୁରସ୍କୃତ କରିଥିଲେ । ଚଳିତମାସ ୧ ତାରିଖ ଦିନ ଜରିମୂଳ ଅଙ୍ଗନୱାଡୀ ସେଂଟରରେ ଟୀକାଦାନ କରି ଦିନ ପ୍ରାୟ ୨ଟା ବେଳେ ସ୍କୁଟି ଯୋଗେ କମ୍ୟୁନିଟି ହେଲ୍‌ଥ ଅଫିସରଙ୍କ ସହ ଫେରୁଥିଲେ । ପଛପଟୁ ଏକ ଅଟୋ ଧକ୍କା ଦେବାରୁ ସେ ଛିଟିକି ପଡିଥିଲେ ଓ ତାଙ୍କ ମୁଣ୍ଡର ପଛପଟ ମାଡ ହୋଇଥିଲା । ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଧିକ ଚିକିତ୍ସାନିମନ୍ତେ ସ୍ଥାନାନ୍ତରୀତ କରାଯାଇଥିଲା । ସୂଚନା ଯୋଗ୍ୟ ରାଜନଗର ବ୍ଲକର ବନ୍ଧପଡା ପଂଚାୟତର ମଧ୍ୟପଡା ଗାଁରେ ତାଙ୍କ ଘର । ସେ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଅଭିମନ୍ୟୁ ରାଉତଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କ ଅକାଳ ବିୟୋଗରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅତୁଳ ବଳ,  ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ରଶ୍ମୀ ରଂଜନ ମହାନ୍ତି, ଡାଃ. ପ୍ରଣବ କୁମାର ଶୁକ୍ଳା, ଡାଃ. ଆଶୁତୋଷ ବାରିକ, ଡାଃ. ଶ୍ରଦ୍ଧାଞ୍ଜଳି ବଳ, ଡାଃ. ଲଳିତ ମୋହନ ରଥ, ଡାଃ. ଆଦିତ୍ୟ ପ୍ରଧାନ, ଡାଃ. ମନୋରଂଜନ ନାଥ, ଡାଃ. ଟିଟି ମିଶ୍ରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଥିସହ ପଞ୍ଚାୟତ ସମିତି ଉପାଧକ୍ଷ ଗଣେଶ ଗୁଡ଼ିଆପ୍ରମୁଖ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Leave A Reply