ମୁମ୍ବାଇ : ମୁମ୍ବାଇ ଏୟାରପୋର୍ଟରେ ଜଣେ ସଂଦିଗ୍ଧ କରୋନାଭାଇରସ ମାମଲା ଚିହ୍ନଟ ହୋଇଛି । ଏୟାରପୋର୍ଟରେ ଯାତ୍ରୀମାନଙ୍କୁ ନିୟମିତଭାବେ କରାଯାଉଥିବା ଥର୍ମାଲ ଯାଞ୍ଚ ବେଳେ ଏହା ଜଣାପଡ଼ିଛି । ସଂପୃକ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଦିଆଯାଇ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ଏୟାରପୋର୍ଟରେ ଗତ ଜାନୁଆରି ୧୮ରୁ ଏପର୍ଯ୍ୟନ୍ତ ମୋଟ ୫୯୬୫୪ ଯାତ୍ରୀଙ୍କୁ ଥର୍ମାଲ ଯାଞ୍ଚ କରାଯାଇଛି ।
ପୂର୍ବରୁ କରୋନା ସଂଦେହରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିବା ୧୦୫ ଜଣ ଲୋକଙ୍କ ରକ୍ତନମୁନା ନେଗେଟିଭ ବାହାରିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି ।
ଅନ୍ୟପକ୍ଷରେ ବିଶ୍ୱ ସ୍ତରରେ କରୋନା ଭାଇରସ ମାନବ ଜାତିଆଗରେ ଏକ ବଡ଼ ସଂକଟଭାବେ ଦେଖାଦେଇଛି । ଆଜି ଆୟରଲ୍ୟାଣ୍ଡରେ ପ୍ରଥମ କରୋନା ସଂକ୍ରମଣ ଜଣାପଡ଼ିଛି । ଇରାନରେ କରୋନାଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଗତ ଦିନକ ମଧ୍ୟରେ ଆଉ ୧୧ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସଂଖ୍ୟା ୫୪ରେ ପହଞ୍ଚିଛି । ଆମେରିକା, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡରେ ପ୍ରଥମ କରୋନାଜନିତ ମୃତ୍ୟୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ମୃତ୍ୟୁସଂଖ୍ୟା ୩ ହଜାର ନିକଟବର୍ତ୍ତି ହୋଇଛି । ଏହା ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଚୀନରୁ ବୋଲି ଜଣାପଡ଼ିଛି । ଏହା ସହିତ ଏବେ ପ୍ରାୟ ୮୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ।