ବଡ଼ମ୍ବା ୦୪/୦୩- ବଡ଼ମ୍ବା ବ୍ଳକ ସନବାରସିଂହ ପଞ୍ଚାୟତ ନୂଆତଇଲା ଠାରେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି | ବ୍ଳକ ମିଶନ ଶକ୍ତି ଏବଂ ଓରମାସ ମିଳିତ ସହଯୋଗରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରକଳ୍ପ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ଖାଦ୍ୟପଦାର୍ଥ, ଗୃହ ଉପକରଣ, ହସ୍ତତନ୍ତ ଓ ହସ୍ତଶୀଳ୍ପ ଉପକରଣ ମାନ ବିକ୍ରୟ ଏବଂ ପ୍ରଦର୍ଶନ କରାଯିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି | ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅଭିପ୍ସା ସ୍ୱାଇଁଙ୍କ ପୌରାହିତ୍ୟ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓରମାସ ଅଧିକାରୀ ବିପିନ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି,ଉପାଧ୍ୟକ୍ଷା ସ୍ଵର୍ଣଲତା ବେହେରା, ସନବାରସିଂହ ସରପଞ୍ଚ ସଦାନନ୍ଦ ସ୍ୱାଇଁ, ସମାଜସେଵୀ ମଙ୍ଗୁଳି ସାହୁ,ବିଜେଡି ବ୍ଳକ ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଏହି ଶିଳ୍ପ ଉଦ୍ୟାନ ନିମନ୍ତେ ୫୦ ଲକ୍ଷ ଟଙ୍କାର ବୟବରାଦ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭିତ୍ତିଭୂମି ଏବଂ ବିକାଶ ପାଇଁ ୧୦ଲକ୍ଷ ମଞ୍ଜୁର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ ଏବଂ ସୌନ୍ଦର୍ଯ୍ୟକରଣ ବାବଦକୁ ୪୦ଲକ୍ଷ ଟଙ୍କା ମଞ୍ଜୁର କରାଯିବା ନେଇ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ମିଶ୍ର | ମିଶନ ଶକ୍ତି ପ୍ରକଳ୍ପ ପରିଚାଳିକା ମୋବାଲିଶା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |