Odisha news

ବହୁ ମାମଲାରେ ଜଡିତ ଅପରାଧୀକୁ ଗ୍ରାମବାସୀ ଧରି ପୁଲିସ୍ କୁ ହସ୍ତାନ୍ତର କଲେ : ପିସ୍ତଲ, ବାଇକ୍ ଓ ମୋବାଇଲ୍ ଜବତ୍

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କୋଟସାହି ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମବାସୀ ଜଣେ ପୁରୁଣା ଦୁର୍ବୃତ୍ତ ସହିତ ପିସ୍ତଲ, ବାଇକ୍ ଓ ମୋବାଇଲ୍ ଜବତ୍ କରି ପୋଲିସ୍କୁ ହସ୍ତାନ୍ତର କରିଛି । ଉକ୍ତ ଯୁବକ କଟକର ଧଳ ସାମନ୍ତ ବ୍ରଦର୍ସ ସହ ସଂପର୍କ ରଖି ଉତ୍ତର ଓଡିଶାରେ ବହୁ ଅପରାଧ ସହିତ ଜଡିତ ଥିବାର ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ଗତ ବୁଧବାର ବିଳମ୍ବିତ ରାତିରେ ଡିଙ୍ଗାଶୋଳ ଗାଁ ହାଟ ନିକଟରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ପାଟିତୁଣ୍ଡ କରୁଥିବାରୁ ଗାଁର ମନ୍ମଥ ଜେନା ଓ ରବିନ୍ଦ୍ର ବେହେରା, ସଦାଶିବ ଜେନା ଏଥିରୁ ନିବୃତ୍ତ ରହିବାକୁ କହିଥିଲେ ।

କିନ୍ତୁ ଯୁବକ ଜଣକ ପକେଟ୍ରୁ ଏକ ପିସ୍ତଲ ବାହାର କରି ଏହି ୩ଜଣକୁ ଗୁଳି କରିଦେବେ ବୋଲି ଧମକ୍ ଦେଇଥିଲେ । କିନ୍ତୁ ସେ ୩ଜଣ ସାହସର ସହିତ ଡାକ ଛାଡିବାରୁ ଗାଁର କିଛି ଲୋକ ଜମା ହୋଇଥିଲେ । ଗ୍ରାମବାସୀ ଯୁବକକୁ କାବୁ କରିବା ସହିତ ତା ନିକଟରୁ ବାଇକ୍, ପିସ୍ତଲ ମୋବାଇଲ୍ ଜବତ୍ କରିବା ବେଳେ ସେ  ଖସି ପଳାଇଥିଲା । ଆଜି ଗୁରୁବାର ସକାଳ ୭ଟାରେ ସେ ଘଟଣାସ୍ଥଳରେ ପହଞ୍ଚି ତାର ବାଇକ୍ ଓ ପିସ୍ତଲ ଫେରାଇ ଦେବାକୁ ଜିଦ୍ ଧରିଥିଲା  ଓ ପୁଣି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା । ଗ୍ରାମବାସୀ ଥାନାକୁ ଖବର ଦେବା ସହିତ ଯୁବକକୁ ବାନ୍ଧି ପକାଇଥିଲେ ।

ଅତୀତରେ ସେ ଉତ୍ତର ଓଡିଶାର ୪ଟି ଥାନାରେ ଭିନ୍ନ ଭିନ୍ନ  ୧୦ଟି ମାମଲାରେ  ଜଡିତ ଥିବାର ପ୍ରକାଶ କରିଥିଲା । କେବଳ ଏତିକି ନୁହେଁ ସେ କଟକର ଧଳ ସାମନ୍ତ ବ୍ରଦର୍ସ ସହିତ ୩ବର୍ଷ ସଂପର୍କ ରଖି କାର୍ଯ୍ୟ କରିଥିବାର ସ୍ୱୀକାର କରିଛିା ସେହି ଅଞ୍ଚଳର ସମାଜସେବୀ ତଥା ଶିକ୍ଷକଙ୍କ ସହିତ ସଂପର୍କ ଥିବାର କହିଛି । ଜଳେଶ୍ୱର ଥାନାର ଏଏସ୍ଆଇ ପ୍ରଫୁଲ୍ଲ କୁମାର ଅତିବୁଦ୍ଧି, ହାବିଲଦାର ତ୍ରିଲୋଚନ ପାତ୍ର ଓ ପୁଲିସ୍ଫୋସ୍  ସେଠାରେ ପହଞ୍ଚି ଅପରାଧିକୁ ଥାନାକୁ ଆଣିଛନ୍ତି । ଏ ଅଞ୍ଚଳରୁ ଓଡିଶାର ବିଭିନ୍ନ ଅଞ୍ଚଳକୁ ବ୍ୟାପକ ନିଶାକାରବାର ହେଉଥିବା ବେଳେ ସେଥିରେ ଏହି ଯୁବକ ଜଣକ ହାତଥିବାର କୁହାଯାଉଛି ।

ଏହି ଯୁବକର ନାମ ବୁଦ୍ଧି ଓରଫ ବିଶ୍ୱଜିତ୍ ନାଥ (୨୭) ଓ ତାର ଘର କୋଟ ସାହି ପଞ୍ଚାୟତର ଗୋବର୍ଦ୍ଧନପୁର ବୋଲି ପୁଲିସ୍ କହିଛି । ୨୦୧୬ ମସିହାରେ ନାମ୍ପୋ ବଜାରରୁ ଏକ ବାଇକ୍ ଚୋରୀ କରିବା, ଖୁଣ୍ଟା ଥାନା ଅଞ୍ଚଳରୁ ଜଣେ ଝିଅକୁ ଅପହରଣ କରିବା, କମର୍ଦ୍ଦା ଥାନା ଅଂଚଳରୁ ଜଣେ ବୃଦ୍ଧକୁ ମରଣାନ୍ତକ ଆକ୍ରମଣ କରି ୩୦ହଜାର ଟଙ୍କା ଲୁଟ୍ କରିବା, ବୈଶିଙ୍ଗା ଥାନାରେ ଅପରାଧ ମାମଲା ଥିବା ଆଜି ପୁଲସ୍  ସମ୍ବାଦଦାତାଙ୍କ ପ୍ରଶ୍ନଉତ୍ତରରେ କହିଛନ୍ତି । କିନ୍ତୁ ମିଳିଥିବା ପିସ୍ତଲଟି ଏକ ଚାଇନା ଖେଳନା ବଂଧୁକ ବୋଲି ପୁଲିସ୍ କହିବା ସହ ଗ୍ରାମ୍ୟମୁଖ୍ୟ ଗୋବିନ୍ଦ ପରିଡା ଓ ମନ୍ମଥ ଜେନାଙ୍କ ଅଭିଯୋଗ ମୂଳେ ୨୫୪/୨୦ରେ ଏକ ମାମଲା ରୁଜୁ କରିଥିବା କହିଛି । ଏପରି ଏକ ଘଟଣା ଏ ଅଂଚଳରେ ଅଭୂତପୂର୍ବ ହୋଇଥିବାରୁ ତଦନ୍ତକୁ ଯୋରଦାର କରିବାକୁ ଏ ଅଂଚଳର ବୁଦ୍ଧିଜିବୀମାନେ ଦାବି କରିଛନ୍ତି ।

Leave A Reply