Odisha news

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ଦିନିଆ ମୟୂରଭଞ୍ଜ ଗସ୍ତ ; ସ୍ଥିତି ଅନୁଧ୍ୟାନ କଲେ ପୂର୍ବାଞ୍ଚଳ ଆଇଜି

0

ବାରିପଦା  : ମୟୂରଭଞ୍ଜ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ଜାରି ହେବା ପରେ ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଶନିବାର ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ବାରିପଦା ଆସି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଡିଏସପି ସୂର୍ୟ୍ୟନାରାୟଣ ଦାସ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରୋହନ ଗୌରବ ରାୟ, ସହକାରୀ ଯନ୍ତ୍ରୀ ନୟାଧର ପଢିଆଳ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ମହାମହିମ ରାଷ୍ଟ୍ରପତି ପ୍ରଥମ ଦିନରେ ବାରିପଦା ଗସ୍ତରେ ଆସି ସହିଦ ସ୍ମୃତି ଭବନରେ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ହେଲିକ୍ୟାପ୍ଟର ଅବତରଣ ପାଇଁ ଆବଶ୍ୟକ ହେଲିପ୍ୟାଡ଼ ଚିହ୍ନଟ କରାଯାଇଥିଲା । ରିଜର୍ଭ ପୁଲିସ ପଡ଼ିଆ ଏବଂ ଛଉପଡ଼ିଆ ଦୁଇ ଗୋଟି ସ୍ଥାନ ଅନୁଧ୍ୟାନ କରାଯାଇଛି । ତେବେ ସେଥିମଧ୍ୟରୁ ଗୋଟେ ସ୍ଥାନ ଚୂଡାନ୍ତ ହେବା ପରେ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିସହିତ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ତତ୍୍ସହିତ ସାନ୍ତାଳୀ ଲେଖକ ସଂଘର କର୍ମକର୍ତ୍ତାଙ୍କ ସହ କାର୍ଯ୍ୟକ୍ରମ ବାବଦରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ରାଷ୍ଟ୍ରପତି ଭବନରୁ ମିଳିଥିବା ଗସ୍ତସୂଚୀ ଅନୁଯାୟୀ, ନଭେମ୍ବର ୨୦ତାରିଖର ସକାଳ ୧୧ଘଟିକା ସମୟରେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ଉଡାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରପୋର୍ଟରେ ଆସି ପହଁଞ୍ଚିବେ ମହାମହିମ । ଏହାପରେ ଦିନ ୨ଟାରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାରେ ପହଞ୍ଚି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଅପରାହ୍ନ ୫ଟା ୩୦ରେ କାର୍ଯ୍ୟକ୍ରମ ସାରି ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ସେଠାରେ ସର୍କିଟ ହାଉସରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଇରଙ୍ଗପୁର ଡାକ ବଙ୍ଗଳା ଠାରେ ସ୍ଥାନୀୟ ଜନସାଧାରଣ ମାନଙ୍କ ସହିତ ଭେଟିବାର କାର୍ଯ୍ୟକ୍ରମ ରହିଥିବାବେଳେ ରାଇରଙ୍ଗପୁର ଠାରେ ଥିବା ରାଷ୍ଟ୍ରପତିଙ୍କ ନିଜ ବାସଭବନରେ ରାତ୍ରୀଯାପନ କରିବା ନେଇ ସୂଚନା ରହିଛି । ସେହିଭଳି ୨୧ତାରିଖ ସକାଳ ୮ଘଟିକାରେ ନିଜ ବାସଭବନରୁ ବାହାରି ସଡକ ପଥରେ ୨୧କିମି ଦୂର ନିଜ ଶାଶୁଘର ଗାଁ ପାହାଡପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ । ପରେ ନିଜ ସ୍ୱାମୀ ଏବଂ ଦୁଇପୁଅଙ୍କ ନାମରେ ନାମିତ କରିଥିବା ଏସଏଲଏସ ସ୍କୁଲ ପରିଦର୍ଶନ ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ସାକ୍ଷାତ କରିବା ପରେ ସେଠାରୁ ବାହାରି ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ସାଲିମାର-ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ । ଏହାସହିତ ବାଦାମପାହାଡ ଅମତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ । ପରେ ରାଇରଙ୍ଗପୁର ଡାକ ଡିଭିଜନର ଶୁଭ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦିନ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ।

Leave A Reply