ନୂଆପଡା -୮/୪ (ସୁରେନ୍ଦ୍ର ତିୱାରୀ) : ବିଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ପୂର୍ବ ବର୍ଷର ରେକର୍ଡ ଭାଙ୍ଗିଲା ନୂଆପଡା ଜିଲ୍ଲା । ଗତକାଲି ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜିଲ୍ଲା ରାଜସ୍ୱ ଅଧିକାରୀ ମାନଙ୍କ ବୈଠକରୁ ଜଣା ପଡ଼ିଛି ନୂଆପଡା ଜିଲ୍ଲା ଏଥର ବିଭିନ୍ନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରି ପାରିଛି । ଭୁ ରାଜସ୍ୱ କ୍ଷେତ୍ରରେ ୧୫୮ ପ୍ରତିଶତ ଲକ୍ଷ୍ୟ ହାସଲ କରି ଆଦାୟ ହୋଇଛି ୩,୦୪,୯୦,୨୩୬ ଟଙ୍କା। ଜିଲ୍ଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ୧୨୨ ପ୍ରତିଶତ ଲକ୍ଷ୍ୟ ହାସଲ କରି ଦେଇଛି ୯,୮୦,୭୬,୯୮୫ ଟଙ୍କା। ଜିଲ୍ଲା ଅବକାରୀ ବିଭାଗ ୧୧୯ ପ୍ରତିଶତ ଲକ୍ଷ୍ୟ ହାସଲ କରି ସଂଗ୍ରହ କରିଛି ୨୫,୬୦,୮୧,୫୮୧ ଟଙ୍କା। ବାଣିଜ୍ୟ କର ଓ ଦ୍ରବ୍ୟ ଏଵଂ ସେବା କର ବିଭାଗ ୧୧୦ ପ୍ରତିଶତ ଲକ୍ଷ୍ୟ ହାସଲ କରି ଦେଇଛି ୪୫,୬୯,୭୨,୦୦୦ ଟଙ୍କା । ବୈଧ ମାପ ବିଜ୍ଞାନ ବିଭାଗ ୧୧୧ପ୍ରତିଶତ ଲକ୍ଷ୍ୟ ହାସଲ କରି ଦେଇଛି ୨୨,୨୭,୬୫୫ ଟଙ୍କା।ସେହିପରି ଆଞ୍ଚଳିକ ପରିବହନ ଅଧିକାରୀ ୧୦୦.୨୫ ପ୍ରତିଶତ ଲକ୍ଷ୍ୟ ହାସଲ କରି ସଂଗ୍ରହ କରିଛନ୍ତି ୧୪,୦୩,୫୫,୫୩୧ ଟଙ୍କା।
ଏହି ଅବସରରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଉଦ୍ଦିଷ୍ଟ ୮ ଟି ପାରାମିଟରରେ ଉତ୍ତମ ପ୍ରଦର୍ଶନ ସହିତ ଭଲ ରାଜସ୍ୱ ସଂଗ୍ରହ କରିଥିବାରୁ ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁଙ୍କୁ ପ୍ରଥମ, ବୋଡ଼େନ ତହସିଲଦାର ସରିତା ଗୁପ୍ତାଙ୍କୁ ଦ୍ଵିତୀୟ, ତହସିଲଦାର ଖଡ଼ିଆଳ ନରସିଂହ ଗଦବାଙ୍କୁ ତୃତୀୟ ପୁରସ୍କାର ଜିଲ୍ଲାପାଳ ପ୍ରଦାନ କରିଥିଲେ। ସେହିପରି ରେକର୍ଡ ରାଜସ୍ୱ ସଂଗ୍ରହ ପାଇଁ କୋମନା ବ୍ଲକ୍ ବୁଦ୍ଧିକୋମନା ଆର୍ ଆଇ ରାକେଶ କୁମାର ନାୟକ, ବୋଡ଼େନ ବ୍ଲକ୍ ଆର୍ ଆଇ ଅଜୟ ସିଂ, ନୂଆପଡା ଖରିଆର ରୋଡ଼ ଆର୍ ଆଇ ଧନଞ୍ଜୟ ଦଣ୍ଡସେନା, ଖରୀଆର ବ୍ଲକ୍ ବାଦି ଆର୍ ଆଇ ଦେବରାଜ ତ୍ରିପାଠୀ, ସିନାପାଲି ବ୍ଲକ ଭରୁଆ ମୁଣ୍ଡା ଆର୍ ଆଇ ନେପାଳ ରଣା ଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ନିମନ୍ତେ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଭୂ ରାଜସ୍ୱ ତଥା ରାଜସ୍ୱ ସଂଗ୍ରହର ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ସମର୍ପଣ ଭାବନେଇ ସଂପୃକ୍ତ ଅଧିକାରୀ ମାନେ କାମ କରି ଅଧିକରୁ ଅଧିକ ରାଜସ୍ୱ ସଂଗ୍ରହ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।