Odisha news

୬୯୨୩ କୋଟି ନିବେଶ ପାଇଁ ବାଟ ଖୋଲିଲା : ୩ ପ୍ରକଳ୍ପକୁ ମଞ୍ଜୁରି

0

ତ୍ରିବେଣୀ ଆର୍ଥମୁଭର୍ସ କାରଖାନାକୁ ଅନୁମତି
ପାରାଦୀପରେ ବି କରିବ ଆଉ ଏକ ପ୍ଲାଣ୍ଟ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୬୯୨୯ କୋଟି ୨୩ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ପ୍ରକଳ୍ପ ୩ଟିକୁ ଅନୁମୋଦନ କରିଛି। ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ୨୨ତମ ‌ବୈଠକରେ ଏସବୁ ପ୍ରସ୍ତାବ ବିଚାର ପାଇଁ ଆସିଥିଲା।

ଏହି ପ୍ରସ୍ତାବ ମଧ୍ୟରୁ ଦୁଇଟି ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ହେବାକୁ ଥିବାବେଳେ ଗୋଟିଏ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମାଣ ହେବ। ଉକ୍ତ ପ୍ରକଳ୍ପ ୩ଟି କାର୍ଯ୍ୟକାରୀ ହେଲେ ୪୬୩୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ନିଷ୍ପତ୍ତି ଅନୁଯାୟୀ, ତ୍ରିବେଣୀ ଆର୍ଥମୁଭର୍ସ ଲିମିଟେଡ୍ କେନ୍ଦୁଝର ଜିଲ୍ଲାର ଦେଓଝରଠାରେ ଏକ ବେନିଫିଏସନ୍ ପ୍ଲାଣ୍ଟ ସ୍ଥାପନ କରିବ। ବାର୍ଷିକ ୩୦ ନିୟୁତ ଟନ୍ ବିଶିଷ୍ଟ ଏହି କାରଖାନା ସ୍ଥାପନ ବାବଦରେ କମ୍ପାନି ୧୪୨୬ କୋଟି ୭୫ ଲକ୍ଷ ଟଙ୍କା ନିବେଶ କରିବ। ଏହି କାରଖାନା ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବ ଏବଂ କାରଖାନା ନିର୍ମାଣ ହେଲେ ୯୫୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିଭଳି ତ୍ରିବେଣୀ ଆର୍ଥମୁଭର୍ସ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ପାରାଦୀପର ଭିତରଗଡ଼ଠାରେ ଏକ ପେଲେଟ୍‌ ପ୍ଲାଣ୍ଟ ସ୍ଥାପନକୁ ଉଚ୍ଚସ୍ତରୀୟ କମିଟି ମଞ୍ଜୁରି ଦେଇଛି। ବାର୍ଷିକ ୨୪ ନିୟୁତ ଟନ୍ ବିଶିଷ୍ଟ ଏହି ପ୍ଲାଣ୍ଟ୍‌ ସ୍ଥାପନ ବାବଦରେ ତ୍ରିବେଣୀ ଆର୍ଥମୁଭର୍ସ ୩୩୯୬ କୋଟି ୫୧ ଲକ୍ଷ ଟଙ୍କା ନିବେଶ କରିବ। ଏହି କାରଖାନାରେ ୯୫୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଏତଦ୍‌ବ୍ୟତୀତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କେନ୍ଦୁଝର ଜିଲ୍ଲାର ନୟାଗଡ଼ଠାରେ ବାର୍ଷିକ ୧.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ କାରଖାନା ଏବଂ ୨୨୫ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ବ ବିଦ୍ୟୁତ୍ ପ୍ଲାଣ୍ଟ ନିର୍ମାଣକୁ ମଧ୍ୟ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି। ସମନ୍ବିତ ଇସ୍ପାତ କାରଖାନା ଏବଂ ନିଜସ୍ବ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ବାବଦରେ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍‌ ୨୧୦୦ କୋଟି ଟଙ୍କା ନିବେଶ କରିବ। ଏହି କାରଖାନା ନିର୍ମାଣ ହେଲେ ୨୮୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ।

Leave A Reply