Odisha news

“କୃଷି ଓଡ଼ିଶା’ରେ ମାଣ୍ଡିଆ କାହିଁକି ହେଲା ମାସ୍କଟ୍?

0

ଭୁବନେଶ୍ୱରର ଜନତା ମୈଦାନରେ ଏବେ ଚାଲିଛି କୃଷି ଓଡ଼ିଶା ମେଗା ପ୍ରଦର୍ଶନୀ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଏଥର ମାଣ୍ଡିଆକୁ ମାସ୍କଟ୍ ଭାବରେ ନିଆଯାଇଛି । ମାଣ୍ଡିଆ ମିଶନ୍ ମାଧ୍ୟମରେ ଓଡ଼ିଶା ପାଇଥିବା ବିଶେଷ ସଫଳତାକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ବିଭାଗ ଏହି ନିଷ୍ପତି ନେଇଛି ।

ଦିନେ ମାଣ୍ଡିଆ ଗରିବ ଲୋକଙ୍କ ଖାଦ୍ୟ ବୋଲି ଆମେ କହୁଥିଲୁ । କିନ୍ତୁ କୃଷି ଓଡ଼ିଶା ୨୦୨୦ ଲୋକଙ୍କର ସେହି ଧାରଣାକୁ ଭାଙ୍ଗି ଦେଇଛି । ଏହି ପ୍ରଦର୍ଶନୀର ଫୁଡ୍ ଜୋନ୍ରେ ମାଣ୍ଡିଆ ତିଆରି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ ଖାଦ୍ୟ ପାଇଁ ଲୋକଙ୍କ ଆଗ୍ରହ ଦେଖିଲେ ଏ କଥା ସ୍ପଷ୍ଟ ହୋଇଯାଉଛି । ମାଣ୍ଡିଆର ଲଡ଼ୁ ଓ ମାଲ୍ପୁଆଠାରୁ କେକ୍, କୁକିଜ୍, ଏପରିକି ପିଜାର ମଜ୍ଜା ନେଉଛନ୍ତି ଲୋକେ ।
ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଖିଦୃଶୃଆ ସଫଳତା ହାସଲ କରିଛି । ବିଭାଗର ପ୍ରମୁଖର ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ଦେଇଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ଅଠର ହଜାର କ୍ୱିଂଟାଲ୍ ମାଣ୍ଡିଆ ସଂଗ୍ରହ ହୋଇଛି । ମାଣ୍ଡିଆ ଭଳି ଏକ ପୁଷ୍ଟିକର ଖାଦ୍ୟକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଏହାକୁ ସାଧାରଣ ବଂଟନ ବ୍ୟବସ୍ଥା ବା ପିଡିଏସ୍ରେ ସାମିଲ୍ କରାଯାଇଛି ।
ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କୃଷି ଓଡ଼ିଶାର ଉଦ୍ଘାଟନୀ ଉତ୍ସବରେ କୃଷି କ୍ଷେତ୍ରରେ ରାଜ୍ୟର ସଫଳତାର ଚିତ୍ର ଉପସ୍ଥାପନ କରିଥିଲେ । ତା’ ଭିତରେ ରହିଥିଲା ମାଣ୍ଡିଆ । ରାଜ୍ୟର ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍ରେ ମାଣ୍ଡିଆ ଉତ୍ପାଦନ ଉପରେ ଫୋକସ୍ କରାଯାଉଛି । ଏଥିପାଇଁ ୬୫୦ଟି ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯାଉଛି । ସେହିପରି ଆଗାମୀ ଦିନରେ ମାଣ୍ଡିଆ ଉତ୍ପାଦନର ବୃଦ୍ଧି ଏବଂ ଏହି ଖାଦ୍ୟକୁ ଲୋକପ୍ରିୟ କରାଇବା ପାଇଁ ୩୦ଟି ଉତ୍ପାଦନ କମ୍ପାନି ଗଠନ କରିବାକୁ ସରକାର ଯୋଜନା କରିଛନ୍ତି ।
ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସଫଳତାର କାହାଣୀ ଅନ୍ୟ ରାଜ୍ୟ ପାଇଁ ପ୍ରେରଣା ହୋଇଛି । ଓଡ଼ିଶା ମିଲେଟ୍ସ ମିଶନ ଢାଂଚାରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି ।
କୃଷି ଓଡ଼ିଶା ହେଉଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସବୁଠାରୁ ବଡ଼ ବାର୍ଷିକ କାର୍ଯ୍ୟକ୍ରମ । ଫିକି ସହଯୋଗିତାରେ ଚଳିତବର୍ଷ ଏହା ଜାନୁଆରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏଠାରେ କୃଷି ଉତ୍ପାଦନର ସଫଳତା ଉପସ୍ଥାପନ କରିବା ସହ ବିଭିନ୍ନ ଅତ୍ୟାଧୁନିକ କୃଷି ସରଞ୍ଜାମର ଏକ ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ସେହିପରି ପ୍ରତିଦିନ କୃଷି ଓ କୃଷକ ସମ୍ପର୍କିତ ବିଭିନ୍ନ ସେମିନାର ଏବଂ ପାଠଶାଳା ମାଧ୍ୟମରେ କୃଷକ, କୃଷି ବିଜ୍ଞାନୀ, କୃଷି ଉଦ୍ୟୋଗୀ, ସରକାରୀ ଅଧିକାରୀ ଏବଂ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ବିଭାଗ ସକ୍ଷମ ହୋଇପାରିଛି ।
କୃଷି ଓଡ଼ିଶାର ପ୍ରବେଶ ଦ୍ୱାର ନିକଟରେ ମାଣ୍ଡିଆକୁ ନେଇ ଯେଉଁ ମାସ୍କଟ୍ କରାଯାଇଛି ତାହା ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ମାଣ୍ଡିଆ ଭଳି ଏକ ସାଧାରଣ ଖାଦ୍ୟ ଓଡ଼ିଶାର କୃଷି ଓ କୃଷକ ସଫଳତା ସହ କିଭଳି ଜଡ଼ିତ ଚଳିତ କୃଷି ଓଡ଼ିଶା ଦେଖିଲେ ତାହା ବୁଝିହେଉଛି ।

Leave A Reply

Your email address will not be published.