ନିରାକାରପୁର,୨୧/୩: ପାନୀୟ ବିଶୁଦ୍ଧ ଜଳ ପାଇଁ ସରକାରଙ୍କ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ପାଇଁ ଜଂକିଆ ଖେଳ ପଡିଆ ନିକଟରେ ଏକ ଓଭର ହେଡ୍ ଟାଙ୍କି ପ୍ରାୟ ୧୦ ବର୍ଷ ରୁ ଅଧିକ ହେବ ନିର୍ମାଣ ହୋଇ ଥିଲେ ବି ଏ ପର୍ଯ୍ୟନ୍ତ ଲୋକେ ପାଣି ଟୋପାଏ ପାଇ ପାରିଲେ ନାହିଁ। ପ୍ରଥମେ ଏହି ସ୍ଥାନରେ ଯେଉଁ ବୋରିଂ ଖୋଳ। ଯାଇଥିଲା ସେଥିରୁ ପାଣି ବାହାରିଲା ନାହିଁ। ପରେ ପାଇପ୍ ବିଛା ଯାଇ ନିକଟସ୍ଥ ମଲାଗୁଣୀ ନଦୀରୁ ପାଣି ଆସବା ପାଇଁ ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ୧୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବେଳେ ଖୋଳଖୋଳିରେ ପାଇପ ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଫଳରେ ତାହାବି ଫେଲ ମାରିଥିଲା। ବର୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଲୋକଙ୍କ କାମରେ ଆସୁ ନଥିବାବେଳେ ଖରା ଦିନ ଆସିବା ଫଳରେ ପାନୀୟ ଜଳ ର ଅଭାବ ସୃଷ୍ଟି ହେଲାଣି।ଜଂକିଆ ପଞ୍ଚାୟତ ବାଲିଗାଡିଆ , ମୁଣ୍ଡାଆମ୍ବ, ଜଂକିଆ ଅଞ୍ଚଳ ପାଇଁ ଏହି ପ୍ରକଳ୍ପ ହୋଇଥିବାବେଳେ ଏହା କାର୍ଯ୍ୟ କରୁ ନ ଥିବାରୁ ଲୋକେ ପାନୀୟ ଜଳ ପାଇବାରେ ଅସୁବିଧା ଅନୁଭବ କରୁଛନ୍ତି। ତେଣୁ ଏତେ ଗୁଡ଼ାଏ ଟଙ୍କା ବ୍ୟୟ ରେ କରାଯାଇଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇ ଜଳ ସଙ୍କଟ ଦୂର କରିବାକୁ ଦାବି ହେଉଛି।