Odisha news

ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀର ମେରୁଦଣ୍ଡ; ଛଡ଼େଇ ନେବା ପାଇଁ ବସିଛି ଚାଷୀର ବର୍ଷକର ଆହାର

0

ସୁବର୍ଣ୍ଣପୁର/କଳାହାଣ୍ଡି: ଦୁଇ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷାରେ ଚାଷୀଙ୍କ ସ୍ୱପ୍ନ ଭିଜିଯାଇଛି । କେଉଁଠି ଫସଲ ବିଲ ଭିତରେ ଉଜୁଡି ଯାଉଛି ତ ଆଉ କେଉଁଠି ମଣ୍ଡିରେ ଧାନ ଗଜା ହେଉଛି। ଗୋଟିଏ ପଟେ ଶୀତ ଆଉ ଅନ୍ୟପଟେ ବର୍ଷା ମାଡ ମଣ୍ଡିରେ ଜଗୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।

Image result for /crop-loss
NewsClick

ବର୍ଷାରେ ଭିଜି ଯାଇଥିବା ଧାନକୁ ବିକ୍ରି କରିବ ନା’ ପୁଣି ଥରେ ଚାଷ ପାଇଁ ପ୍ରସ୍ତୁତ ହେବ ତାହାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛି । କାରଣ ବିକ୍ରି ପାଇଁ ଆସିଥିବା ଧାନ, ମଣ୍ଡିରେ ହିଁ ଗଜା ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ୧୭ ଲକ୍ଷ କ୍ୱିଂଟାଲ ଧାନ କିଣା ଯାଇଥିବା ବେଳେ ଆହୁରି ୧୩ ଲକ୍ଷ ୮୨ ହଜାର କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି । ଆଉ ଏହାରି ଭିତରେ ଦାଉ ସାଧିଛି ଅଦିନିଆ ବର୍ଷା ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ଯେଉଁଭଳି ସ୍ଥିତି କଳାହାଣ୍ଡିରେ ଊଣାଅଧିକେ ସମାନ ସ୍ଥିତି ଦେଖିବାକୁ ମିଳିଛି। ମଣ୍ଡିରେ ହିଁ ଚାଷୀର ପରିଶ୍ରମ ଭିଜୁଛି । ପଲିଥିନ ଢାଙ୍କିବା ଫଳରେ ଯାହା ବଂଚିଲା ବଂଚିଲା, ନହେଲେ ବାକି ତକ ଧାନ ଭଗବାନଙ୍କ ଭରସାରେ ଛାଡି ଦିଆଯାଇଛି। ଧର୍ମଗଡ଼ ବ୍ଲକର ବଡ଼ ବସୁଲ, ଖଇର ପଦର, ବୋଡେନ୍‌, ତମ୍ବଛଡ଼ା, ତାରାପୁର ଆଦି ମଣ୍ଡିରେ ଏବେ ଖୋଲା ଆକାଶ ତଳେ ହଜାର ହଜାର କ୍ୱିଂଟାଲ ଧାନ ପଡ଼ି ରହିଛି ।

Image result for /crop-loss
The Hans India

ଖାଲି ମଣ୍ଡିରେ ନୁହେଁ, ପାଣିରେ ଭାସୁଛି ପାଚିଲା ଧାନ । ଧାନକାଟି ବିଲରେ ପାହି ପାହି କରି ଚାଷୀ ଧାନ ପକାଇଥିବା ବେଳେ ଅଦିନିଆ ବର୍ଷା ଦାଉ ସାଜିଛି । ଶୀତଦିନିଆ ବର୍ଷା ଚାଷୀର ବର୍ଷକର ଆହାର ଛଡ଼େଇ ନେବା ପାଇଁ ବସିଛି । କେନ୍ଦ୍ରାପଡ଼ାର ପାଟପୁରା, ଭଦ୍ରକର ଚାନ୍ଦବାଲି ଏବଂ ଜଗତସିଂହପୁର ଜିଲ୍ଲାରେ ପାଣି ଭିତରେ ଚାଷୀର ଧାନପଡ଼ି ରହିଛି। ।ତେବେ ଟୋକନ ସମସ୍ୟାରୁ ଚାଷୀ ବାହାରି ନଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେବାକୁ ବସିଛି । ଏଭଳି ସ୍ଥିତିରେ କ’ଣ କରିବ ଚାଷୀ ଭାବିଲା ବେଳକୁ ମୁଣ୍ଡରେ ଚଡ଼କ ପଡ଼ିଯାଉଛି।

Govt
Leave A Reply