Odisha news

ମହାନାୟିକାଙ୍କ ମହାପ୍ରୟାଣ : ଅଗଷ୍ଟ୦୪ ତାରିଖ, ନନ୍ଦିନୀ ଶତପଥୀଙ୍କ ୧୫ ତମ ଶ୍ରାଦ୍ଧଉତ୍ସବ ଉପଲକ୍ଷେ

ହିମାଂଶୁ ଶେଖର ଆ·ର୍ଯ୍ୟ :୨୦୦୬ ମସିହା ଅଗଷ୍ଟ ୦୪ ତାରିଖ । ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ମାଟିପିଣ୍ଡରୁ ପ୍ରାଣପକ୍ଷୀ ଉଡିଗଲା । ଏହି ଖବର ତଡିତ୍ ବେଗରେ ସାରା ଦେଶରେ ପ୍ରଚାର ହୋଇଗଲା । ପରେ ତାଙ୍କ ଶେଷ ଦର୍ଶନ ପାଇଁ ଗରାବଡୁ ଶ୍ମଶାନରେ ଲାଗିରହିଥିଲା ପ୍ରବଡ ଭିଡ । ଦୁବ,ବରକୋଳି ପତ୍ର ଓ ହଜାର ହଜାର ନନ୍ଦିନୀ ପାଗଳ ମଣିଷଙ୍କ ଲୁହ ଏବଂ କୋହ ସମୁଦାୟ ଶ୍ମଶାନକୁ କାରୁଣ୍ୟମୟ କରିଦେଇଥିଲା । ହେଲେ କିଛି ଶୁଣୁନଥିଲେ ମାଟିର ନନ୍ଦିନୀ – ନନ୍ଦିନୀ ଶତପଥୀ,ସେ ଶୋଇଯାଇଥିଲେ ମହାନିଦ୍ରାରେ । ସାଧାରଣ ଜନତାର “ନନ୍ଦିନୀ ଦେବୀ ଅମର ରହେ” ଧ୍ୱନି ରେ ଓଡିଶାର ଗଗନ ପବନ ପ୍ରକମ୍ପିତ ହୋଇଥିଲା । ପିତା ପଦ୍ମଭୂଷଣ କାଳିନ୍ଦୀ ଚରଣ ପ୍ରାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଆଦରର କନ୍ୟା ଧରାପୃଷ୍ଠରେ ୭୫ବର୍ଷ ଲୀଳାଖେଳା ସାରି ମୃତ୍ୟୁପରେ ଅମର ହୋଇ ରହିଗଲେ । ଯଥାର୍ଥରେ କୀର୍ତ୍ତି ଓ ଯଶ ଥିବା ବ୍ୟକ୍ତି ହିଁ ମରଣଜୟୀ ହୋଇଥାନ୍ତି । ସେଥିପାଇଁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କ ଶୋକବାର୍ତ୍ତାରେ ଲେଖିଥିଲେ – “ଆମ ସାଧାରଣ ଜୀବନର ଜଣେ ଲୋକପ୍ରିୟ ଏକ ପ୍ରମୁଖ ନେତ୍ରୀ ଭାବରେ ସ୍ୱର୍ଗୀୟା ନନ୍ଦିନୀ ଶତପଥୀ ତାଙ୍କ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ ।” ସେହିପରି ବିଶିଷ୍ଟ ସ୍ତମ୍ଭକାର ୰ବରେନ୍ଦ୍ର କୃଷ୍ଣ ଧଳ କହିଥିଲେ – “ନନ୍ଦିନୀ ଦେବୀ ·ଲିଗଲେ । ଗୋଟିଏ ଯୁଗର ଅବସାନ ହେଲା…” ।

ବାଲ୍ୟକାଳରୁ ଉଭୟ ପିତା କାଳିନ୍ଦୀ ଚରଣ ପ୍ରାଣିଗ୍ରାହୀ ଓ କକା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଆଦର୍ଶର ପ୍ରଭାବ ପଡିଥିଲା ନନ୍ଦିନୀଙ୍କ ଉପରେ । କକାଙ୍କ ସାମ୍ୟବାଦୀ ଚିନ୍ତାଧାରାର ସଂସ୍ପର୍ଶରେ ସେ ଛୋଟବେଳୁ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଥିଲେ ପ୍ରତିଜ୍ଞାବଦ୍ଧ । ପାଠ ପଢୁଥିଲେ, ଏଣେ ଦେଶକଥା ଭାବୁଥିଲେ । ଲଢିବା ପ୍ରବୃତିଥିଲା ତାଙ୍କ ରକ୍ତରେ । ବ୍ରିଟିଶ ଶାସନ ବିରୋଧରେ ହେଉ କି ଅନ୍ୟାୟ ବିରୋଧରେ, ବନ୍ୟା. ବାତ୍ୟା, ମରୁଡି ହେଉକି ଛାତ୍ରମାନଙ୍କ ହକ୍ ପାଇଁ- ସବୁଠି ଶୁଭୁଥିଲା ତାଙ୍କ ସ୍ୱର । ଯେଇଁଥିପାଇଁ ତାଙ୍କ ସମସାମୟିକ ଛାତ୍ରୀଛାତ୍ରମାନେ କହୁଥିଲେ – ‘ଦୁର୍ଗା ଆସିଗଲେ’ । ସେହିପରି ପିତାଙ୍କ ସୃଜନଶୀଳତା ତାଙ୍କୁ ସାରସ୍ୱତ ସାଧିକା ହେବାପାଇଁ ବେଶ ପ୍ରେରଣା ଦେଇଥିଲା । ସାହିତ୍ୟ ଓ ରାଜନୀତିର ଅପୂର୍ବ ସମନ୍ୱୟ ତାଙ୍କ ଜୀବନରେ ଘଟିଥିଲା । ୧୯୪୨ ମସିହାର କଥା ।

ଭାରତ ଛାଡ ଆନେ୍ଦାଳନ ଜୋର ଧରିଥାଏ । ନନ୍ଦିନୀ ଦେବୀ ସେତେବେଳେ କଟକ ପା୍ରକ୍ଟିସିଂ ମିଡିଲ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥାନ୍ତି । ଏହି ଆନେ୍ଦାଳନକୁ ସମର୍ଥନ କରି କଟକରେ ଏକ ଶୋଭାଯାତ୍ରା ବାହାରିଥିଲା । ଯେମିତି ଇନ୍କିଲାବ୍-ଜିନ୍ଦାବାଦ୍ ସ୍ଲୋଗାନ କାନରେ ପଡିଛି ନନ୍ଦିନୀ ଶ୍ରେଣୀ ଗୃହରୁ ବାହାରି ପାଚେରୀ ଡେଇଁ ଶୋଭାଯାତ୍ରାରେ ସାମିଲ ହୋଇଗଲେ । ସ୍କୁଲର ପ୍ରଧାନ ଶିକ୍ଷକ ରହମତ୍ ଅଲ୍ଲୀ ଏ କଥା ଜାଣିଲା ପରେ ତାଙ୍କ ପାଟିରୁ ଆପେ ବାହାରି ପଡିଲା – “ଦିନେ ଏ ପିଲା ବାପ-ମା’ ଙ୍କ ନାଁ ରଖିବ ।

ନନ୍ଦିନୀ ଦେବୀ ଜଣେ ଅପ୍ରତିଦ୍ୱନ୍ଦୀ ତଥା ସାଲିସ ବିହୀନ ନେତ୍ରୀ ଭାବେ ଯେତିକି ପରିଚିତା, ଜଣେ ସମାଜସେବୀ ଓ ସଂସ୍କାରିକା ଭାବେ ସେତିକି ବିଦିତା । ୧୯୬୨ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରାୟ ·ରିଦଶନ୍ଧି ଧରି ସେ ଓଡିଶା ତଥା ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୬୨ ମସିହାରେ ପ୍ରଥମେ ରାଜ୍ୟସଭାରେ ପାଦଦେଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୬ ରୁ ୧୯୬୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ସୂଚାରୁରୂପେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ସେ ନିର୍ବାଚନରେ ପରାଜୟ କେବେ ବରଣ କରିନାହାଁନ୍ତି । ୧୯୭୨, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ରେ ଓଡିଶା ବିଧାନସଭାକୁ ସାତ ଥର ନିର୍ବାଚିତ ହୋଇଥିଲେ । ଜିଣିବାଟା ଯେମିତି ଥିଲା ତାଙ୍କର ଜନ୍ମଗତ ଅଧିକାର । ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା ।

୧୯୭୨ ମସିହାରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବା ସହିତ ୧୯୭୩ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୪ ରୁ ୧୯୭୬ ପର୍ଯ୍ୟନ୍ତ ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ଓଡିଶା ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ୧୯୮୯ ଓ ୧୯୯୫ ମସିହାରେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ କାର୍ଯ୍ୟକରି ନିଜର ପାରଦର୍ଶିତାର ପ୍ରମାଣ ଦେଇଥିଲେ । ଜନ୍ମରେ ନାରୀ ହେଲେବି ତାଙ୍କଠି ଅତୁଳନୀୟ ପୁରୁଷାକାର ଥିଲା । ନିଜର ପ୍ରତିଭା ଓ ପାରାକାଷ୍ଠା ଯୋଗୁଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍ ନିକଟବର୍ତ୍ତୀ ହୋଇପାରିଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀଙ୍କ କାର୍ଯ୍ୟକାଳକୁ ଏବେବି ଲୋକମାନେ ଶ୍ରଦ୍ଧା ଓ ସମ୍ମାନର ସହ ମନେ ରଖିଛନ୍ତି । ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ଶାସନର ମୂଳ ଲକ୍ଷ୍ୟ ଥିଲା । ସେ ବୁଝିଥିଲେ ଶିଳ୍ପ, କୃଷି, ଜଳସେଚନ ଓ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନ ଆସିଲେ ଓଡିଶାର ଆଖି ଦୃଶିଆ ପ୍ରଗତି ହୋଇପାରିବ ନାହିଁ । ରାଜ୍ୟର ସମୃଦ୍ଧି ନିମନ୍ତେ ଶିଳ୍ପ ପ୍ରତିଷ୍ଠା ଦିଗରେ ସେ ଲାଗି ପଡିଥିଲେ । ତାଳଚେରର ସାର କାରଖାନା, ସୁକିନ୍ଦା ଠାରେ ନିକେଲ କାରଖାନା ଓ ଗୋପାଳପୁରର ରେୟାର ଆର୍ଥ କମ୍ପ୍ଲେକ୍ସ ତାଙ୍କ ସମୟରେ ଆରମ୍ଭ ହେବା ସହ ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ତାଙ୍କ ସମୟରେ ହୋଇଥିଲା ।

କୃଷି ପାଇଁ ଜଳସେଚନର ଆବଶ୍ୟକତା ଥିବାରୁ ସେ ଅପର କୋଲାବ ଜଳ ପ୍ରକଳ୍ପ ଓ ରେଙ୍ଗାଲି ପ୍ରକଳ୍ପ ପରି କ୍ଷୁଦ୍ର ତଥା ମଧ୍ୟମ ଧରଣ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସେହିପରି ଦୀନହୀନ, ଖଟିଖିଆ ଭୂମିହୀନ ଓ ନାମମାତ୍ର ·ଷୀଙ୍କ ଦୁଃସ୍ଥିତିକୁ ସୁଧାରିବା ପାଇଁ ସେ ଆରମ୍ଭ କରିଥିଲେ ଐତିହାସିକ ଭୂସଂସ୍କାର ଆଇନ୍ । ଏଥିସହିତ କର୍ମ·ରୀ ମାନଙ୍କଠାରୁ କାମ ଆଦାୟ କରିବାପାଇଁ ସେ ସରେଣ୍ଡର ଲିଭ୍, ଅବସରକାଳୀନ ଭତ୍ତା ଓ ରିହାବିଲିଟେସନ୍ ସ୍କିମ୍ରେ ·କିର ପ୍ରଦାନ ଆଦି କଲ୍ୟାଣକାରୀ ପଦେକ୍ଷପମାନ ନେଇଥିଲେ । ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ନନ୍ଦିନୀ ଦେବୀ ବିଶେଶ ଗୁରୁତ୍ୱ ଦେଇଥିଲେ । ଏହାକୁ ଆଖିଆଗରେ ରଖି ସେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ପରି·ଳନା କମିଟିର ପ୍ରତ୍ୟକ୍ଷ ନିୟନ୍ତ୍ରଣରୁ ମୁକ୍ତ କରି ୧୯୭୪ ମସିହାରେ ପ୍ରଚଳନ କରିଥିଲେ ଯୁଗାନ୍ତକାରୀ ଓ ବହୁଚର୍ଚ୍ଚିତ ପ୍ରତ୍ୟକ୍ଷ ଅନୁଦାନ ଆଇନ୍ । ଏଥିପାଇଁ ଶିକ୍ଷକ ସମାଜ ତାଙ୍କ ପାଖରେ ସବୁଦିନ ଋଣୀ ହୋଇରହିବେ ।
ରାଜନୀତି ଭିତରେ ଥାଇ ବି ସାହିତ୍ୟ ସାଧନାରୁ ବିରତ ହୋଇନଥିଲେ ନନ୍ଦିନୀ ଶତପଥୀ । ଓଡିଆ ସାହିତ୍ୟର ବିସ୍ତୀର୍ଣ୍ଣ ଇଲାକାରେ ସେ ସ୍ୱକୀୟ ଛାପ ଛାଡିଯାଇଛନ୍ତି । ତାଙ୍କ ଲେଖିବାର ଢ଼ଙ୍ଗ ମଧ୍ୟ ନିଆରା ଥିଲା ।

ବିଶେଷକରି ଅନୁବାଦ କ୍ଷେତ୍ରରେ ତାଙ୍କର ବିଚକ୍ଷଣତା ବେଶ୍ ବାରି ହୋଇପଡୁଥିଲା । ତାଙ୍କ ସୃଜନଶୀଳତାର ଚଉହଦୀ “ଅନାଥ’’ ଠାର ୁ ଆରମ୍ଭ କରି “ଉତ୍ତର ପୁରୁଷ’’ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଏଥିସହିତ ତସ୍ଲିମା ନସରିନ୍ଙ୍କ ବଙ୍ଗଳା ପୁସ୍ତକ “ଲଜ୍ଜା’’ ଓ ଅମୃତା ପ୍ରିତମ୍ଙ୍କ “ରେଭେନୁ୍ୟ ଟିକେଟ୍”କୁ ଓଡିଆରେ ଅନୁବାଦ କରି ସେ ଅନେକ ପ୍ରଶଂସାର ଅଧିକାରିଣୀ ହୋଇପାରିଥିଲେ । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ପାଇଁ ନନ୍ଦିନୀ ଶତପଥୀଙ୍କୁ ମିଳିଥିଲା ‘ଓଡିଶା ସାହିତ୍ୟ ଏକାଡେମୀ’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ସାହିତ୍ୟ ଭାରତୀ ସମ୍ମାନ’ । ଏତଦ୍ ବ୍ୟତିତ ଗଣତନ୍ତ୍ରର ସେ ଥିଲେ ଜାଗ୍ରତ ପ୍ରହରୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସଫଳତା ସାର୍ଥକ ଜନମତ ଉପରେ ନିର୍ଭର କରେ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ଜନମତକୁ ପ୍ରତିଫଳିତ କରିବା ପାଇଁ ସେ ପ୍ରତିଷ୍ଠା କରିଥିଲେ ଦୈନିକ ସମ୍ବାଦ ପତ୍ର “ଧରିତ୍ରୀ’’ ଯାହା ଆଜି ସମ୍ବାଦପତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଉକ୍ରଳ ଜନନୀର ଏହି ଯଶସ୍ୱୀ କନ୍ୟା ନନ୍ଦିନୀ ଦେବୀଙ୍କର ପୁଣ୍ୟ ତିରୋଧାନ ଦିବସରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ।

Comments are closed.