୧୮ ତମ ପ୍ରବାସୀ ଭାରତୀୟ ଦିବସ ‘ଓଡ଼ିଶାକୁ ବିଶ୍ୱ ପର୍ୟ୍ୟଟନ କ୍ଷେତ୍ରରେ ଅଗ୍ରଣୀ କରିବାକୁ ଆମେ ପ୍ରତିବଦ୍ଧ’ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
ଭୁବନେଶ୍ବର (Suvendra Pattanaik) : ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଏବଂ ପରମ୍ପରା କାଳଜୟୀ ହୋଇଥିବାବେଳେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ୟ୍ୟରେ ଭରପୁର ଆମ ରାଜ୍ୟର ଲୋକକଳା, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ସଂଗୀତ ଓ ଖାଦ୍ୟ ପରମ୍ପରାର ସ୍ଵାତନ୍ତ୍ର୍ୟ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ । ଓଡିଶାକୁ ବିଶ୍ୱ ପର୍ୟ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରାଇବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନ ‘ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ’ ପ୍ରସଙ୍ଗ ଉପରେ ଆୟୋଜିତ ଅଧିବେଶନରେ ଶ୍ରୀମତୀ ପରିଡା ପର୍ୟ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନଗୁଡିକ ଉପରେ ଆଲୋକପାତ କରିଛନ୍ତି ।
ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଓଡିଶାକୁ ଦେଶ ଓ ବିଦେଶରୁ ଆସିଥିବା ଅତିଥିମାନେ ଓଡ଼ିଶାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ବୁଲି ଦେଖିବେ, ଫଳରେ ସେମାନେ ଆମର କଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ । ଆମ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ କରିବା ସହିତ ଲୋକକଳା ଏବଂ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଏବଂ ଇକୋ-ରିଟ୍ରିଟଗୁଡିକର ବହୁଳ ପ୍ରଚାର ଓ ପ୍ରସାର କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ଏବଂ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ମହିଳାମାନଙ୍କର ଅଗ୍ରଣୀ ଭୂମିକା ରହିବ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।
ଆଲୋଚନାରେ ଭାରତର ଜି-୨୦ ଶେରପା ଶ୍ରୀ ଅମିତାଭ କାନ୍ତ, ବିଶିଷ୍ଟ ସେଫ୍ ଶ୍ରୀ ସଂଜୀବ କପୁର, ଲଲିତ ସୁରୀ ହସପିଟାଲିଟି ଗ୍ରୁପର ସିଏମଡ଼ି ଜ୍ୟୋସ୍ନା ସୁରୀ, ୱେଡ଼ିଙ୍ଗ ଲାଇନର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଏମ. ଡ଼ି ଶ୍ରୀ ଚେତନ ବୋହରା, ଓଡ଼ିଶା ପର୍ୟ୍ୟଟନର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଅଭୟାରଣ୍ୟ, ଅରଣ୍ୟ ସମ୍ପଦ, ବନ୍ୟପ୍ରାଣୀ ସମ୍ପଦ ଓ ଖାଦ୍ୟ ସଂସ୍କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତି ବାବଦରେ ମଧ୍ୟ ମତବିନିମୟ ହୋଇଥିଲା । ବେଲଗାଡ଼ିଆ ପ୍ୟାଲେସର ନିର୍ଦ୍ଦେଶକ ଅକ୍ସିତା ଏମ ଭଞ୍ଜଦେଓ କାର୍ୟ୍ୟକ୍ରମରେ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।