ଗୁଣଟୁରରୁ ଟ୍ରେନରେ ଫେରୁଛନ୍ତି ୬ଜିଲ୍ଲାର ୪ଶହ ପ୍ରବାସୀ ଚରମ୍ପା ଷ୍ଟେସନ ଅଞ୍ଚଳରେ ୨୪ଘଣ୍ଟିଆ କର୍ଫ୍ୟୁ , ଆଇଜି-ଜିଲ୍ଲାପାଳଙ୍କ ତଦାରଖ
ଭଦ୍ରକ :ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ଆନ୍ଧ୍ରପ୍ରଦେଶର ଗୁଣଟୁରରୁ ୬ଜିଲ୍ଲାର ପ୍ରବାସୀ ଓଡିଆ ଭଦ୍ରକ ଫେରୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଷ୍ଟେସନ ବଜାରରୁ ୫ଶହ ମିଟର ଦୂରତା ଯାଏଁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରିଛି । କର୍ଫ୍ୟୁ ହୋଇଥିବା ଅଞ୍ଚଳ ଗୁଡିକ ହେଲା-ଡଗରାସାହି ଛକ ଠାରୁ ଗୁଣ୍ଠୁଣିଆ ବଜାର ରେଲୱେ ମାଲଗୋଦାମ ରୋଡ, ତେଲେଙ୍ଗାସାହି ଛକ ଠାରୁ କୈଳାସ ସିନେମା ହଲ୍ ଛକ, ଚରମ୍ପା ଓଭରବ୍ରିଜ ଛକ ଠାରୁ ଜେଭିୟର୍ସ ସ୍କୁଲ ଓ ବେଲମଳା ଠାରୁ ରେଲୱେ ଷ୍ଟେସନ । ଏହି ସବୁ ଅଞ୍ଚଳରେ ଆଜି ମଧ୍ୟାହ୍ନ ୨ଟାରୁ ଆସନ୍ତା କାଲି ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଏହି କର୍ଫୁ୍ୟ ବଳବତ୍ତର ରହିବ ।
ଫେରୁଥିବା ପ୍ରବାସୀ ଓଡିଆଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ଷ୍ଟେସନ ପରିସରକୁ ବିଶୋଧନ କରାଯାଇଛି । ପ୍ରବାସୀଙ୍କ ପଞ୍ଜୀକରଣକାର୍ଯ୍ୟ ପାଇଁ ୮ଟି କାଉଣ୍ଟର କରାଯାଇଛି । ୮ଜଣ ପ୍ରଶାସନିକ ଅଧିକାରୀଙ୍କୁ ପଂଜୀକରଣ, ସାମାଜିକ ଦୂରତା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାର ସୁପରିଚାଳନା ପାଇଁ ତଦାରଖ ଦାୟିତ୍ୱ ଦିଆଯାଇଛି । ଏହି ୮ଜଣ ପ୍ରଶାସନିକ ଅଧିକାରୀ ହେଲେ-୨ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ଅତିରିକ୍ତ ତହସିଲଦାର । ଏହା ବ୍ୟତୀତ ପଂଜୀକରଣ ନେଇ ୬୨ଜଣ ସକରାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରେଲୱେ ଷ୍ଟେସନ ପରିସରରେ ପ୍ରଶାସନ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆଇଜି ଦୀପ୍ତେଶ ପଟ୍ଟନାୟକ, ଜିଲ୍ଲାପାଳ ଜ୍ଞାନ ଦାସ, ଏସ୍ପି ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ଏହି ସବୁ ବ୍ୟବସ୍ଥାର ତଦାରଖ କରୁଛନ୍ତି । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗୁଣଟୁର ରୁ ଭଦ୍ରକକୁ ଆସୁଥିବା ଟ୍ରେନରେ ଭଦ୍ରକ ଜିଲ୍ଳାର ୧୫୭, କେନ୍ଦ୍ରାପଡା ଜିଲ୍ଲାର ୨୧୭, ବାଲେଶ୍ୱର ଜିଲ୍ଲାର ୧, ଯାଜପୁର ଜିଲ୍ଳାରୁ ୧, କେନ୍ଦୁଝର ଜିଲ୍ଲାର ୧ ଓ ମୟୁରଭଂଜ ଜିଲ୍ଳାରୁ ଜଣେ ପ୍ରବାସୀ ଭଦ୍ରକ ଷ୍ଟେସନରେ ଓହ୍ଲାଇବେ ।
ଏମାନେ ଟ୍ରେନରୁ ଓହ୍ଲାଇବା କ୍ଷଣି ତାଙ୍କୁ ପୂର୍ବ ବ୍ୟବସ୍ଥା ଅନୁଯାୟୀ,ସାମାଜିକ ଦୂରତାରେ ଅଣାଯାଇ ପଂଜୀକରଣ କରାଯିବ । ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଯିବ । ତେବେ ଯେଉଁ ପ୍ରବାସୀଙ୍କ ଲକ୍ଷଣ ଜଣାପଡିବ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯିବାର ବ୍ୟବସ୍ଥା ରହିଛି । ଅନ୍ୟମାନଙ୍କୁ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ରଖାଯିବ ।