ନୂଆପଡ଼ା- ୨୪/୧ -(ସୁରେନ୍ଦ୍ର ତିୱାରୀ) ବୀମା କରାଇବାକୁ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗରେ ଷ୍ଟେଟ ବ୍ୟାଙ୍କ କୋମନା ଓ ବୀମା ପ୍ରଦାନ କରି ନ ଥିବା ଅଭିଯୋଗରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍ବିଆଇ) ଜେନେରାଲ ଇନସ୍ୟୁରାନ୍ସ କର୍ତ୍ତୃପକ୍ଷ ଜିଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସୂଚନା ମୁତାବକ ନୂଆପଡ଼ା ଜିଲା କୋମନା ବ୍ଲକ ସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାକୁ ୨୦୧୭ ଜୁନ ୯ରେ ବ୍ୟାଙ୍କିଙ୍ଗ କାରବାର ପାଇଁ ଅଭିଯୋଗକାରୀ ଅବିନାଶ ମଲ୍ଲିକ ସ୍ବର୍ଗତ ପିତା ପ୍ରଦୀପ ମଲ୍ଲିକଙ୍କ ସହ ଯାଇଥିଲେ। ସେଠାରେ ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷ ମିଥ୍ୟା ତଥ୍ୟ ଦେଇ ଏସବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ଗୋଟିଏ ପଲିସି କିଣିବାକୁ ପ୍ରବର୍ତ୍ତାଇ କୌଣସି କାରଣରୁ ବୀମାଧାରୀଙ୍କ ମୃତ୍ୟୁ ହେଲେ ଉତ୍ତରାଧିକାରୀଙ୍କୁ ୨୦ ଲକ୍ଷ ଟଙ୍କା ବୀମା ଅର୍ଥ ପାଇବେ ବୋଲି କହିଥିଲେ। ତଦନୁଯାୟୀ ସ୍ୱର୍ଗତ ପ୍ରଦୀପ ମଲ୍ଲିକ ଏକହଜାର ଟଙ୍କା ବୀମା ପ୍ରିମିୟମ ଜମା କଲେ। ହେଲେ ୨୦୧୮ ଜୁନ ୮ରେ ବୀମାଧାରୀଙ୍କ ମଶା କାମୁଡାରେ ମୃତ୍ୟୁ ହୋଇଥିଲା। ଅବିନାଶ ମଲ୍ଲିକ ଉତ୍ତରାଧୀକାରୀ ଭାବରେ ବୀମା ରାଶି ପାଇବା ପାଇଁ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଏସ୍ବିଆଇ ଜେନେରାଲ ଇନ୍କ୍ୟୁରାନ୍ସ କର୍ତ୍ତୃପକ୍ଷ ବୀମା ରାଶି ଦାବିକୁ ଅଗ୍ରାହ୍ୟ କଲେ। ଏହାକୁ ନେଇ ଅବିନାଶ ଜିଲା ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରିଥିଲେ। ଖାଉଟି ଅଦାଲତର ନୋଟିସ ପାଇଲା ପରେ ଏସବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ କର୍ତ୍ତୃପକ୍ଷ ଓକିଲ ମାଧ୍ଯମରେ ଉପସ୍ଥିତ ହୋଇ ଜବାବ ଦାଖଲ କରିଥିଲେ। ସେ ଏଥିରେ ଦର୍ଶାଇଥିଲେ ଯେ, ଏହି ବୀମା ପଲିସି କେବଳ ଆକସ୍ମିକ ମୃତ୍ୟୁ ପାଇଁ ପ୍ରଯୁଜ୍ୟ। ବୀମାଧାରୀ ମଶା କାମୁଡ଼ାରେ ମୃତ୍ୟୁବରଣ କରିଥିବାରୁ ବୀମାରାଶି ପାଇପାରିବେ ନାହିଁ । ଅନ୍ୟପକ୍ଷରେ ବ୍ୟାଙ୍କ ନାମରେ ଅଣାଯାଇଥିବା ଅଭିଯୋଗ ଉପରେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ଉପସ୍ଥିତ ହେଲେ ନାହିଁ କି କୌଣସି ପ୍ରତିରୋଧ କଲେ ନାହିଁ I ଖାଉଟି ଅଦାଲତ ଅଧ୍ଯକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପଧାନଙ୍କ ଖଣ୍ଡପୀଠ ମାମଲାର ବିଚାର କରି ଏସବିଆଇ ଜେନେରାଲ ଇନ୍କ୍ୟୁରାନ୍ସ ଓ ଷ୍ଟେଟ ବ୍ୟାଙ୍କ କୋମନା କର୍ତ୍ତୃପକ୍ଷ ଖାଉଟିଙ୍କୁ ସେବା ଦେବାରେ ଅବହେଳାକୁ ଦାୟୀ କରି ବୀମା ରାଶି ୨୦ ଲକ୍ଷ ଟଙ୍କା ଆଦେଶ ପାଇବାର ୩୦ଦିନ ଭିତରେ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଅର୍ଥରାଶି ପ୍ରଦାନ ନ କଲେ କ୍ଷତିପୂରଣ ବାବଦ କୁ ଦୈନିକ ୫ ଶହ ଟଙ୍କା ଆଦେଶ ତାରିଖ ଠାରୁ ଅନୁପାଳନ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଆଦେଶ ଦେଇଛନ୍ତି।
