ନେମାଳ ୨୧/୮ : ନେମାଳ ଥାନା ଅଧିନସ୍ଥ ବନ୍ଧୁପୁର ଭାବରଚାନ୍ଦ ଛକରୁ ବ୍ରାହ୍ମଣଖଣ୍ଡ ଗ୍ରାମକୁ ଯାତାୟାତ ପାଇଁ ଥିବା ଗ୍ରାମ୍ୟ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପର ଦେଇ ଭାବରଚାନ୍ଦ ଓ ବ୍ରାହ୍ମଣଖଣ୍ଡ ଗ୍ରାମର ୫୦ ରୁ ଉର୍ଦ୍ଧ ପରିବାର ପ୍ରତ୍ୟେହ ଦିନ ହାଟ, ବଜାର, ବିଲବାଡି ଆଦିକୁ ଯାତାୟାତ କରୁଥିଲା ବେଳେ ବହୁ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି ।
ତେବେ ପଂଚାୟତ ପକ୍ଷରୁ ଏହି ରାସ୍ତାର କିଛି ଅଂଶକୁ ଢଳେଇ କରାଯାଇଥିଲା ବେଳେ ଅବଶିଷ୍ଟ ଅଂଶ ବର୍ଷା ଦିନେ ଶୋଚନୀୟ ହୋଇପଡିଛି । ଗ୍ରାମବାସୀମାନେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ସମୟରେ ଦାବି କରୁଆସୁଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ତୁରନ୍ତ ଏହି ରାସ୍ତାପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।
