ଫୁଲନଖରା : କାଳିଆ ଯୋଜନା ହିତାଧିକାରୀ ଚାଷୀମାନେ ଏ ବାବଦ ପାଇଥିବା ୫ହଜାର ଟଙ୍କା ଫେରସ୍ତ ନକରିବାକୁ ବିଜେପି ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ମର୍ମରେ ନିଆଳି ନିର୍ବାଚନ ମଣ୍ଡଳୀ ନେତା ତଥା କୃଷକ ମୋର୍ଚ୍ଚା ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲିକ ସମସ୍ତ ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଇଥିବା ଟଙ୍କା ଆଦୌଁ ଫେରସ୍ତ ନକରିବାକୁ ଅନୁରୋଧ ଜଣାଇଛନ୍ତି । ରାଜ୍ୟ ସରକାର ତାଙ୍କ ସ୍ୱାର୍ଥ ପାଇଁ ନିର୍ବାଚନ ପୂର୍ବରୁ ଏହି ଯୋଜନା ଅତି ତରବରିଆଭାବେ ଲାଗୁ କରି ରାଜ୍ୟର ମୋଟ ୫୧ ଲକ୍ଷ ଚାଷୀଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।
ନିର୍ବାଚନକୁ ବହୁମତରେ ଜିତିବା ପରେ ସରକାର ସେହି ଟଙ୍କା ଆଦାୟ କରିବାକୁ ସୁଚିନ୍ତିତ ଯୋଜନା କରିଥିବା ଶ୍ରୀ ମଲିକ ଅଭିଯୋଗ କରିଛନ୍ତି । ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ୩ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ଉକ୍ତ ଟଙ୍କା ଆଦାୟ କରିବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଯାହାକି ଅତି ଦୁର୍ଭାଗ୍ୟପୂର୍ଣ୍ଣ ବିଷୟବୋଲି କୁହାଯାଉଛି । ପୂର୍ବରୁ ଚାଷୀମାନେ କାଳିଆ ହିତାଧିକାରୀଭାବେ ଆବେଦନ କରି ମନୋନୀତ ହେବା ପରେ ପ୍ରୋତ୍ସାହନ ରାଶି ପାଇଥିଲାବେଳେ ଏବେ କିପରି ସେମାନେ ଅଯୋଗ୍ୟ ହେଲେବୋଲି ଶ୍ରୀ ମଲିକ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ନିଆଳି ନିର୍ବାଚନ ମଣ୍ଡଳୀର ଜଣେ ହେଲେ ଚାଷୀ ଉକ୍ତ ଟଙ୍କା ଫେରସ୍ତ ନକରିବାକୁ ସେ ନିବେଦନ କରିବା ସହିତ ଦଳୀୟ କର୍ମୀଙ୍କୁ ଏ ବାବଦରେ ଚାଷୀମାନଙ୍କୁ ବୁଝାଇବା ଓ ଦରମାର ପଡ଼ିଲେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।
