ନିମାପଡା : ନିମାପଡା ବ୍ଲକ ସଲଙ୍ଗ ପଂଚାୟତର ଓହଳ ସେବାସମବାୟ ସମିତି ଏବଂ ଧଳେଶ୍ୱର ପଚାଂୟତ ଧଳେଶ୍ୱର ସେବା ସମବାୟ ସମିତିରେ ଚାଷୀ ଧାନ ବିକ୍ରୟ କରିନପାରିବାରୁ ଆଜି ନିମାପଡା ଦୋଳବେଦୀ ଛକ ଠାରେ ରାସ୍ତା ଉପରେ ଧାନ ବସ୍ତା ରଖି ଧାରଣା ଦେବା ଫଳରେ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ କରିପାରିନଥିଲା ।
ଏହି ୨ ସେବା ସମବାୟ ସମିତିରେ ଚାଷୀଙ୍କୁ ଟୋକନ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଠାରୁ ଧାନ କିଣାଯାଉନଥିବା,କେତେକ ଚାଷୀଙ୍କ ଟୋକନକୁ ପରବର୍ତୀ ସମୟରେ ବାତିଲ କରିଦେବା,ହେଉଥିବା ଅନିୟମିତତା ପଛରେ ସମବାୟ ସଂସ୍ଥାର କେତେକ କର୍ମଚାରୀଙ୍କ ହାତ ରହୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି ।
ମଣ୍ଡିରେ ଚାଲିଥିବା ବିଭିନ୍ନ ଅନିୟମିତତା ସଂପର୍କରେ ବିଭାଗୀୟ ଉପରିସ୍ତ ଅଧିକାରୀଙ୍କ ନିକଟରେ ଚାଷୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସେମାନଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି ।ଆଜି ବାଧ୍ୟହୋଇ ଚାଷୀ ବିଦ୍ୟାଧର ଜେନା,ଶଶାଙ୍କ ବେହେରା,ରଜତ କୁମାର ଜେନା ପ୍ରମୁଖଙ୍କ ସମେତ ଉକ୍ତ ଦୁଇ ପଂଚାୟତର ବହୁ ଚାଷୀ ଦାବୀ ପୁରଣ ପାଇଁ ରାସ୍ତା ଉପରେ ଧାନ ରଖି ଧାରଣାରେ ବସିରହିଥିଲେ ।ଫଳରେ ରାସ୍ତାରେ ଯାନବାହାନ ଚଳାଚଳ କରିପାରିନଥିଲା ।ଘଟଣା ସ୍ଥଳରେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପହଂଚି ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀଙ୍କ ପକ୍ଷରୁ କରାଯାଇଥିବା ଧାରଣା ହଟିଥିଲା ଏବଂ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା