ନୂଆଦିଲ୍ଲୀ : ପଂଚଦଶ ଭାରତ-ୟୁରୋପୀୟ ସଂଘ (ଭର୍ଚୁଆଲ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ-୧୯ କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (ଇଣ୍ଡିଆ-ଇୟୁ ସମ୍ମିଟ)କୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି । ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି । ଆପଣମାନଙ୍କୁ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ । ଆପଣମାନଙ୍କ ପରି ମୁଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସମୁଦାୟ ମଧ୍ୟରେ ସମ୍ବନ୍ଧକୁ ଅଧିକ ବିସ୍ତୃତ ଓ ନିବିଡ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମକୁ ଏକ ଦୀର୍ଘକାଳୀନ ରଣନୀତି ଗ୍ରହଣ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ଏହା ସହିତ ଏକ କାର୍ଯ୍ୟକ୍ରମଭିତିକ କର୍ମସୂଚୀ ପ୍ରସ୍ତୁତ କରିବାକୁ ହେବ; ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମଗୁଡିକୁ କାର୍ଯ୍ୟକାରୀ କରାଯାଇପାରିବ । ଭାରତ ଏବଂ ୟୁରୋପୀୟ ସମୁଦାୟ ସ୍ୱାଭାବିକ ଅଂଶୀଦାର ଅଟନ୍ତି । ଆମର ଅଂଶୀଦାରୀ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୋଗୀ ମଧ୍ୟ । ଏହି ବାସ୍ତବିକତା ଆଜି ମଧ୍ୟ ବୈଶ୍ୱିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଯାଇଛି । ଆମେ ଉଭୟ ଗଣତନ୍ତ୍ର, ବହୁଳବାଦ, ସମାବେଶୀତା, ଆନ୍ତର୍ଜାତିକ ପ୍ରତିଷ୍ଠାନ ପ୍ରତି ସମ୍ମାନବୋଧ, ବହୁପକ୍ଷବାଦ, ସ୍ୱାଧୀନତା, ସ୍ୱଚ୍ଛତା ଭଳି ସାର୍ବଜନୀନ ମୂଲ୍ୟବୋଧରେ ଅଂଶୀଦାର ଓ ବିଶ୍ୱାସୀ । କୋଭିଡ-୧୯ ପରେ ଆର୍ôଥକ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ନୂଆ ସମସ୍ୟାମାନ ସୃଷ୍ଟି ହୋଇଛି । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।