ଜିଲ୍ଲାରେ ପ୍ରାୟ ଏକ ଲକ୍ଷ ଷୋହଳ ହଜାର ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ପଞ୍ଜିକୃତ ହେଲେ ସମାଜିକ କଲ୍ୟାଣ ଯୋଜନାରୁ ବଞ୍ଚିତ ଅଭିଯୋଗ
ନୂଆପଡା- ୫/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଗତକାଲି ସନ୍ଧ୍ୟାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଇନଚାର୍ଜ ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ଡି.ଏସ. ଧରୁଆ ଙ୍କ ସହିତ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ସମସ୍ତ ପ୍ରମୁଖ କର୍ମକର୍ତ୍ତା ଜିଲ୍ଲା ଆବାହକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସାକ୍ଷାତ ଆଲୋଚନା କରି ଜିଲ୍ଲାର ନିର୍ମାଣ ଶ୍ରମିକ ଓ ଦାଦନ ଶ୍ରମିକଙ୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଜିଲ୍ଲାରେ ଏକ ଲକ୍ଷ ଷୋହଳ ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ପାଖକୁ ସାମାଜିକ କଲ୍ୟାଣ ଯୋଜନା ପହଞ୍ଚି ପାରୁ ନାହିଁ , ଜିଲ୍ଲାରେ ଶ୍ରମ ବିଭାଗ ନାମକୁ ମାତ୍ର ଚାଲିଛି ବୋଲି ଜିଲ୍ଲା ଶ୍ରମିକ ମହାସଙ୍ଘ ଗଭୀର ଉଦବେଗ ପ୍ରକାଶ କରିଛି।ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଦୈନିକ ଶହ ଶହ ଶ୍ରମିକ ଆସି ନାହିଁ ନ ଥିବା ହଇରାଣ ରେ ପଡୁଛନ୍ତି, ଅଥଚ ଯେତେ ଦାବି ଓ ଆଲୋଚନା କଲେ ମଧ୍ୟ କୌଣସି ନିରାକରଣ କରାଯାଉ ନାହିଁ। ବିଭିନ୍ନ ବେନିଫିଟ ଯୋଜନାରେ ଗାଁ ଗାଁ ରେ ଦଲାଲ ମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି ଓ ଏହାର ଚେର ଜିଲ୍ଲା ଶ୍ରମ କାର୍ଯ୍ୟଳୟ ପର୍ଯ୍ୟନ୍ତ ଲମ୍ବିଛି। ନିକଟରେ ଗଣ ମାଧ୍ୟମରେ ଏଭଳି ଅନେକ ଘଟଣା ପ୍ରକାଶ ପାଇଛି, ଯାହା ଘୋର ନିନ୍ଦନୀୟ ଅଟେ ଓ ଏ ପ୍ରକାର ଶ୍ରମିକ ଶୋଷଣ କୁ କଠୋର ହସ୍ତରେ ଦମନ କରିବାର ଆବଶ୍ୟକତା ଅଛି।
ଜିଲ୍ଳା ଶ୍ରମିକ ମହାସଙ୍ଘ ଏହାର ଘୋର ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ପାଖରେ ଦାବି କରିଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଅଧିକାରୀ କେହି ନାହାନ୍ତି, ମୁଁ ଜଣେ ଲୋକ ଅଛି,କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର ସମସ୍ତଙ୍କୁ ବିନା ବିକଳ୍ପ ରେ ଟ୍ରାନ୍ସଫର କରି ଦିଆଯାଇଛି, ମୁଁ କିଛି କାମ କରିପାରୁନାହିଁ କହି ଶ୍ରମ ଅଧିକାରୀ ଶ୍ରୀ ଧରୁଆ ନିଜର ଅସହାୟତା ପ୍ରକାଶ କରିଥିଲେ। ଏହା ପୂର୍ବରୁ ଜିଲ୍ଲା ଶ୍ରମିକ ମହାସଙ୍ଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ,ଜିଲ୍ଲାପାଳଙ୍କ ସହିତ ମଧ୍ୟ ବିସ୍ତୃତ ଚର୍ଚ୍ଚା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲା ନାହିଁ। ଆମର ଦାବି କୁ ଶୁଣିବା,ବିଚାର କରିବା କି କାର୍ଯ୍ୟକାରୀ କରିବା ଦୁରେ ଥାଉ ବରଂ ଟ୍ରେଡ଼ ୟୁନିୟନ ଗୁଡିକର ଭୂମିକା ଓ କାର୍ଯ୍ୟକଳାପ କୁ ଗୌଣ ଓ ଅଣଦେଖା କରାଯାଉଛି ବୋଲି ମହାସଙ୍ଘ ଅଭିଯୋଗ କରିଛି।
ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଆଲୋଚନା ପରେ ପରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଛୋଟିଆ ସାଙ୍ଗଠନିକ ବୈଠକ ଶ୍ରୀ ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ରାଜ୍ୟ ସରକାର ବିରୁଦ୍ଧରେ ଜୋରଦାର ଆନ୍ଦୋଳ କରିବାକୁ ସଂକଳ୍ପ ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।ଆଗାମୀ ପନ୍ଦର ସେପ୍ଟେମ୍ବର ଦିନ ନୂଆପଡା ଜିଲ୍ଲା ଶ୍ରମିକ ମହାସଙ୍ଘ ର ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ଗୃହୀତ ହେଲା ଓ ଉକ୍ତ କାର୍ଯ୍ୟକ୍ରମ ରେ ଆନ୍ଦୋଳନ ର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ଏହି ଆଲୋଚନା ଓ ବୈଠକରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ବରିଷ୍ଠ ନେତା ଶ୍ରୀ କେଶବ ବେହେରା,ଶୁକ୍ଳାମ୍ବର ନିଆଲ,ଅନିରୁଦ୍ଧ ନାଗ,ଜ୍ଞାନେଶ୍ୱର ବାଗ,ଲାଲୁ ଦଣ୍ଡସେନା,ଘନଶ୍ୟାମ ଭିତରିଆ, ଅଜୟ ଧରୁଆ ,ଭକ୍ତବନ୍ଧୁ ଧରୁଆ,ପ୍ରମୁଖ ସାମିଲ ହୋଇ ନିଜ ନିଜର ସୁଚିନ୍ତିତ ମତା ମତ ଓ ପରାମର୍ଶ ପ୍ରଦାନ କରିଥିଲେ।
Comments are closed.