ନୂଆପଡ଼ା – ୧୯/୧୨- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ନୋଡ଼ାଲ ଉଚ୍ଚ ବିଦ୍ଯାଳୟର ୬୩ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବିଦ୍ଯାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ଯରେ ମୁଖ୍ଯ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ବରିଷ୍ଠ ଶିକ୍ଷାବିତ୍ତ ପୁଣ୍ତରୀକାକ୍ଷ ପାଣିଗ୍ରାହୀ, ମୁଖ୍ଯବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ଯାପକ ବିଜୟ କୁମାର ବାରିକ ଓ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିଲେ l ନୈତିକ ଓ ସଂସ୍କାରିତ ଶିକ୍ଷାଦାନ ଦ୍ବାରା ନୀତିବାନ ମଣିଷଙ୍କ ସଂଖ୍ଯା ବଢ଼ିବ ଓ ସମାଜ ଶୃଙ୍ଖଳିତ ହେବ ବୋଲି ଏ ଅବସରରେ ଅତିଥି ମାନେ ସାମୁହିକ ମତବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ଶିକ୍ଷକ ମନୋରଞ୍ଜନ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ବରିଷ୍ଠ ଶିକ୍ଷକ ମୁବାରକ ଖାନ୍ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଶିକ୍ଷକ ମହେଶ କୁମାର ମେହେର ଓ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ମେହେର ପରିଚାଳନା କରିଥିଲେ l ଏ ଅବସରରେ ଅତିଥିଙ୍କୁ ବିଦ୍ଯାଳୟ ତରଫରୁ ସ୍ମୃତିସ୍ମାରକୀ ପ୍ରଦାନ କରାଯାଇଥିଲା । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ବିଜ୍ଞାନ ଶିକ୍ଷକ ଅନିଲ କୁମାର ସା ଧନ୍ଯବାଦ ଦେଇଥିଲେ l କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।