ନେମାଳ ୨୧/୮ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ଗ୍ରାମ ପଂଚାୟତ ପିଁପୁରଠାରେ ୧୨୫୦ ଫୁଟର ଏକ ବିଶାଳକାୟ ଅତଡା ୩୦ ଫୁଟ ଗଭୀରତା ନଦୀ ଗର୍ଭକୁ ଲୀନ ହୋଇଯାଇଛି । ବାଲି ମାଫିଆମାନଙ୍କର ଅବାଧ ବାଲି ଚାଲଣ, କିଶୋରନଗର ତହସିଲଦାରଙ୍କ ବାଲି ମାଫିଆଙ୍କ ପ୍ର୍ରତି ଅନୁକମ୍ପା ଦୃଷ୍ଟି ଓ ପ୍ରଶାସନର ଆଢୁଆଳରେ ଦୀର୍ଘର୍ ଦିନ ଧରି ବାଲି ମାଫିଆମାନେ ଅବାଧରେ ବାଲି ଚାଲାଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀମାନେ ଖୁଲମଖୁଲା ଅଭିଯୋଗ କରିଛନ୍ତି ।
ଏହିସ୍ଥାନରୁ ପାରାଦୀପ, ରାଜନଗର, ପଟ୍ଟାମୁଣ୍ଡାଇ , କେନ୍ଦ୍ରାପଡା ଆଦି ସ୍ଥାନମାନଙ୍କୁ ବେଧଡକ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ବହୁବାର ଗ୍ରାମବାସୀମାନେ ପ୍ରଶାସନଠାରେ ବାଲି ଚାଲଣ ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନଥିଲା । ଯାହାଫଳରେ ୧୨ ରୁ ୧୪ ଟି ପଂଚାୟତ ଏବେ ନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଘଟଣା ସଂପର୍କରେ ଜାଣିଲା ପରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ସମସ୍ତ କାର୍ଯ୍ୟକୁ ବାତିଲ କରି ଏଠାରେ ରହି ଅତଡା ସ୍ଥାନକୁ କିପରି ରୋକାଯାଇପାରିବ ତାର ସମୀକ୍ଷା କରୁଛନ୍ତି । ବି ଧାୟକଙ୍କ ସମେତ କଟକ ଜିଲ୍ଲାର ଉପଜିଲ୍ଲାପାଳ ପ୍ରତାପ ବେଉରା, କିଶୋରନଗର ତହସିଲଦାର ସୁଚିତା ମହାପାତ୍ର, ସେଚ ବିଭାଗ ଉପସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜକୁମାର ବେହେରା ଓ ସହକାରୀ ଯନ୍ତ୍ରୀ ମହେନ୍ଦ୍ର ସାହୁ ମଧ୍ୟ କାର୍ଯ୍ୟକୁ ତଦାରଖ କରିବା ସହ ପ୍ରତି ଦିନ ୩୦୦ ବ୍ୟକ୍ତିଙ୍କୁ କାର୍ଯ୍ୟରେ ନିୟୋଜିତ କରି ଅତଡା ଖାଇଥିବା ସ୍ଥାନରେ ବାଲିବସ୍ତା ପକାଇ ମରାମତି କାର୍ଯ୍ୟ ଚାଲୁ ରଖିଛନ୍ତି ।
ଶ୍ରୀ ବେହେରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଶାସନକୁ କାର୍ଯ୍ୟରେ ସହଯୋଗ କରିବା ସହିତ ଯେପରି ଏ ସ୍ଥାନରେ ଘାଇ ସୃଷ୍ଟି ହୁଏ ସେଥିଲାଗି ସମସ୍ତେ ତତ୍ପରତା ପ୍ରକାଶ କରିବା ଦରକାର । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ମନୋଜ ମହାନ୍ତି, ମୀନକେତନ ବସ୍ତିଆ, ସରପଂଚ ସରୋଜ ବେହେରା, ବିଭୂତି ମଲ୍ଲ, ବିଶ୍ୱରଂଜନ ମହାନ୍ତି, ଯୁବନେତା ପ୍ରଶାନ୍ତ ନାୟକ, ହିଂମାଶୁ ଦାସ, ଭୈରବ କାସ୍ତ, ଜମେଶ୍ୱର ବେଉରା, ଅକ୍ଷୟ ପରିଜା ପ୍ରମୁଖ ସହଯୋଗ କରିଛନ୍ତି ।