ସାଲେପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ କିସମର ପରିବା ପାଣିରେ ବୁଡ଼ି ରହିବାରୁ ପରିବା ଗୁଡିକ ପଚି ନଷ୍ଟ ହୋଇଯାଇଛି । ପରିବା ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ପରିବା ଚାଷୀମାନେ ଏହାକୁ ନେଇ ଏବେ ମୁଣ୍ଡରେ ହାତଦେଇ ବସିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ର ମହାନଦୀ ଓ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ପରିବା ଚାଷ ପାଇଁ ନିଜର ପରିଚୟ ସୃଷ୍ଟି କରିଥିବାବେଳେ ଏହି ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ପରିବା ଚାଷ ଉପରେ ନିର୍ଭର କରି ବିଭିନ୍ନ କିସମର ପରିବା ଚାଷ କରିଥାନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଖାରୁ, ଜହ୍ନି, କଲରା, ଭେଣ୍ଡି, ପୋଟଳ, ଝୁଡ଼ଙ୍ଗ, କାକୁଡ଼ି ଆଦି ପନିପରିବା ପାଣିରେ ବୁଡ଼ି ରହିବାରୁ ପନିପରିବା ଗୁଡିକ ପଚି ନଷ୍ଟ ହୋଇଯାଇଛି । ଫଳରେ ପରିବା ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଥିବାର ଦେଖିବାକୁ ମିଳିଛି । ଦ୍ୱୀପାଞ୍ଚଳରେ ଚାଷ ହୋଇଥିବା ପନିପରିବା ଚାଷ ମଧ୍ୟରୁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି କଖାରୁ ଚାଷୀମାନେ ।
ମହାନଦୀ-ଚିତ୍ରୋତ୍ପଳା ନଦୀର ତ୍ରିକୋଣଭୂମି ଦ୍ୱୀପାଞ୍ଚଳରେ ଶହ ଶହ ଏକର କଖାରୁ ଓ ପନିପରିବା ଚାଷ ଲଘୁଚାପ ଜନିତ ବର୍ଷା ଯୋଗୁ ନଷ୍ଟ ହୋଇଛି । ଏହି ଅଞ୍ଚଳର ଚାଷୀମାନେ ଧାର ଉଧାର କରି ନିଜ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସେଥିରୁ ଯାହା ଉପାର୍ଜନ ହୁଏ, କରଜ ସୁଝିବା ସହ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏହି ଅଞ୍ଚଳରେ ପନିପରିବା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୀର୍ଘଦିନ ଧରି ପନିପରିବା ଚାଷ ଜମି ପାଣିରେ ବୁଡ଼ି ରହିଥିବାରୁ କଖାରୁ ଠାରୁ ଆରମ୍ଭ କରି ପୋଟଳ, ଲଙ୍କା, କାକୁଡ଼ି ଆଦି ପନିପରିବା ନଷ୍ଟ ହୋଇଯାଇଛି । ଏବେ ଏହି ଅଞ୍ଚଳର ପରିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଶିବରାମ ପରିଡ଼ା, ସୁଲଭ ପରିଡ଼ା, ଦିଲୀପ ସ୍ୱାଇଁଙ୍କ ସମେତ ବହୁ ଚାଷୀ ଦାବି କରିଛନ୍ତି ।
