ସ୍କୁଟି ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାରେ ପୂଜକ ସୁବୋଧ ନନାଙ୍କ ଅକାଳ ବିୟୋଗ , କରଞ୍ଜିଆ ସହରରେ ଶୋକର ଛାୟା
ପା ଞ୍ଚ ପୀଢ ୨/୪ ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ କରଞ୍ଜିଆ ଗୋଲେଇ ନିକଟସ୍ଥ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ସ୍କୁଟି ସହ ଏକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ୫୭ ବର୍ଷ ବୟସରେ ପୂଜକ ସୁବୋଧ କୁମାର ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି। ସୁବୋଧ ନନା ନିଜ ସ୍କୁଟି ନମ୍ବର ଓଡି -୧୧ଏଏନ-୮୮୨୫ ରେ ନିଜ ଘର କରଞ୍ଜିଆ ଶାସନରୁ କରଞ୍ଜିଆ ଗୋଲେଇ ଆଡ଼େ ଯାଉଥିବା ବେଳେ ଅପର ପଟ କରଞ୍ଜିଆ ଗୋଲେଇ ପଟରୁ ଏକ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବିଭାଗ ଆମ୍ବୁଲାନ୍ସ ନମ୍ବର ଓଡି-୦୫ବିଏନ-୧୬୫୧ ଦୃତ ଗତିରେ ଆସି ବାଡ଼େଇ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ। ଡ଼ାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଆମ୍ବୁଲାନ୍ସ ଛାଡ଼ି ପଳାଇ ଯାଇଥିଲା। ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଚିକିତ୍ସାଳୟରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। କରଞ୍ଜିଆ ଥାନାରେ ଏବିଷୟରେ ୧୨୦/୨୪ ନମ୍ବର କେଶ୍ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ସହକାରୀ ସଵ୍ ଇନ୍ସପେକ୍ଟର ସାଲଖାନ ହେମ୍ବ୍ରମ ସୂଚନା ଦେଇଛନ୍ତି। ତେବେ ପାର୍କ ନିକଟରେ ଡିଭାଇଡର ଯେପରି ସବୁବେଳେ ରାସ୍ତା ଉପରେ ରହେ ସେ ବିଷୟରେ ପ୍ରଶାସନ ଦୃଷ୍ଟି ରଖିବା ଉଚିତ। ଏହା ସହ ଏହି ପାର୍କକୁ ବହୁ ଲୋକ ଆମୋଦପ୍ରମୋଦ ପାଇଁ ଆସୁଥିବାରୁ ଏହାର ଉଭୟ ପାର୍ଶ୍ଵରେ ହମ୍ସର ଆବଶ୍ୟକତା ରହିଛି। କରଞ୍ଜିଆ ପୋଲିସ ପକ୍ଷରୁ ଯାନବାହାନ ଗତି ନିୟନ୍ତ୍ରଣ ପାଇଁ ଆଖି ଦୃଶିଆ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ ବୋଲି ସହରବାସୀ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି। ତେବେ ସୁବୋଧ ନନାଙ୍କ ଅକାଳ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇ ଝିଅ ଓ ଜଣେ ପୁଅ ରହିଛନ୍ତି