ନୂଆପଡ଼ା- ୧୫/୧ (ସୁରେନ୍ଦ୍ର ତିୱାରୀ) : ଆଜି ଜନ ସେବା ଦିବସ ରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ନୂଆପଡ଼ା ଜିଲ୍ଲାରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ରେ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ l ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କ୍ଲବ ପଡ଼ିଆ ସ୍ଥିତ ସାଂସ୍କୃତିକ ରଙ୍ଗ ମଞ୍ଚ ଠାରେ ଏହି ସଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦିପ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଖରିଆର ରୋଡ ଏନ.ଏ.ସି. ଅଧ୍ୟକ୍ଷା ଡଃ ସୋନିଆ ଜୈନ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲାପାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ସମସ୍ତ ଅତିଥି ମାନେ ସରକାର ନେଇଥିବା ବର୍ଦ୍ଧିତ ଭତ୍ତା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ l ଏହାଦ୍ବାରା ହିତାଧିକାରୀ ମାନେ ସମ୍ମାନର ସହ ବଞ୍ଚି ପାରିବେ ବୋଲି ଆଶା ପ୍ରକାଶ କରିଥିଲେ l ନୂତନ ପଦକ୍ଷେପ ଯୋଗୁଁ ଏବେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧବୃଦ୍ଧା ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ସରକାର ମାସିକ ତିନି ହଜାର ପାଞ୍ଚ ଶହ ଟଙ୍କା ଭତ୍ତା ପ୍ରଦାନ କରିବେ l ଉପସ୍ଥିତ ହିତାଧିକାରୀ ଏଵଂ ଜନତା ଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଲେଯେ ରାଜ୍ୟରେ ମୋହନ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି lବର୍ଦ୍ଧିତ ଭତ୍ତା ଯୋଗୁଁ ଏବେ ପରିବାର ମାନଙ୍କରେ ବୁଢ଼ା ବୁଢ଼ୀ ସେମାନଙ୍କ ପୁଅ ବୋହୂ ଝିଅ ମାନଙ୍କ ଠାରୁ ନିଶ୍ଚିତ ଅଧିକ ସେବା ଯତ୍ନ ପାଇବେ l ବାପା ମା ହେଉଛନ୍ତି ଆମ ପାଇଁ ଜୀବନ୍ତ ଇଶ୍ୱର l ଅସହାୟ ଅବସ୍ଥାରେ ସେମାନଙ୍କୁ ଛାଡ଼ି କେହି ଚାଲି ନ ଯାଆନ୍ତୁ l ଯେଉଁ ବୁଢ଼ା ବୁଢ଼ୀ ମାନଙ୍କ ପରିବାରରେ କେହି ନାହାନ୍ତି ସମାଜ ସେମାନଙ୍କ ଦାୟିତ୍ବ ନେଉ ବୋଲି କହିଥିଲେl ସେ ରାଜନୈତିକ ପଦାଧିକାରୀ ଏଵଂ ଜନ ପ୍ରତିନିଧି ମାନଙ୍କୁ ନିଜ ଅଞ୍ଚଳର ବୁଢ଼ା ବୁଢ଼ୀ ତଥା ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ତଥା ବେସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆହ୍ବାନ କରିଥିଲେ l ଏହି ସଭାକୁ ବରିଷ୍ଠ ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ସଂଯୋଜନା କରିଥିଲେ ଏବଂ ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ସୂଚନାଯୋଗ୍ୟ ଯେ ଆଜିର ଏହି ଜନସେବା ଦିବସ ସମାରୋହରେ ମନ୍ତ୍ରୀ ତଥା ଅଧିକାରୀ ଗଣ ନୂଆପଡ଼ା ବ୍ଲକ୍ ରୁ ୭୦ ଜଣ, ନୂଆପଡ଼ା ଏନ.ଏ.ସି. ରୁ ୪୦ ଜଣ, ଖରିଆର ରୋଡ ଏନ.ଏ. ସି. ରୁ ୪୯ ଜଣ, ଖଡ଼ିଆଳ ଏନ.ଏ.ସି. ରୁ ୧୦ ଜଣ, ଖଡ଼ିଆଳ, କୋମନା, ବୋଡ଼େନ ଓ ସିନାପାଲି ବ୍ଲକ ରୁ ସମୁଦାୟ ୨୦୦ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ l ସମଗ୍ର ଜିଲ୍ଲାରେ ଜାନୁୟାରୀ ମାସ ପାଇଁ ୧୧,୧୯୨ ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ l ଆଜିର କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତି ରେଖା ନନ୍ଦ ପରିଚାଳନା କରିଥିଲେ ଏଵଂ ବିଭାଗୀୟ ସମସ୍ତ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହଯୋଗ କରିଥିଲେ l