ଫୁଲନଖରା : ନଖରାସ୍ଥିତ ଫୁଲନଖରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ନହେବାରୁ ଏହାର ଏପରି ଶୋଚନୀୟ ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ସ୍କୁଲରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳିତ ହେଉଥିବାରୁ ଏହାର ମରାମତି ଅତ୍ୟନ୍ତ ଜରୁରୀବୋଲି ଗ୍ରାମବାସୀ କହିଛନ୍ତି ।
ପ୍ରତି ସପ୍ତାହର ଦୁଇ ଦିନ ଏଠାକୁ ନିକଟବର୍ତ୍ତୀ ନଖରା, କାଚରାମାଳ, ଅଡ଼ାଳିଆ, ଭୀମପୁର, ଅନନ୍ତପୁର, ଜୋହଳ ଆଦି ଗ୍ରାମର ଲୋକମାନେ ସେମାନଙ୍କ ଶିଶୁଙ୍କ ଯତ୍ନ ଓ ସ୍ୱାସ୍ଥ୍ୟ ରକ୍ଷା ନିମିତ୍ତ ଆସିଥାନ୍ତି; ମାତ୍ର ଭଙ୍ଗା ଘର ଓ ଘାସ ଲତାରେ ପରିପୂର୍ଣ୍ଣ ଏହି କେନ୍ଦ୍ରକୁ ଆସିବାକୁ ଅଭିଭାବକମାନେ ଏବେ ନିରାପଦ ମଣୁନାହାନ୍ତି ।
ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରର ସୁପରିଚାଳନା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସମାଜସେବୀ କେଦାରନାଥ ଜେନା, ବ୍ରହ୍ମାନନ୍ଦ ସାହୁ, ଡଃ. ଯୁଧିଷ୍ଠିର ଖଟୁଆ, ଗୌରହରି ସାହୁ, ନଳିନୀ ସ୍ୱାଇଁ, ବିଷ୍ଣୁଚରଣ ପାଢ଼ୀ, କୁମୁଦିନୀ ଦଳାଇ, ଖଗେଶ୍ୱର ଦାସ, ବଂଶୀଧର ଭୋଳ, ହେଲେନ ମହାନ୍ତି, ରବିନ୍ଦ୍ରନାଥ ସାହୁ, ଗଣେଶପ୍ରସାଦ ଦାଶ, ସୁବାସଚନ୍ଦ୍ର ଜେନା ପ୍ରମୁଖ ଦାବି କରିଛନ୍ତି ।
