Odisha news

ବ୍ଲକ ପ୍ରଶାସନର ନିଷ୍କ୍ରିୟତା, ନିର୍ମାଣ ହୋଇପାରୁନି ବାଗସାହି ମିନି ଅଙ୍ଗନବାଡି ଗୃହ।୬ ବର୍ଷ ହେଲା ପଡିରହିଛି ୭ ଲକ୍ଷ ଟଙ୍କା

0

ରଘୁନାଥପୁର:-୬/୭: ସରକାର ବିଭିନ୍ନ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ପକ୍କାଗୃହ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି।ହେଲେ ଏହା କେତେମାତ୍ରାରେ ସଫଳ ହେଉଛି ତାର ତର୍ଜମା କରାଯାଉନାହିଁ।ଅନେକ ଗ୍ରାମରେ ଜମି ଚିହ୍ନଟ ହୋଇ ସୁଧା ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ।ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ ଜଗନାଥପୁର ବାଗସାହି ମିନି ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କ୍ଷେତ୍ରରେ। ବ୍ଲକ ପ୍ରଶାସନର ନିଷ୍କ୍ରିୟତା ତଥା ଇଛାଶକ୍ତିର ଅଭାବ ଯୋଗୁଁ ଜମି ଚିହ୍ନଟ ସତ୍ୱେ ନିର୍ମାଣ ହୋଇପାରୁନି ଜଗନାଥପୁର ବାଗସାହି ମିନି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ।୬ ବର୍ଷ ତଳୁ ନିର୍ମାଣ ପାଇଁ ଆସିଥିବା ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ପଡିରହିଛି।ଯାହାକି ସ୍ଥାନୀୟ ଅଧିବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଗ୍ରାମର ଏକ ଗୋଷ୍ଠିକେନ୍ଦ୍ରରେ ଦୀର୍ଘ ୧୧ ବର୍ଷ ଧରି କେନ୍ଦ୍ର ଚାଲିଛି।ଚଳିତ ମୌସୁମୀ ବର୍ଷାରେ ପାଣି ଲହଡା ମାରି ଘର ଚତୁର୍ପାର୍ଶ୍ଵରେ ଜମି ରହୁଛି।ଡେଙ୍ଗୁ, ମେଲେରିଆ ଓ ବିଭିନ୍ନ ପ୍ରକାର ଜଳବାହିତ ରୋଗ ଆଶଙ୍କାରେ ଅବିଭାବକମାନେ କୋମଳମତି ଶିଶୁଙ୍କୁ କେନ୍ଦ୍ରକୁ ଛାଡିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କର୍ମୀ ସବିତା ଧର କହିଛନ୍ତି।ଏହାଛଡା ଏଠାରେ ଆଲୋକ, ପାନୀୟଜଳ ଓ ପାଇଖାନାର ବ୍ୟବସ୍ଥା ନଥିବାରୁ ପିଲାମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ଅବିଭାବକମାନେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ତୀର୍ତ୍ତଲ ବିଧାୟକ, ବିଡ଼ିଓ ଓ ସିଡିପିଓଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଟୁନିଲତା ବେହେରା, ମାମୁନି ପରିଡା ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷେ ଶାସକଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବାଦବିବାଦ ଯୋଗୁଁ ଗୃହ କାର୍ଯ୍ୟ ଆରମ୍ଭ ହୋଇପାରୁନି ବୋଲି ଆଲୋଚନା ହେଉଛି।ତୁରନ୍ତ ଗୃହକାର୍ଯ୍ୟ ଆରମ୍ଭ କରାନଗଲେ ଆଗାମୀ ଦିନରେ ଅବିଭାବକମାନେ ପିଲାଙ୍କୁ ଅଙ୍ଗନବାଡି ନପଠାଇ ବିଡ଼ିଓ ଏବଂ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବିମଳି ଗାୟା, ମଧୁସ୍ମିତା ସାହୁ, ବିବେକାନନ୍ଦ ସୁ ଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକ କୁହନ୍ତି ଯେ, ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଥରେ ଖୋଳା ହୋଇଥିଲେ ସୁଧା ଲୋକେ ଏହାକୁ ବନ୍ଦ କରିଥିଲେ।ଯଦି ଗ୍ରାମବାସୀ ସହଯୋଗ କରନ୍ତି ତାହାଲେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Ad2
Leave A Reply