ଫୁଲବାଣୀ, ଫିରିଙ୍ଗିଆ ବ୍ଲକ ସୁମେରୁବନ୍ଧ ଅଂଚଳରେ ଥିବା ଜଙ୍ଗଲ ମଧ୍ୟରେ ଗତ ଶୁକ୍ରବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ସହ ଏକ ମାଓ କ୍ୟାମ୍ପକୁ ଠାବ କରାଯାଇଛି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ଆଜି ଏସପି ପ୍ରତିକ୍ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୫ରୁ ୩୦ ମାଓବାଦୀ ସୁମେରନ୍ନ୍ ଜଙ୍ଗଲରେ ଥିବା ନେଇ ପୁଲିସ ସୂଚନା ପାଇଥିଲା । ସେହି ସୂଚନାକୁ ଆଧାର କରି ଏସଓଜିର କିଛି ଟିମ୍ ଗତ ଶୁକ୍ରବାର ସକାଳେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗୋଟିଏ ଟିମ୍ର ଜବାନ ମାନେ ଜଙ୍ଗଲ ଆଡକୁ ଅଗ୍ରସର ହେଉଥିବା ବେଳେ ଓଡସୁଙ୍ଗା ନିକଟରେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଦୀର୍ଘ ପ୍ରାୟ ଏକ ଘଂଟାରୁ ଉଦ୍ଧ୍ୱର୍ ସମୟ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏସଓଜିଙ୍କ ପକ୍ଷରୁ ୧୬୯ ରାଉଣ୍ଡ ଗୁଳି ବିନିମୟ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିଲେ । ମାଓବାଦୀମାନେ ଚାଲିଯିବା ପରେ ଜବାନମାନେ ସର୍ଚ ଅପରେସନ ଆରମ୍ଭ କରିଥିଲେ ଓ ମାଓ ଶିବର ଠାବ କରିଥିଲେ । ସେଠାରୁ ଏକ ୯ ମିମି ପିସ୍ତଲ, ୩ଟି ୯ ମିମି ଗୁଳି, ୨ଟି ଇନସାସ୍ ରାଇଫଲ ଗୁଳି, ଗୋଟିଏ ଆଇିଡି(ବିସ୍ପୋରକ), ୩ଟି ୱାକି ଟକି, ୩ଟି ସୋଲାର ପ୍ୟାନେଲ, ୨ଟି ରେଡିଓ, ଟର୍ଚ, କୋଣ୍ଡମ, ମେଡିସିନ୍, ମାଓ ପୋଷାକ, ମହିଳା ଅନ୍ତବସ୍ତ୍ର, ଇଲେକ୍ଟ୍ରିକ୍ ସରଞ୍ଜାମ, କିଟ୍ ବ୍ୟାଗ୍, ବାସନ କୁସନ, ମାଓ ପତ୍ରିକା ଓ ଲିଫଲେଟ୍ ଆଦି ମାଓ ସାମଗ୍ରୀ ବିପୁଳ ପରିମାଣରେ ଜବତ ହୋଇଥିଲା । ପୁଣି ସନ୍ଧ୍ୟାରେ ଏସଓଜିର ଅନ୍ୟ ଏକ ଟିମ୍ ସହ ମାଓବାଦୀଙ୍କର ଲଦାପଦର ନିଟକରେ ପୁଣି ଗୁଳି ବିନିମୟ ହୋଇଥିଲା । ଏଥିରେ ମଧ୍ୟ କେହି ହତାହତ ହୋଇ ନଥିବା ବେଳେ ଜବାନଙ୍କ ପକ୍ଷରୁ ୮୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ମାଓବାଦୀମାନେ ଘଂଚ ଜଙ୍ଗଲକୁ ଚାଲିଯାଇଥିଲେ । ଜବତ ହୋଇଥିବା ଶିବିରରେ କେକେବିଏନ ଓ ବିଜିଏନ ଡିଭିଜନର ବହୁ ହାର୍ଡକୋର ମାଓବାଦୀଙ୍କ ସହ କିଛି ମହିଳା ମାଓବାଦୀ ମଧ୍ୟ ଥିବାର ସନେ୍ଦହ କରାଯାଉଥିବା ଏସପି ଶ୍ରୀ ସିଂ କହିଛନ୍ତି । ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଥିବା ଏସପି କହିଛନ୍ତି ।